ଭାରତ ଓ ନେପାଳ ମଧ୍ୟରେ ହେଲା ୮ଟି ଚୁକ୍ତି ! ମୋଦି କହିଲେ, ଉଭୟ ଦେଶର ବନ୍ଧୁତା ହିମାଳୟ ପରି ପୁରୁଣା

49

ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଭାରତ ଗସ୍ତରେ ଆସିଛନ୍ତି । ଆଜି ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଉଭୟ ଦେଶ ମଧ୍ୟରେ ସଡ଼କ, ସୁରକ୍ଷା, ବିଜୁଳି, ପାଣି ସମ୍ପର୍କିତ ପାଖାପାଖିି ୮ ଟି ସନ୍ଧି ହୋଇଛି । ସୂଚନାଯୋଗ୍ୟ ନେପାଳରେ ଭାରତ ସହଯୋଗରେ ଅନେକ ପ୍ରକାର ବିକାଶ ମୂଳକ ଯୋଜନା ଚାଲୁଛି । ନେପାଳ ବିକାଶରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ମୋଦି କହିଛନ୍ତି, ଆମେ ଦୁଇ ଦେଶର ସମ୍ବନ୍ଧ ହିମାଳୟ ପରି ପୁରୁଣା ଓ ଶକ୍ତ ।

ମୋଦି କହିଛନ୍ତି, ଭୂମିକମ୍ପ ପରେ ଭାରତ ନେପାଳର ସାହଯ୍ୟ କରିଥିଲା । ଆମେ ଏହି ସାହଯ୍ୟକୁ ଆଉ ଅଧିକ ବଢ଼ାଇବା ପାଇଁ ଚାହୁଁଛୁ । ଉଭୟ ଦେଶର ସୁରକ୍ଷା ପାଇଁ ଜଣେ ଜଣଙ୍କ ଉପରେ ନିର୍ଭରଶୀଳ । ଏହାସହ ମୋଦି କହିଛନ୍ତି ଆମେ ମିଶି ବିଜୁଳି, ସଡ଼କ, ପାଣି ଆଦି କ୍ଷେତ୍ରର ବିକାଶ ଦିଗରେ କାମ କରୁଛୁ । ଏହା ପୂର୍ବରୁ ଗତକାଲି ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା ମେକ ଇନ ଇଣ୍ଡିଆ ଅଭିଯାନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ନେପାଳକୁ ମଧ୍ୟ ମେକଇନ ଇଣ୍ଡିଆ ଯୋଗୁଁ ସାହାଯ୍ୟ ମିଳିବ । ଏହାସହ ରୋଜଗାର କ୍ଷେତ୍ର ମଧ୍ୟ ପ୍ରସାରିତ ହେବ ।

ସୂଚନାଯୋଗ୍ୟ ଡୋକଲାମ ବିବାଦ ମଧ୍ୟରେ କୂଟନୈତିକ ଚାଲ ଚଳେଇ ନେପାଳକୁ ମୋହରା କରିବାକୁ ଚେଷ୍ଟା କରିଥିଲା ଚୀନ । ସିକିମ ସୀମାରେ ଡ୍ରାଗନ୍ ସେନାର ଦାଦାଗିରିକୁ ଭାରତ ବେଖାତିର କରିବା ପରେ ଏପରି ଚାଲ ଖେଳିଥିଲା ଚୀନ । ଡୋକଲାମ ବିବାଦ ପ୍ରସଙ୍ଗରେ କାଠମାଣ୍ଡୁ ସହ ଆଲୋଚନା କରିଥିଲା ଚୀନ୍ ପ୍ରଶାସନ । ଭାରତ, ଚୀନ୍ ଓ ନେପାଳ ମଧ୍ୟରେ ଥିବା ଟ୍ରାଇ ଜଂକସନ୍ ନେଇ ନେପାଳ ସହ ଚୀନ୍ ଆଲୋଚନା ଆରମ୍ଭ କରିଥିଲା । ଏହାସହ ନେପାଳକୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା ଚୀନ । ତେବେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତରୁ ଲାଗୁଛି ଭାରତ ଓ ନେପାଳର ପୁରୁଣା ବନ୍ଧୁତ୍ୱକୁ ଚୀନ ଚାହିଁଲେ ମଧ୍ୟ ଭାଙ୍ଗି ପାରିବ ନାହିଁ ।