ଅକ୍ଟୋବର ୧୯ ତାରିଖରୁ ଭାରତ – ରୁଷ୍ ମିଳିତ ସମରାଭ୍ୟାସ : ମିଶନର ନାଁ ଏକ୍ସରସାଇଜ୍ ଇନ୍ଦ୍ର

27

କନକ ବ୍ୟୁରୋ : ଅକ୍ଟୋବର ୧୯ରୁ ଆରମ୍ଭ ହେବ ଭାରତ – ରୁଷ ମିଳିତ ଯୁଦ୍ଧାଭ୍ୟାସ । ଯେଉଁଥିରେ ଭାରତର ତିନି ବାହିନୀକୁ ମିଳିବ ରୁଷ୍ ରଣକୌଶଳ ଶିଖିବାର ସୁଯୋଗ । ଦୀର୍ଘ ୧୧ ଦିନ ଧରି ଚାଲିବ ଭାରତ ଓ ରୁଷର ଏହି ସଂଯୁକ୍ତ ଯୁଦ୍ଧାଭ୍ୟାସ୍ । ରୁଷ୍ ସାମରିକ ଘାଟି ସର୍ଗିଭିସ୍କି ଓ ଭ୍ଲାଦିବୋଷ୍ଟକ୍ ନିକଟରେ ଥିବା ଜାପାନ ସାଗରରେ ଏହି ଅଭ୍ୟାସ କରା ଯିବ । ଭାରତ ପକ୍ଷରୁ ସ୍ଥଳସେନାର ୩୫୦ ଓ ବାୟୁସେନାର ୮୦ ଜଣ ଯବାନ ଏଥିରେ ସାମିଲ୍ ହେବେ । ଏହା ବ୍ୟତୀତ ୨ଟି ଆଇଏଏଲ୍ ଯୁଦ୍ଧବିମାନ ଓ ନୌସେନାର ୨ଟି ଫ୍ରିଗେଟ୍ ଓ କରଭେଟ୍ ଯୁଦ୍ଧଜାହାଜ ଏହି ସମରାଭ୍ୟାସରେ ଭାଗ ନେବେ । ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଜ୍ଞାନକୌଶଳ ବିନିମୟର ଅବସର ସୃଷ୍ଟି କରିବ ଏହି ମିଳିତ ସମରାଭ୍ୟାସ । ଏକ୍ସରସାଇଜ ଇନ୍ଦ୍ର ପାଇଁ ଉଭୟ ଜଳ, ସ୍ଥଳ ଓ ଆକାଶରେ ଅଭ୍ୟାସ କରାଯିବ । ରୁଷ୍ ପକ୍ଷରୁ ୧ ହଜାର ସୈନିକ ଏଥିରେ ଅଂଶଗ୍ରହଣ କରିବେ ।

ଯୁଦ୍ଧାସ୍ତ୍ରର ସମୁହ ପରିଚାଳନା, ତଟୀୟ ସୁରକ୍ଷା, ଆତଙ୍କ ବିରୋଧୀ ଅଭିଯାନ, ସମୁହ ଯୁଦ୍ଧାଭ୍ୟାସ, ସୈନିକ ସମ୍ବନ୍ଧ ଓ ସହଯୋଗ ବୃଦ୍ଧି, ଏୟାର ଡିଫେନ୍ସ ଦିଗରେ ରୁଷ୍ ଜ୍ଞାନ ବିନିମୟ କରିବ ଭାରତର ତିନି ବାହିନୀ ସହ । ଉନ୍ନତ ଯୁଦ୍ଧକୌଶଳ, ଅତ୍ୟାଧୁନିକ ଯୁଦ୍ଧ ସରଂଜାମ ଓ ଯୁଦ୍ଧ ପରିଚାଳନା କୌଶଳ ଶିଖିବାର ସୁଯୋଗ ମିଳିବ ଯୁଦ୍ଧାଭ୍ୟାସରୁ ।

୨୦୦୩ ମସିହା । ଭାରତ ମହାସାଗରରେ ନିଜର ପ୍ରଭାବ ବିସ୍ତାର ପାଇଁ ରୁଷ୍ ଭାରତ ସହ ମିଶି ଆରମ୍ଭ କରେ ଯୁଦ୍ଧାଭ୍ୟାସ । ଯାହାର ନାମ ରଖାଯାଏ ଏକ୍ସରସାଇଜ୍ ଇନ୍ଦ୍ର । ସେବେଠାରୁ ଆଜିଯାଏଁ ୮ ଥର ହୋଇସାରିଲାଣି ଏହି ମିଳିତ ଯୁଦ୍ଧାଭ୍ୟାସ । ଏହି ଅଭ୍ୟାସ ଜରିଆରେ ରୁଷ୍ ସାମରିକ ସରଂଜାମ ବ୍ୟବହାର କରାଇବାର ଭାରତୀୟ ସେନାକୁ ମିଳେ ସୁଯୋଗ । ଚଳିତ ବର୍ଷ ୯ମ ଥର ପାଇଁ ଏହି ଅଭ୍ୟାସ ହେବାକୁ ଥିବା ବେଳେ ଯୁଦ୍ଧ ଭଳି କୌଣସି ପରିସ୍ଥିତି ସୃଷ୍ଟି ହେଲେ ଇନ୍ଦ୍ର ଏକ୍ସରସାଇଜ୍ ଭାରତ ପାଇଁ ନିଶ୍ଚିତ ଭାବେ ହେବ ଫଳପ୍ରଦ । ଯାହା ସେନାକୁ ପ୍ରତିପକ୍ଷଠାରୁ ରଖିବ ଆଗରେ । ଏଥି ସହ ଭାରତ ଓ ରୁଷ୍ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହେବାର ପୁଣିଥରେ ନଜର ଆସିବ ।