ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ସମ୍ମୁଖରେ ରନର ପାହାଡ ଛିଡା କଲା ଭାରତ! ୪୪୩ ରନ ସହ ପାଳି ଘୋଷଣା କଲା ବିରାଟ ବାହିନୀ

205

କନକ ବ୍ୟୁରୋ : ମେଲବୋର୍ଣ୍ଣ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ପ୍ରଥମ ଇନିଂସରେ ୪୪୩ ରନ ସହ ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ପୂଜାରା ସର୍ବାଧିକ ୧୦୬ ରନର ଇନିଂସ ଖେଳିଥିବା ବେଳେ କ୍ୟାପଟେନ କୋହଲିଙ୍କ ବ୍ୟାଟରୁ ୮୨ ରନର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଦେଖିବାକୁ ମିଳିଛି ।

ତୃତୀୟ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୁଇ ନୂଆ ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା । ଆଉ ପଦାର୍ପଣ ମ୍ୟାଚରେ ୭୬ ରନର ଇନିଂସ ଖେଳି ମୟଙ୍କ ଅଗ୍ରୱାଲ ଅଧିନାୟକଙ୍କ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ । ତେବେ ହନୁମା ବିହାରୀ ବଡ ଇନିଂସ ଖେଳିନଥିଲେ ମଧ୍ୟ ଏତେ ସହଜରେ ନିଜ ୱିକେଟ ହରାଇନଥିଲେ ।

ଆଉ ଏହାପରେ ଚେତେଶ୍ୱର ପୂଜାରା ଓ କ୍ୟାପଟେନ କୋହଲିଙ୍କ ସୋ ଦେଖିବାକୁ ମିଳିଥିଲା । ଉଭୟ କ୍ରିଜରେ ଜମି ରହିବା ଅଷ୍ଟ୍ରେଲିଆ ବୋଲରଙ୍କୁ ନୟାନ୍ତ କରିଥିଲେ । ଗୋଟିଏ ପଟେ ଚେତେଶ୍ୱର ପୂଜାରା ଶତକ ହାସଲ କରିଥିବା ବେଳେ ଅନ୍ୟପଟେ ବିରାଟ କୋହଲି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଏହି ୱିକେଟର ପତନ ପରେ ଆଜିଙ୍କ୍ୟ ରାହାଣେ ଓ ରୋହିତ ଶର୍ମା ଦଳର ମଙ୍ଗ ଧରିଥିଲେ । ଆଜିଙ୍କ୍ୟ ୩୪ ରନର ପାଳି ଖେଳିଥିବା ବେଳେ ରୋହିତ ଅର୍ଦ୍ଧଶତକ ହାସଲ କରିଥିଲେ । ଶେଷ ଆଡକୁ ପନ୍ତ ୩୯ ରନର ଇନିଂସ ଖେଳିବା ସହ ଭାରତ ୪୦୦ ରନ ପାର କରିଥିଲା । ଆଉ ରବୀନ୍ଦ୍ର ଜାଡେଜାଙ୍କ ୱିକେଟର ପତନ ପରେ ୪୪୩ ରନରେ ପାଳି ଘୋଷଣା କରିଥିଲା ଭାରତ । ଅଷ୍ଟ୍ରେଲିଆ ପକ୍ଷରୁ କମିନସ ୩ଟି ୱିକେଟ ନେଇଥିବା ବେଳେ ଷ୍ଟାର୍କ ୨ ୱିକେଟ ହାସଲ କରିଥିଲେ ।