ପରାଜୟରୁ ଦିନିକିଆ ଅଭିଯାନ ଆରମ୍ଭ କଲା ଭାରତ ! ସିଡନୀରେ ବିରାଟ ବାହିନୀକୁ ୩୪ ରନରେ ମାତ୍ ଦେଲା ଅଷ୍ଟ୍ରେଲିଆ ।

193

କନକ ବ୍ୟୁରୋ : ପ୍ରଥମ ଦିନିକିଆରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଦିନିକିଆ ସିରିଜ ଆରମ୍ଭ ହୋଇଥିବା ବେଳେ, ପରାଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ସିଡନୀ କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୩୪ ରନରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୮୯ ରନ ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତୀୟ ଦଳ ୩୦ ଓଭରରେ ୯ ଓ୍ୱିକେଟ ହରାଇ ୨୫୪ ରନ କରିବାକୁ ସକ୍ଷମ ହୋଇଥିଲା ।

ଦଳପକ୍ଷରୁ ରୋହିତ ଶର୍ମା ଚିତ୍ତାକର୍ଷକ ୧୩୩ ରନ ଓ ଧୋନି ୫୧ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ । ଦଳର ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରିନଥିଲେ । ନିଜ ଇନିଂସ ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିବା ବେଳେ ଭାରତର ତିନି ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ, ଅଧିନାୟକ ବିରାଟ କୋହଲି ଓ ରାଇଡୁ ପାଭିଲିୟନ ଫେରି ଆସି ଭାରତର ସ୍ଥିତି ଦୟନୀୟ କରି ଦେଇଥିଲେ।

ତେବେ ଓପନର ରୋହିତ ଶର୍ମାଙ୍କ ସହିତ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନୀ କ୍ରିଜରେ ରହି ଭାରତର ସ୍ଥିତି ସମ୍ଭାଳିଥିଲେ । ରୋହିତ ଶର୍ମା ୧୨୯ ଟି ବଲର ମୁକାବିଲା କରି ୬ଟି ଛକା ଓ ୧୦ ଟି ଚୌକା ସହିତ ଶତକ ହାସଲ କରିଛନ୍ତି। ରୋହିତଙ୍କୁ ଭରପୂର ସହଯୋଗ ଦେଇଥିଲେ ଅଭିଜ୍ଞ ଧୋନୀ। ଧୋନୀ ମଧ୍ୟ ଗୋଟିଏ ଛକା ଓ ୩ଟି ଚୌକା ସହିତ ୫୧ ରନ୍ କରି ବେହେରେନଡଫଙ୍କ ଦ୍ୱାରା ଆଉଟ ହୋଇ ପାଭଲିଆନ୍ ଫେରିଥିଲେ। ଶେଷବେଳକୁ ଭୁବନେଶ୍ବର କୁମାର ୨୩ ବଲ ଖେଳି ୨୯ ରନ ସଂଗ୍ରହ କରିଥିଲେ ।