ବ୍ୟାନ୍ ହେବ ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ !  ଜୈସେ ମହମ୍ମଦ୍ ମୁଖ୍ୟ ମାସୁଦ୍ ଆଝାରକୁ ଘେରିବାକୁ ଆମେରିକା ସହ କରାଯିବ କଥାବାର୍ତ୍ତା ।

649

କନକ ବ୍ୟୁରୋ : ପୁଲୱାମା ଆତ୍ମଘାତୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମାସୁଦ ଆଝାରକୁ ଘେରିବା ପାଇଁ ଆମେରିକା ସହ ଆଲୋଚନା କରିବ ଭାରତ  । ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରିବା ଦିଗରେ ଆମେରିକା କଥା ଉଠାଇବ ବୋଲି ଜଣାପଡ଼ିଛି  । ୨୦୧୭ରେ ଚୀନ ପ୍ରସ୍ତାବକୁ ବିରୋଧ୍ କରିଥିଲା  । ମାସୁଦକୁ ବ୍ୟାନ୍ କରିବା ନେଇ ଅନେକ ଦେଶ ଭାରତ ପକ୍ଷରେ ଥିବା ବେଳେ ଚୀନ ପାକିସ୍ତାନକୁ ସହଯୋଗ କରିଥିଲା  । ଆସନ୍ତୁ ଜାଣିବା ମାସୁଦ ଆଝାରର ପୁରା କାହାଣୀ  ।

ପୁଲୱାମା ହମଲାର ମାଷ୍ଟର୍ ମାଇଣ୍ଡ । ମୋଷ୍ଟ ୱାଂଟେଡ୍ ମାସୁଦ୍ ଆଝାର୍ । ମନେ ପକାନ୍ତୁ ୧୯୯୯ ମସିହା କାନ୍ଦାହାର୍ ବିମାନ ଅପହରଣର ସେହି ଘଟଣାକୁ ଯେତେବେଳେ ଯାତ୍ରୀଙ୍କୁ ବନ୍ଧକ ରଖି ବ୍ଲାକମେଲ୍ କରାଯାଇଥିଲା ଏକ ଦେଶକୁ ଆଉ ଯାତ୍ରୀଙ୍କ ବଦଳରେ ଭାରତ ହାତରୁ ଛଡ଼ାଇ ନିଆଯାଇଥିଲା କୁଖ୍ୟାତ ଆତଙ୍କବାଦୀ ମାସୁଦ୍ ଆଝାର୍କୁ  । ଏ ଘଟଣାର ହୁଏତ ଇତିମଧ୍ୟରେ ବିତି ଯାଇଛି ପାଖାପାଖି କୋଡ଼ିଏ ବର୍ଷ ତେବେ ମାସୁଦ୍ ଆତଙ୍କରେ ବର୍ତମାନ ପର୍ଯ୍ୟନ୍ତ ପଡ଼ିନାହିଁ ପୂର୍ଣ୍ଣଚ୍ଛେଦ  । ନିକଟରେ ପୁଲୱାମା ଅବନ୍ତୀପୋରାରେ ଜୈସେ ମହମ୍ମଦ୍ କରିଛି ଫିଦାଇନ୍ ହମଲା ଆଉ ଏହା ପଛରେ ମାସୁଦ୍ ଆଝାରର ହାତଥିବା ପୁଣିଥରେ ପ୍ରମାଣିତ ହୋଇଛି । ମାସୁଦ ଆଝାର୍ ଏବେ ପାକ୍ ପ୍ରୋତ୍ସାହନରେ ଜାମ୍ମୁ କାଶ୍ମୀରରେ ଖୁଲମଖୁଲ୍ଲା ଚଳାଇଛି ଆତଙ୍କର ପାଠଶାଳା, ଯାହାପାଇଁ ଚୀନର ବି ରହିଛି ଦରଦ  ।

ମାସୁଦ ଆଝାରର କଳା କାରନାମା :

– କାଶ୍ମୀରରେ ରହି ଆତଙ୍କବାଦୀ ସଂଗଠନ ଚଳାଉ ଥିବା ମାସୁଦ ଆଝାରକୁ ୧୯୯୪ ମସିହାରେ ଗିରଫ କରାଯାଇଥିଲା କିନ୍ତୁ କାନ୍ଦାହାର୍ ଘଟଣା ପରେ ସେ ମୁକ୍ତ ହୋଇଥିଲା  ।

– ୨୦୦୧ରେ ମାସୁଦ ଆଝାର୍ ଇସାରାରେ ଜାମ୍ମୁ କାଶ୍ମୀର ବିଧାନସଭା ଉପରେ ଆକ୍ରମଣ କରା ଯାଇଥିଲା ଓ ଏଥିରେ ୩୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ  ।

– ୨୦୦୧ ଡିସେମ୍ବର ପାର୍ଲାମେଂଟ୍ ଉପରେ ଆକ୍ରମଣର ଷଢ଼ଯନ୍ତ୍ର ରଚିଥିଲା ମାସୁଦ୍ ଆଝାର୍ ଓ ଏହି ଘଟଣାରେ ୫ ଆତଙ୍କୀ ସମେତ ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ  ।

– ୨୦୧୬ରେ ଉରି ସେନା କ୍ୟାମ୍ପ ଉପରେ ମାସୁଦ୍ ଇସାରାରେ ଆକ୍ରମଣ କରାଯାଇଥିଲା ଓ ଏଥିରେ ୧୯ ଯବାନଙ୍କ ମୃତ୍ୟୁ ହୋଇଥିଲା  ।

– ୨୦୧୬ରେ ପଠାନକୋଟ୍ ବାୟୁସେନା ଘାଟି ଉପରେ ମାସୁଦ୍ ଇସାରାରେ ହମଲା ହୋଇଥିଲା ଓ ୭ ସୁରକ୍ଷାକର୍ମୀ, ଜଣେ ନାଗରିକଙ୍କ ମୃତ୍ୟୁ ହୋଇଥିଲା  ।

ଏବେ କେବଳ ଅପେକ୍ଷା ମୋଷ୍ଟ ୱାଂଟେଡ୍ ମାସୁଦ୍ ଆଝାରକୁ ଆଇନର କାଠଗଡ଼ାକୁ ଆଣିବାକୁ  ।