ଭାରତ ପାକିସ୍ତାନ ସୀମାରେ ସମରସଜ୍ଜା ! କୌଣସି ମୁହୂର୍ତ୍ତରେ ହୋଇପାରେ ଯୁଦ୍ଧ

38

କନକ ବ୍ୟୁରୋ : ଯେକୌଣସି ମୁହୂର୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇପାରେ ଯୁଦ୍ଧ । ଉରି ସେନା ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ଆଶଙ୍କା ବଢିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଉଭୟ ଦେଶ, ସୀମାନ୍ତରେ ଅଧିକ ସୈନ୍ୟ, ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ୍ ମୁତୟନ କରୁଥିବା ଦେଖିବାକୁ ମିଳିଛି।

ଗତକାଲି ରାତିରେ ଇସଲାମାବାଦ ଆକାଶରେ ଏଫ୍ ୧୬ ଯୁଦ୍ଧ ବିମାନ ପଇଁତରା ମାରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାର ରୁମରେ ତିନି ସେନା ମୁଖ୍ୟ ଓ ଜାତୀୟ ନିରାପତା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଦେଶର ସାମରିକ ସ୍ଥିତିର ମଧ୍ୟ ସମୀକ୍ଷା କରାଯାଇଛି।

ଅନ୍ୟପଟେ ଉରି ଆକ୍ରମଣ ଘଟଣାରେ ଭାରତକୁ କୂଟନୈତିକ ସଫଳତା ମିଳୁଥିବା ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଭାରତର ପଡୋଶୀ ସମେତ ଆମେରିକା, ଋଷ, ୟୁଏଇ ପରି ବହୁ ଦେଶ ଭାରତକୁ ସମର୍ଥନ କରିଛନ୍ତି । ପାକିସ୍ତାନ ମାଟିରେ ଆତଙ୍କବାଦକୁ ମିଳୁଥିବା ପ୍ରୋତ୍ସାହନକୁ ଏହି ଦେଶମାନେ ଗ୍ରହଣ କରିଥିବା ସୂଚନା ଦିଆଯାଇଛି ।

ଅନ୍ୟପଟେ ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରଙ୍କୁ ଉରି ଆକ୍ରମଣ ନେଇ ପ୍ରମାଣ ଦେବା ସହ ପାକିସ୍ତାନ ଆତଙ୍କବାଦୀଙ୍କୁ ଦେଉଥିବା ସହଯୋଗ ବନ୍ଦ କରିବାକୁ କୁହାଯାଇଥିବା ବିଭାଗୀୟ ମୁଖପାତ୍ର କହିଛନ୍ତି । ଆରପଟେ ମିଳିତ ଜାତିସଂଘରେ ପାକ୍ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣକୁ ବିରୋଧ କରି ଉତର ରଖିଛି ଭାରତ । ଏହାକୁ ବିଶ୍ୱ ସମୁଦାୟ ସମର୍ଥନ କରିଥିବା ସ୍ପଷ୍ଟ କରିଛନ୍ତି ବିକାଶ ସ୍ୱରୂପ । ସେପଟେ ୨୦୦୪ରେ ହୋଇଥିବା ରାଜିନାମାକୁ ପାକିସ୍ତାନ ଉଲ୍ଲଂଘନ କରୁଛି ଏବଂ ଏହାର ପରିଣାମ ଶୁଭଙ୍କର ହେବ ନାହିଁ ବୋଲି ସେ ଚେତେଇ ଦେଇଛନ୍ତି।