ଜାଣିହେବ ଏଥର ଅଗଭୀର ସାଗର ରହସ୍ୟ ! ଅତଳ ସାଗରକୁ ମାନବ ପଠାଇବ ଭାରତ, ଏମିତି ଏକ ଯୋଜନା କରୁଛନ୍ତି ବୈଜ୍ଞାନିକ

61

ବୈଜ୍ଞାନିକମାନେ ଏବେ ଏକ ନୂଆ ପ୍ରୟାସ ଆରମ୍ଭ କରୁଛନ୍ତି । ସାଗରର ବକ୍ଷ ଭେଦ କରି ଜାଣିବେ ସାଗର ତଳର ରହସ୍ୟ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ଏବେ ମହାକାଶକୁ ମନୁଷ୍ୟ ପ୍ରେରଣ ପାଇଁ ଆବଶ୍ୟକ ଜ୍ଞାନକୈାଶଳର ବିକାଶ କରୁଥିବା ବେଳେ ଭାରତର ଅନ୍ୟ ଏକ ସଂସ୍ଥା ମଧ୍ୟ ଅତଳ ମସାଗରକୁ ମାନବ ପଠାଇବା ପାଇଁ ଯୋଜନା ଚଳେଇଛି । ତାମିଲନାଡୁ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜିର କିଛି ବୈଜ୍ଞାନିକ ଏଭଳି ଯାନର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ୫ଶହ କୋଟି ଟଙ୍କା ବ୍ୟୟ ହେବ । ଏହା ସାହାଯ୍ୟରେ ୩ଜଣ ବୈଜ୍ଞାନିକଙ୍କୁ ସମୁଦ୍ର ମଧ୍ୟରେ ୬କିମି ତଳକୁ ପଠାଯାଇପାରିବ ।

ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ସତୀଶ ସିନୋଇ କହିଛନ୍ତି ସେମାନେ କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କ ସ୍ୱୀକୃତି ମିଳିଲେ ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ପ୍ରାୟ ୫ବର୍ଷ ସମୟ ଲାଗିବ । ସେମାନେ ଦେଶର ଅନ୍ୟ କିଛି ସଂସ୍ଥା ଯେପରିକି ଇସ୍ରୋ ,ଡିଆରଡିଓ, ଆଇଆଇଟି ସହ ମିଶି ଏହି ଯୋଜାନକୁ ସାକାର କରିବାକୁ ଚେଷ୍ଟା କରିବେ ।

ଏହି ଯୋଜନା ଅନୁଯାୟୀ ୩.୨ ମିଟର ବ୍ୟାସ ବିଶିଷ୍ଟ ଗୋଲାକାର ଆକୃତିର ଏକ ଯାନ ନିର୍ମାଣ କରାଯିବ ଏବଂ ଏହାକୁ ତିଆରି କରିବା ପାଇଁ ଟାଇଟାନିୟମ ଧାତୁର ବ୍ୟବହାର କରାଯିବ । କାରଣ ଏହି ଧାତୁ ସମୁଦ୍ର ମଧ୍ୟରେ ପାଣି ଚାପକୁ ପ୍ରତିହତ କରିପାରିବାର କ୍ଷମତା ରଖିବ । ଏହି ଯାନକୁ ଏକ ଜାହାଜ ସାହାଯ୍ୟରେ ସମୁଦ୍ରକୁ ଛଡାଯିବ । ଯାନ ଭିତରେ ଥାଇ ଗବେଷକ ୩ଜଣ ଗ୍ଲାସ ଝରକା ଦ୍ୱାରା ବାହାରର ଦୃଶ୍ୟକୁ ଦେଖିପାରିବେ ଏବଂ ସେଥିରେ ଲାଗିଥିବା ଏକ ରୋବୋଟିକ୍ ହାତ ମାଧ୍ୟମରେ ବିଭିନ୍ନ ପ୍ରକାରର ନମୁନା ସଂଗ୍ରହ କରିପାରିବେ । ଏହି ଯାନକୁ ବ୍ୟବହାର କରି ସମୁଦ୍ର ତଳେ ୮ରୁ ୧୦ଘଣ୍ଟା ରହିହେବ ।

ଏହି ଅଭିନଯାନରେ ସମୁଦ୍ର ତଳେ ଥିବା ଜୀବଜଗତ ସମ୍ବନ୍ଧରେ ଅଧିକ ତଥ୍ୟ ଜଣାପଡିବ ଏବଂ ଏହାସହ ସମୁଦ୍ରଶଯ୍ୟା ତଳେ ଜମା ହୋଇଥିବା ମୂଲ୍ୟବାନ ଧାତୁର ସନ୍ଧାନ କରାଯାଇପାରିବ । ନିଖୋଜ ହୋଇଥିବା ଯାନ ଓ ବସ୍ତୁ ଆଦିକୁ ସମୁଦ୍ର ତଳୁ ଠାବ କରାଯାଇପାରିବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ବୈଜ୍ଞାନିକମାନେ ସମାନ ଧରଣର ଆଉ ଏକ ଯାନ ୩ବର୍ଷ ଭିତରେ ତିଆରି କରିବେ , ଯାହା ସାହାଯ୍ୟରେ ଭାରତ ମହାସାଗରର ୫୦୦ ମିଟର ତଳକୁ ଲୋକ ପଠାଇବେ ।   (ସୈାଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ)