ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ ! ଜାଣନ୍ତୁ ଭାରତୀୟ ବାୟୁସୀମାରେ କେମିତି ଚାଲିଥିଲା ଘମାଘୋଟ୍ ଲଢେଇ, କେମିତି ପାକିସ୍ତାନୀ ବିମାନକୁ ଖସାଇଲା ଭାରତ ? 

328

କନକ ବ୍ୟୁରୋ : ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନୀ ଯୁଦ୍ଧ ବିମାନ ଆକ୍ରମଣକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରକୁ ରକେଟ୍ ମାଡ କରିବା ଲାଗି ଆସିଥିବା ପାକିସ୍ତାନୀ ବିମାନକୁ କେମିତି ତଡିଦେଲା ଭାରତ? ଆମେରିକାଠାରୁ ପାକିସ୍ତାନ ଉଧାର ନେଇଥିବା ଦୁର୍ଦ୍ଦଶ ଲଡୁଆ ବିମାନ ଏଫ-୧୬କୁ କେମିତି ଖସାଇ ଦେଲା ବାୟୁସେନା ? ଆଉ ପାକିସ୍ତାନୀ ଲଢୁଆ ବିମାନ କେମିତି ଗୋଟିଏ ମିଗ-୨୧ ବାଇସନକୁ ଖସାଇ ଦେବାରେ ସମର୍ଥ ହେଲା? ସେଦିନ ଭାରତୀୟ ବାୟୁସୀମାରେ କେମିତି ଚାଲିଥିବା ଘମାଘୋଟ୍ ଲଢେଇ, ତାକୁ ନେଇ ଦେଖିବା ଏହି ରିପୋର୍ଟ ।

୨୭ ଫେବ୍ରୁଆରୀ ୨୦୧୯ । ଦିନ ପ୍ରାୟ ୧୦ଟା ୨ ମିନିଟ୍ । ଭାରତୀୟ ବାୟୁସେନାର ବାରମ୍ବାର ଚେତାବନୀ ସତ୍ୱେ ଅଧିକ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬ । ଯାହାକୁ ମୁକାବିଲା କରିବା ଲାଗି ସାମ୍ନାରେ ଢାଲ ଭଳି ଛିଡା ହୋଇଥିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ମିଗ-୨୧ ବାଇସନ୍ ଲଢୁଆ ବିମାନରେ ପାକିସ୍ତାନୀ ଏଫ-୧୬ର ବାଟ ଓଗାଳିଥିଲେ ଅଭିନନ୍ଦନ । ଏତିକିବେଳେ ପାକିସ୍ତାନୀ ଏଫ-୧୬କୁ ସୁରକ୍ଷା ଦେବାଲାଗି ଭାରତୀୟ ବାୟୁସୀମାରେ ଅଳ୍ପ ପଛକୁ ରହିଥିଲା ଆଉ ଏକ ପାକିସ୍ତାନୀ ଲଢୁଆ ବିମାନ ଜେଏଫ-୧୭ । ସମାନ ଢଙ୍ଗରେ ଅଭିନନ୍ଦନ ଉଡାଉଥିବା ମିଗ-୨୧କୁ ପଛରୁ ରହି ସୁରକ୍ଷା ଦେଉଥିଲା ଭାରତୀୟ ଯୁଦ୍ଧ ବିମାନ ସ୍ରୁଖୋଇ-୩୦ । ହେଲେ ପାକିସ୍ତାନୀ ବିମାନର ଉଦ୍ଦେଶ୍ୟ ଥିଲା ସୀମାକୁ ଲାଗିରହିଥିବା ଆର୍ମି ବ୍ରିଗେଡ ହେଡକ୍ୱାର୍ଟରର ଏକ ତେଲ ଟାଙ୍କିକୁ ଉଡାଇ ଦେବା ।

ଏହାକୁ ଠଉରାଇ ସୁଖୋଇ-୩୦ ବିମାନ ଏହି ତେଲ ଟାଙ୍କିକୁ ସୁରକ୍ଷା ଦେବାଲାଗି ଜଗିରହିଲା । ଏବଂ ପାକିସ୍ତାନୀ ଏଫ-୧୬ ବିମାନକୁ ଚେଜ୍ କରି ପିଓକେ ବାୟୁସୀମାରେ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ଶତ୍ରୁ ପକ୍ଷର ବିମାନକୁ ଆକାଶରେ ମାରି ଉଡାଇ ଦେବାକୁ ନିଜ ଫାଇଟର ଜେଟରୁ ଲକ୍ କରିଥିଲେ ମାରାତ୍ମକ ମିଜାଇଲ ଆର-୭୩ । ଅର୍ଥାତ ଅଭିନନ୍ଦନଙ୍କ ବିମାନରେ ଥିବା ଏୟାର ଟୁ ଏୟାର ମିଜାଇଲ ପାକିସ୍ତାନୀ ଲଢୁଆ ବିମାନକୁ ଧ୍ୱଂଶ କରିଦେବାକୁ ପ୍ରସ୍ତୁତ ହୋଇସାରିଥିଲା । ଆଉ ଏତିକିବେଳେ ଅଭିନନ୍ଦନଙ୍କ ମିଗ-୨୧ ବାଇସନକୁ ବି ମିଜାଇଲରେ ଉଡାଇଦେବାକୁ ଲକ୍ କରିସାରିଥିଲା ଅଳ୍ପ ଦୂରରେ ଥିବା ଆଉ ଏକ ପାକିସ୍ତାନୀ ବିମାନ ଜେଏଫ-୧୭ । ବାସ ନିମିଶକ ଭିତରେ ଅଭିନନ୍ଦନଙ୍କ ବିମାନ ପାକିସ୍ତାନୀ ଏଫ-୧୬ ଓ ପାକିସ୍ତାନୀ ଜେଏଫ-୧୭ ମଧ୍ୟ ଅଭିନନ୍ଦନଙ୍କ ମିଗ-୨୧ ବାଇସନକୁ ହିଟ୍ କରିଥିଲା । ଆଉ ନିଜର ସୁରକ୍ଷା ପାଇଁ ପାରାଚ୍ୟୁଟରେ ତଳକୁ ଡେଇଁପଡିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ।