ଭାରତ ହେବ ବିଶ୍ୱର ତୃତୀୟ ବୃହତ ଆର୍ଥିକ ଶକ୍ତି

21

gdpକନକ ବ୍ୟୁରୋ : ଭାରତର ଡିଜିପି ଅଭିବୃଦ୍ଧି ଦରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଗାମୀ ୧୦ ବର୍ଷ ଭିତରେ ଭାରତ ବିଶ୍ୱର ତୃତୀୟ ଆର୍ଥିକ ମହାଶକ୍ତି ହେବ ବୋଲି ଆକଳନ କରିଛି ଏଚଏସବିସି । ବିଶ୍ୱ ଅର୍ଥନୀତି ଉପରେ କାର୍ଯ୍ୟ କରୁଥିବା ଆନ୍ତର୍ଜାତୀକ ବିତ୍ତୀୟ ସଂସ୍ଥା ଏଚଏସବିସି (ହଙ୍ଗକଙ୍ଗ ଆଣ୍ଡ ସାଂଘାଇ ବ୍ୟାଙ୍କିଙ୍ଗ କର୍ପୋରେସନ ଲିମିଟେଡ ) ତାର ରିପୋର୍ଟରେ ଭାରତର ଅର୍ଥନୀତି ଆଗାମୀ ୧୦ ବର୍ଷ ଭିତରେ ଦୃତ ଅଭିବୃଦ୍ଧି କରିବ ବୋଲି ଭବିଷ୍ୟବାଣୀ କରିଛି ।

hsbcଅନେକ ଅର୍ଥଶାସ୍ତ୍ରୀ ଭାରତର ଅର୍ଥନୀତିକୁ ନେଇ ନାନା ମତ ପ୍ରକାଶ କରୁଥିବା ବେଳେ ଏଚଏସବିସି ତାର ରିପୋର୍ଟରେ କହିଛି ଭାରତର ବଜାର ଏବେ ଯେଉଁ ବିକାଶସ୍ତରରେ ଗତି କରୁଛି ତାହା ଆଗାମୀ ଦଶକରେ ଦୃତ ଅଭିବୃଦ୍ଧିର ଶୀଖରସ୍ତରକୁ ଛୁଇଁବ । ଏପରିକି ଜର୍ମାନ ଓ ଜାପାନକୁ ପଛରେ ପକାଇଦେଇ ଭାରତ ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନ ଦଖଲ କରିବ । ଏବେ ଆମେରିକା ଏକ ନମ୍ବର ଆର୍ଥିକ ମହାଶକ୍ତି ଥିବାବେଳେ ଦ୍ୱିତୀୟରେ ଚାଇନା ଏବଂ ତୃତୀୟରେ ଜାପାନ ରହିଛନ୍ତି । ବିଶ୍ୱର ଅର୍ଥନୀତି ହାରକୁ ଦେଖିଲେ ଅଭିବୃଦ୍ଧି ହାର ବିଶ୍ୱସ୍ତରରେ ୩ ପ୍ରତିଶତ ହାରରେ ଗତି କରୁଥିବା ବେଳେ ଭାରତର ଅଭିବୃଦ୍ଧି ହାର ଗତବର୍ଷ ୭.୧ ପ୍ରତିଶତ ଥିଲା । ତେବେ ନରେନ୍ଦ୍ର ମୋଦିଙ୍କ ସରକାର ବିମୁଦ୍ରାୟନ ଏବଂ ଜିଏସଟି ଲାଗୁ କରିବା ପରେ ଗତ ତ୍ରୈମାସିକ ଅଭିବୃଦ୍ଧି ହାର କମିଯାଇ ୫.୭ ପ୍ରତିଶତ ରହିଥିଲା । ତେବେ ଏହି ଆକଳନକୁ ନେଇ ଏଚଏସବିସି ତାର ରିପୋର୍ଟରେ କହିଛି ୨୦୧୭-୧୮ ଏବଂ ୨୦୧୮-୧୯ ରେ ଭାରତ ତାର ଅର୍ଥନୀତିର ପୂର୍ବ ଟ୍ରାକକୁ ପୁଣି ଫେରିଆସିବ ।

ଏ ବର୍ଷ ଶେଷକୁ ଭାରତର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଅନୁମାନ କରିଛି ଏଚଏସବିସି । ଆକଳନ ଅନୁସାରେ ଭାରତର ଅଭିବୃଦ୍ଧି ୨୦୧୮-୧୯ରେ ୭.୦ ପ୍ରତିଶତ ଏବଂ ୨୦୧୯-୨୦ରେ ୭.୬ ପ୍ରତିଶତକୁ ଛୁଇଁବ । ଭାରତରେ ସାମାଜିକ ପୁଂଜି ପର୍ଯ୍ୟାପ୍ତ ମାତ୍ରାରେ ଥିବାରୁ ଭାରତର ଦ୍ରୁତ ଅଭିବୃଦ୍ଧି ଘଟିବ ବୋଲି ଯୁକ୍ତି ରଖିଛି ଏଚଏସବିସି । ଏପରିକି ପୂର୍ବରୁ ଆନ୍ତର୍ଜାତୀକ ବିତ୍ତିୟ ସଂସ୍ଥା ମୋର୍ଗାନ ଷ୍ଟେନଲି ମଧ୍ୟ ତାର ରିପୋର୍ଟ ଅନୁସାରେ ଭାରତ ଆଗାମୀ ଦଶକରେ ଦ୍ରୁତ ଅଭିବୃଦ୍ଧି ହାସଲ କରି ବିଶ୍ୱରେ ତୃତୀୟ ଆର୍ଥିକ ମହାଶକ୍ତି ହେବ ବୋଲି ଭବିଷ୍ୟବାଣୀ କରିଥିଲା । ଭାରତର ସମୁଦାୟ ମୋଟ ଘରୋଇ ଉତ୍ପାଦନ ବା ଜିଡିପି ୬ ଟ୍ରିଲିୟନ ଡଲାର ଆଗାମୀ ଦଶକରେ ହେବ ବୋଲି କହିଥିଲା ମୋର୍ଗାନ ଷ୍ଟେନଲି ରିପୋର୍ଟ ।