ଭାରତ-ପାକିସ୍ତାନ ମଧ୍ୟରେ ହେବନି ୨୦୧୯ ବିଶ୍ୱକପର ପ୍ରଥମ ମ୍ୟାଚ । ତେବେ କାହା ବିପକ୍ଷରେ କେବେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ, ଜାଣନ୍ତୁ ।

58

ଆଗାମୀ ବର୍ଷ ମେ ୩୦ରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ । ମେ ୩୦ରୁ ଜୁନ ୧୪ ପର୍ଯ୍ୟନ୍ତ ଖେଳାଯିବ ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ବିରାଟଙ୍କ ନେତୃତ୍ୱରେ ଭାରତ ଆଉ ଏକ ଟାଇଟଲ ହାସଲ କରୁ ଏହା ପ୍ରତ୍ୟେକ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଇଚ୍ଛା । ତେବେ କ୍ରିକେଟ ବିଶ୍ୱକପକୁ ଆଉ ଗୋଟିଏ ବର୍ଷ ବାକି ଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ ଖବର । ଭାରତ ଜୁନ ୨ ପରିବର୍ତ୍ତେ ୫ ତାରିଖରେ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ସୁବଠୁ ବଡ କଥା ହେଲା ଭାରତ ତାର ଅଭିଯାନ ପାକିସ୍ତାନ ପରିବର୍ତ୍ତେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ ।

ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚରେ ବାଧକ ସାଜିଛି ଆଇପିଏଲ । ବସିସିଆଇର ଲୋଧା କମିଟିର ସୁପାରିଶ ଅନୁଯାୟୀ, ଆଇପିଏଲ ଓ ଅର୍ନ୍ତଜାତୀୟ କ୍ରିକେଟ ମ୍ୟାଚ ମଧ୍ୟରେ ୧୫ ଦିନ ଅନ୍ତର ରହିବା ଅନିବାର୍ଯ୍ୟ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଅଧିକାରୀ ଓ ଆଇସିସି ଅଧିକାରୀଙ୍କ ମଧ୍ୟରେ ଆଜି କୋଲକାତରେ ଏକ ବୈଠକରେ ଏ ସର୍ମ୍ପକରେ ଆଲୋଚନା ହୋଇଛି ।

ବିସିସିଆଇର ଏକ ବରିଷ୍ଠ ଅଧିକାରୀ ନିଜ ନାଁ ଗୋପନ ରଖିବା ସର୍ତରେ କହିଛନ୍ତି, ଆଗାମୀ ବର୍ଷ ମାର୍ଚ୍ଚ ୨୯ରୁ ମେ ୧୯ ମଧ୍ୟରେ ଆଇପିଏଲ ଖେଳାଯିବ । ସେହିଭଳି କ୍ରିକେଟ ବିଶ୍ୱକପ ମେ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏହାସହ ଭାରତର ପ୍ରଥମ ମ୍ୟାଚ ଜୁନ୍ ୨ ତାରିଖରେ ଖେଳାଯିବାକୁ ଥିଲା । କିନ୍ତୁ ଆଇପିଏଲ ଓ ଅର୍ନ୍ତଜାତୀୟ ମ୍ୟାଚ ମଧ୍ୟରେ ୧୫ ଦିନ ଅନ୍ତର ରହୁନାହିଁ ତେଣୁ ୨ ପରିବର୍ତ୍ତେ ୫ ତାରିଖରେ ଖେଳିବ ଭାରତ ।ସେହିଭଳି ପାକିସ୍ତାନ ବିପକ୍ଷରେ ଭାରତ ଜୁନ ୧୬ରେ ମ୍ୟାଚ ଖେଳିବ ।

ସବୁଠୁ ବଡ କଥା ହେଲା, ଆଇସିସିର ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଭାରତ- ପାକିସ୍ତାନ ମଧ୍ୟରେ ପ୍ରଥମ ମୁକାବିଲା ଦେଖିବାକୁ ମିଳିଥାଏ । କାରଣ ଏହି ହାଇଭୋଲଟେଜ ମୁକାବିଲା ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ମଧ୍ୟ ୨୦୧୫ରେ ଅଷ୍ଟ୍ରେଲିଆରେ ହୋଇଥିବା ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ପ୍ରଥମ ଲଢେଇ ଦେଖିବାକୁ ମିଳିଥିଲା ।  ୟୁନାଇଟେଡ କିଙ୍ଗଡମରେ ୨୦୧୯ରେ ଖେଳାଯିବାକୁ ଥିବା ବିଶ୍ୱକପ କ୍ରିକେଟ ନୂଆ ରୂପରେ ଦେଖିବାକୁ ମିଳିବ । ୧୯୯୨ ବିଶ୍ୱକପ ଭଳି ରାଉଣ୍ଡ ରବିନ ପର୍ଯ୍ୟାୟରେ ମ୍ୟାଚ ଗୁଡିକ ଖେଳାଯିବ । ଏହାଦ୍ୱାରା ପ୍ରତ୍ୟେକ ଟିମ ଅନ୍ୟ ୯ଟି ଟିମ୍ ସହ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଆଉ ଏଥିମଧ୍ୟରେ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବେ ।