ଭାରତ ପାକିସ୍ତାନ ମ୍ୟାଚ୍ ବଏକଟ୍ କରିବ ନା ବିଶ୍ୱକପରୁ ପାକିସ୍ତାନକୁ ବିଦା କରିବାକୁ ଯୋଜନା କରିବ ! ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ବଢିଲା ଆଶଙ୍କା

133

କନକ ବ୍ୟୁରୋ : କଣ ହେବ ବିଶ୍ୱକପ୍ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚର ଭବିଷ୍ୟତ ? କଣ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବଏକଟ୍ କରିବ ନା ବିଶ୍ୱକପରୁ ପାକିସ୍ତାନକୁ ବିଦା କରିବାକୁ ଯୋଜନା କରିବ ଭାରତ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ତମାମ୍ ପ୍ରଶ୍ନ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି । ଆଉ ଏନେଇ ବିସିସିଆଇର କ୍ରିକେଟ୍ ପ୍ରଶାସକ କମିଟି ବୈଠକରେ ମନ୍ଥନ ହୋଇଛି । ନିଷ୍ପତ୍ତି ହୋଇଛି ଏନେଇ ଆଇସିସିକୁ ଚିଠି ଲେଖିବ ବୋର୍ଡ । ଆଉ ଏସବୁ ଭିତରେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି ।

ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଘମାଘୋଟ ଆଲୋଚନା ଭିତରେ ଶୁକ୍ରବାର ବୈଠକ କରିଛି ବିସିସିଆଇର କ୍ରିକେଟ୍ ପ୍ରଶାସକ କମିଟି । ତେବେ ବୈଠକରେ କିଛି ବି ନିଷ୍କର୍ଷ ବାହାରି ପାରିନି । କେବଳ ଗୋଟିଏ କଥା ସ୍ପଷ୍ଟ ହୋଇଛି, ଏହି ପ୍ରସଙ୍ଗକୁ ନେଇ ଆଇସିସିକୁ ଚିଠି ଲେଖିବ ବୋର୍ଡ । ସରକାରଙ୍କ ସହ ଆଲୋଚନା ଚାଲିଛି । ସରକାର ଯାହା ନିଷ୍ପତି ନେବେ ତାହାକୁ ବିସିସିଆଇ ମାନିନେବ ବୋଲି କହିଛି । ବିଶ୍ୱକପରେ ଆଇସିସି ସଦସ୍ୟ ରାଷ୍ଟ୍ରଙ୍କୁ ପାକିସ୍ତାନ ସହିତ କ୍ରିକେଟ୍ ସଂପର୍କ ଛିନ୍ନ କରିବାକୁ ବ୍ୟକ୍ତିଗତ ଭାବେ ଅପିଲ୍ କରିବ ବିସିସିଆଇ ।

ବିଶ୍ୱକପରୁ ପାକିସ୍ତାନକୁ ବିଦା କରିବା ବାଟ ବି ଏତେ ସହଜ ହେବନି । କାରଣ ଆଇସିସି ନିୟମାବଳୀ ଅନୁସାରେ , ଆଇସିସି ଅଧୀନରେ ଖେଳୁଥିବା କୌଣସି ସଦସ୍ୟ ରାଷ୍ଟ୍ର ଅନ୍ୟ ଏକ ସଦସ୍ୟ ରାଷ୍ଟ୍ରକୁ ବିଦା କରିବାକୁ ଦାବି କରିପାରିବନି । ପୂର୍ବତନ କ୍ରିକେଟର ଗାଭାସ୍କର ଓ ଗାଙ୍ଗୁଲି କିନ୍ତୁ ପାକିସ୍ତାନ ସହ କ୍ରିକେଟ୍ ସଂପର୍କ ଛିନ୍ନ କରିବାକୁ ମତ ରଖିଛନ୍ତି । ଏପରି ସ୍ଥିତିରେ ବିବାଦୀୟ ଟି୍ୱଟ୍ କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ତାଙ୍କ ମତରେ ଭାରତ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଖେଳୁ । କାରଣ ୧୯୯୯ କାର୍ଗିଲ୍ ଯୁଦ୍ଧ ପରେ ଭାରତ, ପାକିସ୍ତାନକୁ ଧୂଳି ଚଟେଇ ଥିଲା ।

ବିଶ୍ୱକପ୍ ସୂଚୀ ଅନୁସାରେ ଜୁନ୍ ୧୬ ରେ ରହିଛି ଭାରତ-ପାକିସ୍ତାନ ମ୍ୟାଚ୍ । ଓଲ୍ଡ ଟ୍ରଫୋର୍ଡରେ ହେବ ଟକ୍କର । ତେବେ ଏହି ଆଲୋଚନା ଓ ପର୍ଯ୍ୟାଲୋଚନା ଭିତରେ ଭାରତ-ପାକିସ୍ତାନ ମ୍ୟାଚର ଭାଗ୍ୟ କଣ ହେବ ତାହା ଦେଖିବା ବାକି ରହିଲା ।