ବାଲାକୋଟରେ ହଲଚଲ୍: ଏୟାରଷ୍ଟ୍ରାଇକ ପରେ ବାଲାକୋଟରେ ପୁଣି ସକ୍ରିୟ ଆତଙ୍କୀ କ୍ୟାମ୍ପ; ଜେହାଦୀଙ୍କୁ ତାଲିମ ଦେଉଛି ଜୈଶ-ଇ-ମହମ୍ମଦ

ସାଟେଲାଇଟ୍ ଇମେଜରୁ ସାମ୍ନାକୁ ଆସିଲା ଚିତ୍ର; ଅନୁପ୍ରବେଶ ଅପେକ୍ଷାରେ ଶତାଧିକ ଆତଙ୍କୀ

295

କନକ ବ୍ୟୁରୋ: ବାଲାକୋଟ୍ ଏୟାର ଷ୍ଟ୍ରାଇକରେ ନଷ୍ଟ ହୋଇଥିବା ଆତଙ୍କୀ କ୍ୟାମ୍ପ ପୁଣି ଜୀବିତ ହୋଇଛି । ଅନ୍ତର୍ଜାତୀୟ ସୀମା ରେଖା ନିକଟରେ ବାଲାକୋଟରେ ଯେଉଁ ସବୁ ଆତଙ୍କୀ କ୍ୟାମ୍ପକୁ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ନଷ୍ଟ କରିଦେଇଥିଲା ପାକିସ୍ତାନ ସେ ସବୁ କ୍ୟାମ୍ପକୁ ଏବେ ପୁଣି ଥରେ ଜୀବିତ କରିଦେଇଛି । ସାଟେଲାଇଟ୍ ଇମେଜରୁ ଏହା ପୁଣି ଥରେ ଧରାପଡିଛି । ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପରେ ବିଳିବିଳୋଉ ଥିବା ପାକିସ୍ତାନ ଜାମ୍ମୁକାଶ୍ମୀରରେ ପୁଣି ଥରେ ଅସ୍ଥିରତା ସୃଷ୍ଟି କରିବାକୁ ଆତଙ୍କୀ କ୍ୟାମ୍ପକୁ ଜୀବିତ କରିଦେଇଛି ।

ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ହୋଇଥିଲା ଗତ ଫେବ୍ରୁଆରୀ ୨୬ ତାରିଖରେ । ସେତେବେଳେ ପାକିସ୍ତାନ ଏହାକୁ ପ୍ରଥମେ ଅସ୍ୱୀକାର କରିଥିଲା । ହେଲେ ଏହି ଆକ୍ରମଣର ୭ ମାସ ପରେ ଏହି କ୍ୟାମ୍ପ ସବୁ ପୁଣି କାମ କରିବା ଆରମ୍ଭ କରିଦେଇଛି । ଏହି ସବୁ କ୍ୟାମ୍ପ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ବୋଲି ଗୁଇନ୍ଦା ସୂଚନା ମିଳିଛି । ଏହି କ୍ୟାମ୍ପରେ ୪୦ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପ୍ରସ୍ତୁତ୍ କରୁଛି ଜୈସ୍ । ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦କୁ ଉଛେଦ କରିଦେଲେ ଭାରତ ସରକାର । ସେପଟେ ସୀମା ଆରପଟେ ଇସଲାମାବାଦ୍ ଠିକ୍ ସେହି ଦିନ ସେହିଦିନ ଜୈସ୍ ଇ ମହମ୍ମଦର ଅପରେସନ୍ ଦାୟିତ୍ୱରେ ଥିବା କମାଣ୍ଡର ମୁଫତି ଅବଦୁଲ୍ ରୌଫ୍ ଅସଗର , ପାକ୍ ଆଇଏସଆଇ ମୁଖିଆଙ୍କୁ ସାକ୍ଷାତ କରିଥିଲା । ଏହା ପରେ ପାକିସ୍ତାନ ତା ମାଟିରେ ଆତଙ୍କବାଦୀ ସଂଗଠନ ଉପରେ ରହିଥିବା ପ୍ରତିବନ୍ଧକକୁ ବି କୋହଳ କରିଦେଇଛି । ଗତ ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନର ମାନସେରାରେ ରହିଥିବା ବାଲାକୋଟର ମାରକାଜ୍ ସଇଦ୍ ଅହମ୍ମଦ ସାହିଦ୍ ଫାସିଲିଟି ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଇଣ୍ଡିଆନ୍ ଏୟାର ଫୋର୍ସ ।

ତେବେ ମିଳିଥିବା ସୂଚନା ଅନୁସାରେ କେବଳ ଜାମ୍ମୁକାଶ୍ମୀର ନୁହଁ ଜୈସ୍ ଏ ମହମ୍ମଦ ଗୁଜରାଟ ଓ ମହାରାଷ୍ଟ୍ରରେ ବି ଆକ୍ରମଣ କରିପାରେ । ଏଥିରେ କାଶ୍ମୀର ମାଟିରେ ଥିବା ଆତଙ୍କବାଦୀଙ୍କୁ ବ୍ୟବହାର କରିବାକୁ ଯୋଜନା କରୁଛି ପାକିସ୍ତାନ । ସେପଟେ ଜୀବିତ ହୋଇଥିବା କ୍ୟାମ୍ପରେ ଆତଙ୍କବାଦୀଙ୍କ ପାଇଁ ଦୌରା ଟର୍ବିଆ ନାଁରେ ଟ୍ରେନିଂ କୋର୍ସ ଆରମ୍ଭ କରିଛି ଜୈସ୍ ଇ ମହମ୍ମଦ । ଯେଉଁଥିରେ ଥରକରେ ୫୦ ଆତଙ୍କୀଙ୍କୁ ଟ୍ରେନିଂ ଦିଆଯାଇ ଜେହାଦୀ ପାଇଁ ପ୍ରସ୍ତୁତ କରାଯାଉଛି । ବାହାବଳପୁର ଏବଂ ଖାଇବରପସ୍ତୁନ ଅଂଚଳର ଚାରସାଦା, ମାରଦାନ ଏବଂ ସ୍ୱାବୀ ଅଂଚଳରେ ବି ଜୈସ୍ ତାହାର ଟେରର କ୍ୟାମ୍ପକୁ ପୁଣି ଆରମ୍ଭ କରିଦେଇଥିବା ଜଣାପଡିଛି । ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ପୁନଛ୍ ଏବଂ ରାଜୌରୀ ଅଂଚଳରେ ଅନୁପ୍ରବେଶ କରିବାକୁ ସୀମା ଆରପଟେ ପାକିସ୍ତାନର ଟେରର ଲଂଚ ପ୍ୟାଡରେ ୧୦୦ ଆତଙ୍କୀ ସୁଯୋଗ ଅପେକ୍ଷାରେ ଅଛନ୍ତି । ଏସବୁ ସୂଚନା ମିଳିବା ପରେ ସୀମାରେ ହାଇଆଲର୍ଟରେ ରହିଛି ଭାରତୀୟ ସେନା ।