ମହିଳା ବିଶ୍ୱକପ୍ ଫାଇନାଲ ! ଚାପକୁ ସମ୍ଭାଳି ପାରିଲା ନି ଟିମ୍ ଇଣ୍ଡିଆ, ମାତ୍ର ୯ ରନରେ ଜିତି ଚାମ୍ପିଅନ ହେଲା ଇଂଲଣ୍ଡ

61

କନକ ବ୍ୟୁରୋ : ଅଳ୍ପକେ ବିଶ୍ୱକପ୍‌ ହାତଛଡା କଲା ଟିମ୍ ଇଣ୍ଡିଆ । ପୁଣି ଥରେ ରନର୍ସ ଅପରେ ସନ୍ତୁଷ୍ଟ ହେଲା ଭାରତୀୟ ମହିଳା କ୍ରିକେଟ ଦଳ । ଐତିହାସିକ ଲଡ଼ର୍ସ ପଡ଼ିଆରେ ମିତାଲି ରାଜଙ୍କ ଦଳର ବିଶ୍ୱକପ୍‌ ବିଜୟ ସ୍ୱପ୍ନ ଅଧୁରା ରହିଗଲା । ଭାରତ ସମ୍ମୁଖରେ ୨୨୯ ରନ୍‌ ବିଜୟ ଲକ୍ଷ୍ୟ ଥିଲା । ହେଲେ ଭାରତ ୨୧୯ ରନ୍‌ରେ ଅଟକିଗଲା । ଏଥି ସହିତ ଭାରତ ଦ୍ୱିତୀୟ ଥର ପାଇଁ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା ବେଳେ ଇଂଲଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱ ବିଜେତା ହୋଇଗଲା ।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପାଇଁ ଲୌରା ଓ୍ଵିନଫିଲଡ ଏବଂ ଟମି ବିଉମଣ୍ଟ ୧୧ ଓଭରରେ ୪୭ ରନ୍‌ ଉଠାଇଥିଲେ । ଭାରତୀୟ ସ୍ପିନର୍‌ ରାଜଶ୍ରୀ ଗାଏକ୍ୱାଡ୍‌ କିନ୍ତୁ ଦ୍ୱାଦଶ ଓଭର ପ୍ରଥମ ବଲରେ ଓ୍ଵିନଫିଲଡ (୨୪, ୩୫ ବଲ୍‌, ୪ ଚୌକା)ଙ୍କୁ ବୋଲଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ପ୍ରଥମ ପରିବର୍ତ୍ତନରେ ଆସିଥିବା ରାଜଶ୍ରୀ ପ୍ରଥମ ଓ୍ଵିକେଟ୍‌ ଦେବା ପରେ ଟମି ବିଉମଣ୍ଟ୍‌ (୨୩, ୩୭ ବଲ୍‌, ୫ ଚୌକା)ଙ୍କୁ ଝୁଲନ୍‌ ଗୋସ୍ୱାମୀଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ ପୁନମ ଯାଦବ । ଅଧିନାୟିକା ହିଦର୍‌ ନାଇଟ୍‌ (୧, ୭ ବଲ୍‌)ଙ୍କୁ ପୁନମ ଦ୍ୱିତୀୟ ଶିକାର କରି ଇଂଲଣ୍ଡକୁ ସବୁଠାରୁ ବଡ଼ ଝଟ୍‌କା ଦେଇଥିଲେ । ୬୩ ରନରେ ଇଂଲଣ୍ଡ ୩ ଓ୍ଵିକେଟ୍‌ ହରାଇବା ପରେ ସଂଘର୍ଷ କରିଥିଲା ।

ସପ୍ତଦଶ ଓଭର ବେଳକୁ ୩ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଘରୋଇ ଇଂଲଣ୍ଡକୁ କିନ୍ତୁ ଉଦ୍ଧାର କରିଥିଲେ ଅଭିଜ୍ଞ ଓ୍ଵିକେଟ ରକ୍ଷକ ସାରା ଟେଲର୍‌ ଏବଂ ନାଟ୍‌ ସିଭର୍‌ । ୧୬.୩ ଓଭରରେ ଏହି ଯୋଡ଼ି ୮୩ ରନ୍‌ ଯୋଡ଼ି ନେବାରୁ ଇଂଲଣ୍ଡ ଭଲ ସ୍ଥିତିରେ ପହଞ୍ଚିଯାଇଥିଲା । ଉଭୟଙ୍କୁ ଝୁଲଣ ଗୋସ୍ୱାମୀ ଆଉଟ୍‌ କରିଦେବାରୁ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା । ସିଭର୍‌ ଲେଗ୍‌ ବିଫୋର ଓ୍ଵିକେଟ୍‌ ଘୋଷିତ ହେବା ପୂର୍ବରୁ ଚଳିତ ବିଶ୍ୱକପ୍‌ରେ ନିଜର ତୃତୀୟ ଅର୍ଧଶତକ (୫୧, ୬୮ ବଲ୍‌, ୫ ଚୌକା) ହାସଲ କରି ନେଇଥିଲେ । ଟେଲର୍‌ (୪୫, ୬୨ ବଲ୍‌) କିନ୍ତୁ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ।

ଇଂଲଣ୍ଡ ପାଳିକୁ ଟେଲର୍‌-ସିଭର୍‌ ଯୋଡ଼ି ସମ୍ଭାଳିଦେବା ପରେ ଭାରତର ସବୁଠାରୁ ଅଭିଜ୍ଞ ବୋଲର୍‌ ତଥା ପୂର୍ବତନ ଅଧିନାୟିକା ଝୁଲଣ ଗୋସ୍ୱାମୀଙ୍କ ଜମାଣିଆ ପ୍ରଦର୍ଶନ ଭାରତକୁ ମ୍ୟାଚ୍‌କୁ ଲେଉଟାଣୀ ବାଟ ଦେଖାଇଥିଲା । ନିଜର ଚତୁର୍ଥ ବିଶ୍ୱକପ୍‌ ଖେଳୁଥିବା ବେଙ୍ଗଲୀ ଝିଅ ଝୁଲଣଙ୍କ ଦୁଇଟି ସ୍ପେଲ୍‌ରେ ନିଜ ଚମତ୍କାରିତା ଦେଖାଇ ପ୍ରଶଂସନୀୟ ବୋଲିଂ ଚିତ୍ର (୧୦-୩-୨୩-୩) ପାଇଥିଲେ । ନୂଆ ବଲ୍‌ରେ ସେ ପ୍ରଭାବୀ ରହିଥିଲେ (୫-୨-୯-୦) ମଧ୍ୟ ଓ୍ଵିକେଟ୍‌ ଶୂନ୍ୟ ଥିଲେ ।

କିନ୍ତୁ ଭାରତକୁ ଆବଶ୍ୟକ ବେଳେ ଓ୍ଵିକେଟ୍‌ ଦେବା ସହିତ ଦ୍ୱିତୀୟ ସ୍ପେଲରେ ୫-୧-୧୪-୩ ସହିତ ବିଶ୍ୱକପ୍‌ ଫାଇନାଲକୁ ନିଜ ପାଇଁ ସ୍ମରଣୀୟ ରଖିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ବିଶ୍ୱର ଶ୍ରେଷ୍ଠ ଖେଳାଳି ମେଗ୍‌ ଲାନିଂଙ୍କୁ ବୋଲଡ କରିବା ଚର୍ଚା ଥମି ନ ଥିବାବେଳେ ରବିବାର ସାରା ଟେଲରଙ୍କ ଓ୍ଵିକେଟ୍‌ ତାଙ୍କୁ ମହିଳା ବିଶ୍ୱକପ୍‌ ଫାଇନାଲରେ ମଧ୍ୟ ଯୁଗ୍ମ ତୃତୀୟ ଶ୍ରେଷ୍ଠ (୩/୨୩)ରେ ସାମିଲ କରି ଦେଇଥିଲା । ଏହା ମଧ୍ୟ ଝୁଲଣଙ୍କ ୧୬୪ ଦିନିକିଆ ଜୀବନର ସବୁଠାରୁ ମହାମୁକାବିଲା ଥିଲା । ୩୩ତମ ଓଭରରେ ଝୁଲଣ ମଧ୍ୟ ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରି ଶେଷକୁ ବଞ୍ଚିତ ହୋଇଥିଲେ।

