ଆକାଶପଥରେ କିଏ ଅଧିକ ଶକ୍ତିଶାଳୀ? ଭାରତ ଉପରେ ଆକ୍ରମଣ କରିବାର ଦୁଃସାହସ କଲେ ସାଂଘାତିକ ପରିଣାମ ଭୋଗିବ ପାକିସ୍ତାନ ।

271

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଯବାନଙ୍କୁ ପାକିସ୍ତାନ, ଫେରାଇଦେବା ପାଇଁ ଘୋଷଣା କରିବା ପରେ ବର୍ତମାନ ସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଛି । ହେଲେ ଯବାନ ଫେରି ଆସିବା ପରେ କ’ଣ ହେବ ଭାରତର ପରବର୍ତି ପଦେକ୍ଷପ । ପୂର୍ବଭଳି ଅଶାନ୍ତ ରହିବ କି ସୀମା? ଆଉ ଯଦି ସୀମାରେ ଭାରତ ଓ ପାକିସ୍ତାନ ଭିତରେ ଉତେଜନା ସ୍ଥିତି ଲାଗି ରୁହେ ଏବଂ ମୁହାଁମୁହିଁ ଭଳି ସ୍ଥିତି ସୃଷ୍ଟି ହୁଏ, ତେବେ କିଏ ରହିବ ଆଗରେ । ଜାଣନ୍ତୁ ବାୟୁସେନା କ୍ଷେତ୍ରରେ କିଏ ଆଗୁଆ ।

ନୀଳ ଆକାଶ ଚିରି ଶତ୍ରୁ ପକ୍ଷକୁ ଧୂଳିସାତ କରିବାରେ କେଉଁ ଦେଶ ଅଧିକ ସକ୍ଷମ । ଭାରତ ନା’ ପାକିସ୍ତାନ । ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତେଜନା ସ୍ଥିତି ଭିତରେ, ଯେତେବେଳେ ଗୋଟିଏ ପରେ ଗୋଟିଏ ଲଢ଼ୁଆ ବିମାନକୁ ଆକାଶରୁ ମାଟିକୁ ଖସାଇ ଦେବାର ଦାବି ହେଉଛି । ସେତେବେଳେ ବାୟୁସେନାର ଶକ୍ତିର ତୁଳନା ହେବା ହୁଏତ ନିହାତି ଆବଶ୍ୟକ ।

ଭାରତ ପାଖରେ ମୋଟ ବିମାନ ସଂଖ୍ୟା ୨୧୮୫ ଥିବା ବେଳେ ପାକିସ୍ତାନ ପାଖରେ ମୋଟ ବିମାନ ୧୨୮୧ ରହିଛି । ଭାରତ ପାଖରେ ୫୯୦ଟି ଲଢୁଆ ବିମାନ ଥିବା ବେଳେ ପାକିସ୍ତାନ ପାଖରେ ରହିଛି ୩୨୦ଟି ଲଢୁଆ ବିମାନ । ସେହିପରି ଭାରତରେ ୮୦୪ ଲଢୁଆ ଜେଟ ପାକିସ୍ତାନ ପାଖରେ ୪୧୦ଟି ଲଢୁଆ ଜେଟ ରହିଛି ।ଆଟାକ ଚପର ଭାରତ ପାଖରେ ୧୫ଟି ରହିଛି ଓ ପାକିସ୍ତାନ ପାଖରେ ୪୯ଟି ଆଟାକ ଚପର । ସେହିପରି ଭାରତ ପାଖରେ ୭୨୦ଟି ଓ ପାକିସ୍ତାନ ପାଖରେ ୩୨୮ ହେଲିକପ୍ଟର ଓ ଭାରତ ପାଖରେ ୭୦୮ ପରିବହନ ବିମାନ ଓ ପାକିସ୍ତାନ ପାଖରେ ୨୯୬ ପରିବହନ ବିମାନ ରହିଛି ।
ଆକାଶମାର୍ଗରେ ପାକିସ୍ତାନକୁ ଟକ୍କର ଦେବା କ୍ଷେତ୍ରରେ ଭାରତ ବହୁ ଆଗରେ ରହିଛି । ଲଢ଼ୁଆ ବିମାନଠୁ ଆରମ୍ଭ କରି ପରିବହନ ବିମାନ, ସବୁଠି କେଇପାଦ ଆଗୁଆର ରହିଛି ଭାରତ । ଆଉ ଏସବୁ ବାହାରେ ସ୍ଥଳସେନା ଏବଂ ନୌସେନାର ଶକ୍ତିରେ ବି ଶତ୍ରୁପକ୍ଷଠାରୁ ଖୁବ୍ ଆଗରେ ରହିଛି ଭାରତ । ତେଣୁ ଭାରତ ଉପରେ ଆକ୍ରମଣ କରିବାର ଦୁଃସାହସ ଯଦି ପାକିସ୍ତାନ କରେ ତେବେ ସାଂଘାତିକ ପରିଣାମ ଭୋଗିବାକୁ ପଡିବ । ଯାହା ପାକିସ୍ତାନ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବ ।