ଦ୍ୱିତୀୟ ଦିନିକିଆରେ ଚମକିଲେ ବିରାଟ ! ଭାରତର ଦମଦାର ବ୍ୟାଟିଂ, ୱେଷ୍ଟଇଣ୍ଡିଜକୁ ୩୨୨ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ ।

52

କନକ ବ୍ୟୁରୋ : ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଦିନିକିଆରେ ୩୭ତମ ଶତକ ହାସଲ କରିବା ସହ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ବିରାଟଙ୍କ ଦମଦାର ଶତକ ଏବଂ ଅମ୍ବାତି ରାୟଡୁଙ୍କ ଲଢୁଆ ୭୩ ରନ ବଳରେ ୱେଷ୍ଟଇଣ୍ଡିଜ୍ ଆଗରେ ୩୨୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ବିରାଟ ବାହିନୀ । ଆଜି ମ୍ୟାଚରେ ପ୍ରାରମ୍ଭିକ ଯୋଡି ଶିଖର ଧାୱନ ଏବଂ ରୋହିତ ଶର୍ମା ବିଫଳ ହୋଇଥିଲେ ସତ କିନ୍ତୁ ବିରାଟ କୋହଲି ଦମଦାର ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ବୋଲର ମାନଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲେ । ବିରାଟ ମୋଟ୍ ୧୨୯ ବଲ ଖେଳି ୧୫୭ ରନରେ ଅପରାଜିତ ରହିଥିଲେ ।

ଆନ୍ଧ୍ରପ୍ରଦେଶର ଓ୍ଵାଇଏସ୍‌ ରାଜଶେଖର ଷ୍ଟାଡିୟମ୍‌ରେ ବୁଧବାର ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ୧୫ ରନ୍‌ରେ ଓପନର ରୋହିତ ଶର୍ମା (୪) ଓ ୪୦ ରନ୍‌ରେ ଶିଖର ଧାଓ୍ଵନ୍‌ (୨୯ ରନ୍‌)ଙ୍କୁ ହରାଇବା ପରେ ୩ୟ ଓ୍ଵିକେଟ୍‌ରେ କୋହଲି ଓ ଅମ୍ବାତି ରାୟଡୁ (୭୩ ରନ୍‌) ଶତକୀୟ ଭାଗିଦାରୀ (୧୩୯ ରନ୍‌) ହୋଇପାରିଥିଲେ । ରୋହିତ ୮ଟି ବଲ ଖେଳି ରୋଚ୍‌ଙ୍କ ବଲ ହେଟମେୟରଙ୍କୁ କ୍ୟାଚ ଦେଇଥିଲେ । ଆସଲେ ନର୍ସଙ୍କ ବଲରେ ଶିଖର ଧାଓ୍ଵନ ଏଲ୍‌ବିଡବ୍ଲୁ ହୋଇଥିଲେ। ସେହିପରି ଓବେଡ ମ୍ୟାକ୍‌କଏଙ୍କ ଦ୍ୱାରା ରାୟଡୁ ଆଉଟ୍‌ ହୋଇଥିଲେ। ଏହା ପୂର୍ବରୁ ରାୟଡୁ ୮୦ଟି ବଲ୍‌ ଖେଳି ୮ଟି ଚୌକା ମାରିଥିଲେ ।

ନିର୍ଦ୍ଧାରିତ ଓଭରରେ ଭାରତ ୬ଟି ୱିକେଟ ହରାଇ ୩୨୧ ରନ ସଂଗ୍ରହ କରିଛି । ତେବେ ସବୁଠାରୁ ବଡ କଥା ହେଉଛି, ଏହି ମ୍ୟାଚରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି କୋହଲି । ବିଶ୍ୱର ଦ୍ରୁତତମ ୧୦ ହଜାର ରନ୍ ସ୍କୋରର ହୋଇଛନ୍ତି ବିରାଟ । ଏହା ସହ ପଞ୍ଚମ ଭାରତୀୟ ଭାବେ ୧୦ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି ଯୁବ ତାରକା ବିରାଟ କୋହଲି । ଏହା ସହ ଦିନିକିଆରେ ଆଉ ଏକ ନୂଆ ବ୍ୟାଟିଂ କୀର୍ତ୍ତିମାନ ସ୍ଥାପନ କରିବା ସହ ସଚିନଙ୍କୁ ପଛରେ ପକାଇଛନ୍ତି ଯୁବ ତାରକା ବିରାଟ କୋହଲି ।