ବିଜୟ ହାତଛଡା କଲା ଭାରତ ! ବର୍ମିଂହାମରେ ତୁଟିଲା ଜିତିବା ସ୍ୱପ୍ନ, ଇଂଲଣ୍ଡ ଠାରୁ ୩୧ ରନରେ ପରାସ୍ତ ହେଲା ଟିମ୍ ଇଣ୍ଡିଆ ।

33

ଭାରତ ୧୯୪ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିବା ବେଳେ ସମସ୍ତ ଓ୍ଵିକେଟ୍ ହରାଇ ୧୬୨ ରନ୍ରେ ଅଲ ଆଉଟ୍ ହୋଇଯାଇଛି । ଫଳରେ ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ୩୧ ରନରେ ଜିତିବା ସହିତ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ଲାଭ କରିଛି ।

ଚତୁର୍ଥ ଦିନରେ ଭାରତ ୫/୧୧୦ ରନରୁ ବ୍ୟାଟିଂ କରିଥିବା ବେଳେ ମାତ୍ର ୫୨ ରନରେ ଶେଷ ୫ଟି ଓ୍ଵିକେଟକୁ ହରାଇଥିଲା । କୋହଲି ଆଜି ୮ ରନ୍ ଓ ଦିନେଶ କାର୍ତ୍ତିକ ୨ ରନ୍ କରି ଆଉଟ୍ ହେବା ପରେ ଭାରତ ଏକ ପ୍ରକାର ପରାଜିତ ହେବ ବୋଲି ସ୍ପଷ୍ଟ ହୋଇଯାଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ଚୌକା ସହାୟତାରେ ୩୧ ରନ୍ ଯୋଡ଼ି ଦଳକୁ ବିଜୟ ଦେବାର ଆଶା ରଖିଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ପୂରା ହୋଇ ପାରି ନାହିଁ । ମହମ୍ମଦ ସାମି କୌଣସି ରନ୍ ନକରି ଫେରିଥିବା ବେଳେ ଈଶାନ୍ତ ଶର୍ମା ୧୧ ରନ୍ ସଂଗ୍ରହ କରିଥିଲେ । ଶେଷ ବ୍ୟାଟସମ୍ୟାନ ଉମେଶ ଯାଦବ ୮ଟି ବଲ ସମ୍ମୁଖୀନ ହୋଇ କୌଣସି ରନ୍ କରି ନଥିଲେ ।

ଭାରତ ୧୧୨ ରନରେ କାର୍ତ୍ତିକଙ୍କୁ ହରାଇଥିଲା । ସେହିଭଳି ୧୪୧ ରନରେ କୋହଲି ଓ ମହମ୍ମଦ ସାମିଙ୍କୁ ହରାଇବା ପରେ ଇଂଲଣ୍ଡର ମନୋବଳ ବଢ଼ି ଯାଇଥିଲା । ୧୫୪ ରନରେ ଈଶାନ୍ତ ଶର୍ମା ଆଉଟ୍ ହୋଇଥିଲେ । ୩ୟ ଦିନ ଶୁକ୍ରବାର ଓପନର ମୁରଲି ବିଜୟ ୬ ରନ୍, ଶିଖର ଧାଓ୍ଵନ୍ ୧୩ ରନ୍, ଲୋକେଶ ରାହୁଲ ୧୩ ରନ୍, ଆଜିଙ୍କ୍ୟ ରାହାଣେ ୨ ରନ୍, ରବିଚନ୍ଦ୍ରନ ଅଶ୍ୱିନ ୧୩ ରନ୍ ସଂଗ୍ରହ କରି ଆଉଟ୍ ହେବା ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଚାପ ପଡ଼ିଥିଲା । ଭାରତ ୧୯ ରନ୍ରେ ମୁରଲି ବିଜୟ, ୨୨ ରନରେ ଧାଓ୍ଵନ, ୪୬ ରନରେ ଲୋକେଶ ରାହୁଲ, ୬୩ ରନରେ ଆଜିଙ୍କ୍ୟ ରାହାଣେ ଓ ୭୮ ରନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହରାଇ ଥିଲା ।