କାଶ୍ମୀରକୁ ନେଇ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ। କହିଲେ,ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ ମୋଦି : ସେପଟେ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କଲା ବିଦେଶ ମନ୍ତ୍ରଣାଳୟ

230

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ବିବାଦ । ଟ୍ରମ୍ପ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ବେଳେ ଟ୍ରମ୍ପ ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରାୟ ଦୁଇ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ବେଳେ କାଶ୍ମୀର ପ୍ରସଙ୍ଗ ଉଠିଥିଲା, ଆଉ ସେତେବେଳେ ମଧ୍ୟସ୍ଥତା କରିବାକୁ ମୋଦି ପଚାରିଥିବା ଟ୍ରମ୍ପ କହିଛନ୍ତି ।

source : mediavillage.com

କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ରାଜିଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଆମେରିକା ଗସ୍ତରେ ଅଛନ୍ତି । ହ୍ୱାଇଟ୍ ହାଉସରେ ଦୁଇ ନେତାଙ୍କ ସାକ୍ଷାତ ବେଳେ ଜଣେ ସାମ୍ବାଦିକ କାଶ୍ମୀର ବିଷୟରେ ପ୍ରଶ୍ନ କରିଥିଲେ । ଏହାର ଉତର ଦେଇ ଇମ୍ରାନ୍ କାଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିଥିଲେ । ଆମେରିକା କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଦରକାର ବୋଲି କହିଥିଲେ ଇମ୍ରାନ୍ ଖାନ୍ । ତେବେ ସବୁଠୁ ବଡ଼ କଥା ହେଲା ଉଭୟ ନେତାଙ୍କ ବୈଠକ ପରେ ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବୁଲେଟିନରେ କାଶ୍ମୀର ପ୍ରସଙ୍ଗରେ କିଛି କୁହାଯାଇ ନାହିଁ ।

source : The Indian Express

ତେବେ ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ମୋଦି କେବେ ହେଲେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କୁ କହିନାହାନ୍ତି । ପାକିସ୍ତାନ ସହ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ କାଶ୍ମୀର ପ୍ରସଙ୍ଗର ସମାଧାନ ଉପରେ ଭାରତ ଆଗରୁ ଜୋର୍ ଦେଇଆସିଛି । ଏହି ନୀତିରେ ଏବେ ବି କାଏମ୍ ଅଛି ବୋଲି ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ୍ କରି ଜଣାଇଛନ୍ତି । କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଙ୍ଗ । ତେଣୁ କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଚାହେଁ ନାହିଁ । ତେବେ ପାକିସ୍ତାନ ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ ଏହାସହ ଆଲୋଚନା କରାଯାଇ ପାରିବ ନାହିଁ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଟୁଇଟରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ।

ସେପଟେ ଟ୍ରମ୍ପଙ୍କ ମଧ୍ୟସ୍ଥତା ମନ୍ତବ୍ୟ ନେଇ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ମୋଦି ଦେଶବାସୀଙ୍କୁ କାଶ୍ମୀର ପ୍ରସଙ୍ଗରେ ଧୋକା ଦେଇଛନ୍ତି । ତୃତୀୟ ପକ୍ଷକୁ ମଧ୍ୟସ୍ଥତା ପାଇଁ ଅନୁରୋଧ କରିବାରେ ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟିଛନ୍ତି ବୋଲି ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲ । ଟ୍ରମ୍ପଙ୍କ ମଧ୍ୟସ୍ଥତା ମନ୍ତବ୍ୟ ନେଇ ମୋଦି ତୁରନ୍ତ ଜବାବ ଦିଅନ୍ତୁ ବୋଲି ସୁରେଜୱାଲା ଟୁଇଟ୍ କରି ଦାବି କରିଛନ୍ତି ।