ଭାରତୀୟ ବାୟୁସେନା ଆକ୍ରମଣରେ ୨୫ ଟପ୍ କମାଣ୍ଡର ନିହତ ! ସିସିଏକୁ ଜଣାଇଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ

294

କନକ ବ୍ୟୁରୋ : ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ମାଟିରେ ୪୦ କିଲୋମିଟର ଭିତରକୁ ପଶି ଆତଙ୍କବାଦୀ ଶିବିରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁ ସେନା । ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ସହ ୨୫ଜଣ କୁଖ୍ୟାତ ଆତଙ୍କବାଦୀକୁ ନିପାତ କରିଛି ଭାରତୀୟ ବାୟୁ ସେନା । ଏନେଇ କ୍ୟାବିନେଟ୍ ସୁରକ୍ଷା କମିଟିକୁ ସୂଚନା ଦେଇଛନ୍ତି ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ । ନିହତ ହୋଇଥିବା ଆତଙ୍କବାଦୀଙ୍କ ଭିତରେ ଜୈସ ମୁଖିଆ ମାସୁଦର ଭାଇ ଓ ନିକଟତମ ସମ୍ପର୍କୀୟ ଥିବା ଜଣାପଡିଛି । ନିହତ ହୋଇଥବା ୨୫ଜଣ ଆତଙ୍କବାଦୀ ଭାରତର ମୋଷ୍ଟ ୱାଣ୍ଟେଡ଼୍ ତାଲିକାରେ ରହିଥିଲେ । ଏମାନଙ୍କ ମଧ୍ୟରୁ କେତେଜଣ ୧୯୯୯ କାନ୍ଦହାର ବିମାନ ଅପହରଣ ମାମଲାରେ ସମ୍ପୃକ୍ତ ଥିଲେ । କୁହାଯାଉଛି ଏହି ଆକ୍ରମଣ ଦ୍ୱାରା ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସବୁଠାରୁ ବଡ କ୍ୟାମ୍ପକୁ ଧ୍ୱଂସ କରି ଦେଇଛି ଭାରତୀୟ ସେନା ।

ଗତ ୧୪ତାରିଖରେ କଶ୍ମୀରର ଅବନ୍ତିପୁରାରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଉ ଏକ ସ୍ୱରରେ ଏହି ଆକ୍ରମଣ ପାଇଁ ସମସ୍ତେ ପାକିସ୍ତାନକୁ ଦାୟୀ କରିଥିଲେ । ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦଳ ବଳ ନିର୍ବିଶେଷରେ ମତ ପ୍ରକାଶ ପାଇଥିଲା । ଆଉ ଦେଶର ଜନତାଙ୍କ ଆକ୍ରୋଶକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ । ସେନା ସୁବିଧା ସୁଯୋଗ ଦେଖି ଜବାବ ଦେବ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଏହି ଆକ୍ରମଣ ପରେ ପାକିସ୍ତାନରେ ହଲଚଲ ସୃଷ୍ଟି ହୋଇଛି ।