ଝୁଲଣ ଗୋସ୍ୱାମୀଙ୍କ ଅଗ୍ନୀବର୍ଷି ବୋଲିଂ ବଳରେ ୧୬୪ ରନରେ ୬ ଓ୍ଵିକେଟ୍‌ ହରାଇବାରୁ ଇଂଲଣ୍ଡର ରନ୍‌ ହାର ହ୍ରାସ ପାଇଥିଲା । ଏକଦା ୨୬୦/୨୭୦ ରନ୍‌ ସଂଗ୍ରହ ସମ୍ଭାବନା ରଖିଥିବା ଇଂଲଣ୍ଡ ୨୦୦ ରନ୍‌ ପାଇଁ ବି ଜୁଝିଥିଲା । ଏହି ସମୟରେ କାଥେରିନ୍‌ ବ୍ରଣ୍ଟ୍‌ (୩୪, ୪୨ ବଲ୍‌, ୨ ଚୌକା), ଜେନି ଗୁନ୍‌ (୨୫, ୩୮ ବଲ୍‌, ୧ ଚୌକା) ଏବଂ ଲୌରା ମାର୍ସ (୧୪ଞ୍ଚ, ୧୧ ବଲ୍‌, ୧ ଚୌକା) ଇଂଲଣ୍ଡକୁ ୨୨୮/୭ରେ ପହଞ୍ଚାଇ ଦେଇଥିଲେ ।

୨୨୯ ରନ୍‌ ବିଜୟ ଲକ୍ଷ୍ୟରେ ଐତିହାସିକ ଲଡ଼ର୍ସ ପଡ଼ିଆକୁ ଓହ୍ଳାଇଥିବା ଭାରତୀୟ ଦଳକୁ ଦ୍ୱିତୀୟ ଓଭରରେ ହିଁ ପ୍ରଥମ ଝଟକା ଲାଗିଥିଲା । ସ୍ମୃତି ମନ୍ଧାନା (୦)ଙ୍କୁ କାଥରିନ୍‌ ବ୍ରଣ୍ଟ୍‌ ଖାତା ଖୋଲିବାକୁ ଦେଇ ନ ଥିଲେ । ତ୍ରୟୋଦଶ ଓଭରରେ କିନ୍ତୁ ସବୁଠାରୁ ବଡ଼ ଝଟକା ଲାଗିଥିଲା । ଅଧିନାୟିକା ମିତାଲି ରାଜ (୧୭, ୩୧ ବଲ୍‌, ୩ ଚୌକା)ଙ୍କ ରନ୍‌ ଆଉଟ୍‌ ଭାରତୀୟ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଥିଲା । ପୁନମ ରାଉତ ସର୍ଟ ମିଡଓ୍ଵିକେଟ୍‌ ଅଞ୍ଚଳକୁ ଖେଳିଥିବାବେଳେ ମିତାଲି ତରବରିଆ ଭାବେ ଏକ ରନ୍‌ ନେବାକୁ ଯାଇ ଆତ୍ମଘାତୀ ରନ୍‌ ଆଉଟ୍‌ର ଶିକାର ହୋଇଥିଲେ ।

ପୁନମ ରାଉତ କିନ୍ତୁ ଫାଇନାଲ୍‌ରେ ଖେଳିଥିଲେ ନିଜ ଜୀବନର ଅନ୍ୟତମ ଶ୍ରେଷ୍ଠ ତଥା ସ୍ମରଣୀୟ ପାଳି । ଏହି ସ୍ୱଳ୍ପ ଉଚ୍ଚତା ଡାହାଣହାତୀ ଖେଳାଳି ସେମିଫାଇନାଲ୍‌ ନାୟିକା ହରମନପ୍ରୀତ୍‌ କୌରଙ୍କୁ ସାଥୀ କରି ତୃତୀୟ ଓ୍ଵିକେଟ୍‌ ଭାଗୀଦାରିରେ ୯୫ ରନ ଯୋଡ଼ିଥିଲେ । ହରମନପ୍ରୀତ୍‌ (୫୧, ୮୦ ବଲ୍‌, ୩ ଚୌକା, ୨ ଛକା) ଅର୍ଦ୍ଧଶତକ ହାସଲ ପରେ ଆଉଟ୍‌ ହୋଇଯାଇଥିଲେ । ପୁନମ ରାଉତ କିନ୍ତୁ ବେଦ କୃଷ୍ଣମୂର୍ତିଙ୍କୁ ସାଥୀ କରି ଆଉ ଏକ ଅର୍ଦ୍ଧଶତକୀୟ ଭାଗୀଦାରି କରିଥିଲେ । ଉଭୟ ଚତୁର୍ଥ ଓ୍ଵିକେଟ୍‌ ପାଇଁ ୫୩ ରନ୍‌ ଯୋଡ଼ିଥିଲେ । ୪୩ତମ ଓଭରରେ ପୁନମ ରାଉତଙ୍କୁ ଲେଗ୍‌ ବିଫୋର୍‌ କରାଇ ନେଇ ଆନ୍ୟା ସ୍ରବସୋଲ୍‌ ତାଙ୍କୁ ଶତକରୁ ବଞ୍ଚିତ ରଖିବା ସହିତ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇନେଇଥିଲେ । ପୁନମଙ୍କ ୧୧୫ ବଲ୍‌ ୮୬ ରନ୍‌ ପାଳିରେ ୪ ଚୌକା ୧ ଛକା ସାମିଲ ଥିଲା ।

