ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟ୍ୱେଣ୍ଟି-୨୦ ! ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି, ବଡ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ

195

ୱେଲିଂଟନରେ ସବୁଠାରୁ ବଡ଼ ଟ୍ବେଣ୍ଟି-୨୦ ପରାଜୟ ବରଣ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଆଜି ଅକଲାଣ୍ଡରେ ଶୃଙ୍ଖଳା ସମାନ ସ୍ତରକୁ ଆଣିବା ଲକ୍ଷ୍ୟରେ ଓହ୍ଲାଇବ। ତିନି ଟିକିଆ ଶୃଙ୍ଖଳାରେ ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ହେବ। ଅକଲାଣ୍ଡରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣି ନପାରିଲେ ଭାରତ ଶୃଙ୍ଖଳା ହାରିବ। ମହତ୍ବପୂର୍ଣ୍ଣ ମ୍ୟାଚରେ ଭାରତ ମଧ୍ୟ ତା’ ଚୂଡ଼ାନ୍ତ ଏକାଦଶରେ କିଛିଟା ଅଦଳ ବଦଳ କରିବାର ସମ୍ଭାବନା ଅଧିକ। କାରଣ ୱେଲିଂଟନରେ ୮ଜଣ ବ୍ୟାଟ୍ସମ୍ୟାନ୍ ଖେଳାଇବା ନିଷ୍ପତ୍ତି ଫସର ଫାଟି ଯାଇଥିଲା। ଦଳରେ ଥିବା ତିନି ଜଣ ୱିକେଟ୍‌ ରକ୍ଷକ ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି ଓ ଦୀନେଶ କାର୍ତିକଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ି ପାରନ୍ତି। ସେହିଭଳି ଜଣେ ଅଲରାଉଣ୍ଡର ମଧ୍ୟ ବେଞ୍ଚରେ ବସିବାର ଆଶଙ୍କା ଅଧିକ।

ଅକଲାଣ୍ଡରେ ଅଧିନାୟକ ରୋହିତ ଶର୍ମା ଦୁଇ ଜଣ ସ୍ପିନରକୁ ନେଇ ଖେଳିପାରନ୍ତି। ସେପଟେ ଦିନିକିଆ ଶୃଙ୍ଖଳାରେ ହାରିବା ପରେ ଘାଇଲା ବାଘ ଭଳି ମନେ ହେଉଥିବା ନ୍ୟୁଜିଲାଣ୍ଡ ଅକଲାଣ୍ଡ ବିଜୟ ସହ ଦିନିକିଆ ଶୃଙ୍ଖଳା ହାରିବା ପ୍ରତିଶୋଧ ନେବାର ଆଶାରେ ଓହ୍ଲାଇବ। ନ୍ୟୁଜିଲାଣ୍ଡ ଦଳରେ ସେମିତି କୌଣସି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ ।

ଅକଲାଣ୍ଡରେ ପ୍ରଥମ ବ୍ୟାଟିଂ ଭଲ: ୱେଲିଂଟନ୍ ପିଚ୍ ଭଳି ଅକଲାଣ୍ଡର ଇଡେନ୍ ପାର୍କ ପିଚକୁ ନେଇ ପୂର୍ବାନୁମାନ କରିବା ଅତ୍ୟନ୍ତ କଷ୍ଟକର। ତଥାପି ଏଠାରେ ପ୍ରଥମେ ବ୍ୟାଟିଂ କରିବା ଦଳର ବିଜୟ ପ୍ରତିଶତ ତୁଳନାତ୍ମକ ଭାବେ ଅଧିକ। ଏଠାରେ ୯ ଦଳ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଥିଲା ବେଳେ ୬ ଦଳ ଦ୍ବିତୀୟ ବ୍ୟାଟିଂ କରି ବିଜୟୀ ହୋଇଛନ୍ତି।

ଧୋନିଙ୍କ ଅଲୋଡା କୀର୍ତି
ୱେଲିଂଟନ୍‌: ୱେଲିଂଟନ୍‌ ଟ୍ବେଣ୍ଟି-୨୦ ମୁକାବିଲାରେ ବୁଧବାର ନ୍ୟୁଜିଲାଣ୍ଡ୍‌ ନିକଟରୁ ଭାରତ ୮୦ ରନରେ ହାରିଯାଇଥିଲା। ଏହି ମ୍ୟାଚରେ ୩୧ ବଲରୁ ୩୯ ରନ୍‌ କରିଥିବା ମହେନ୍ଦ୍ର ସିଂହ ଧୋନି ଭାରତ ପାଇଁ ସର୍ବାଧିକ ସ୍କୋରର୍‌ ଥିଲେ। ହେଲେ ୨୨୦ ରନ୍‌ ଲକ୍ଷ୍ୟକୁ ପିଛା କରିବା ଭାରତ ପାଇଁ ଧୋନିଙ୍କ ଅବଦାନ ଯଥେଷ୍ଟ ହୋଇନଥିଲା। ତେବେ ଧୋନି ଭାରତ ହାରିଥିବା ଏହି ମ୍ୟାଚରେ ଏକ ଅଲୋଡା କୀର୍ତି ପାଇଥିଲେ। ଏହି କୀର୍ତି ହେଲା, ପୁରୁଖା ୱିକେଟ୍‌ରକ୍ଷକ ଧୋନି ଭାରତ ପାଇଁ ଯେତେବେଳେ ବି ସର୍ବାଧିକ ସ୍କୋରର୍‌ ହୋଇଛନ୍ତି ସେତେବେଳେ ଭାରତ ସବୁ ମ୍ୟାଚ୍‌ ହାରିଛି। ୱେଲିଂଟନରେ ୮୦ ରନରେ ହାରିବା ମଧ୍ୟ ଭାରତର ସବୁଠୁ ବଡ଼ ପରାଜୟ ଥିଲା।