ଏକଦା ୪୩ ଓଭର ବେଳକୁ ୩ ଓ୍ଵିକେଟ୍‌ରେ ୧୯୧ ରନ୍‌ ସଂଗ୍ରହ କରିଥିବା ଭାରତୀୟ ଦଳ ପାଇଁ କିନ୍ତୁ କଣ୍ଟା ସାଜିଥିଲେ ଦ୍ରୁତ ବୋଲର ଅନ୍ୟା ସ୍ରବ୍‌ସୋଲ । ନିଜର ଦ୍ୱିତୀୟ ସ୍ପେଲ୍‌ରେ ସଂଘାତିକ ବୋଲିଂ କରି ସେ ଭାରତର ୬ ଓ୍ଵିକେଟ୍‌ ଦଖଲ କରି ନେଇଥିଲେ । ଭାରତର ଶେଷ ୭ ଓ୍ଵିକେଟ୍‌ ମାତ୍ର ୬ ଓଭର ଭିତରେ ଝଡ଼ି ପଡ଼ିଥିଲା । ସ୍ରବସୋଲ୍‌ (୯.୪-୦-୪୬-୬) ହିଁ ଭାରତ ହାତରୁ ବିଜୟ ଓ ବିଶ୍ୱକପ୍‌ ଛଡ଼ାଇ ନେଇଥିଲେ ।

ସଂକ୍ଷିପ୍ତ ସ୍କୋର : ଇଂଲଣ୍ଡ ୫୦ ଓଭରରେ ୨୨୮/୭ (ସାରା ଟେଲର୍‌-୪୫, ନାତାଲି ସିଭର୍‌-୫୧, ଝୁଲଣ ଗୋସ୍ୱାମୀ-୩/୨୩, ପୁନମ ଯାଦବ-୨/୩୬, ରାଜେଶ୍ୱର ଗାଏକ୍ୱାଡ-୧/୪୯)। ଭାରତ ୪୮.୪ ଓଭରରେ ୨୧୯ (ପୁନମ ରାଉତ-୮୬, ହରମନପ୍ରୀତ୍‌ କୌର୍‌-୫୧, ବେଦ କୃଷ୍ଣମୂର୍ତି-୩୫

ମହିଳା ବିଶ୍ୱକପ ଫାଇନାଲରେ ଭାରତ ହାରିଗଲେ ମଧ୍ୟ ଦେଶର କୋଟି କୋଟି ଲୋକଙ୍କ ହୃଦୟ ଜିତିନେଇଛନ୍ତି ମିତାଲି ରାଜ ଓ ତାଙ୍କ ଟିମ୍ । ଦଳର ପରାଜୟ ନେଇ ଅଧିନାୟକ ମିତାଲି ରାଜ ବି ଅନେକ କଥା କହିଛନ୍ତି । ସେ କହିଛନ୍ତି, ଇଂଲଣ୍ଡ ବିରୋଧରେ ରନର ପିଛା କରି ଭାରତ ଚାପରେ ଆସିଯାଇଥିଲା । ତଥାପି ଫାଇନାଲରେ ଖେଳିଥିବାରୁ ଆମେ ଗର୍ବିତ । ତଥାପି ବିଶ୍ୱକପରେ ଭାରତ ଯେଭଳି ପ୍ରଦର୍ଶନ କରି ଫାଇନାଲକୁ ଗଲା ତାଦ୍ୱାରା ଦେଶରେ ମହିଳା କ୍ରିକେଟର ସ୍ଥିତି ଅଧିକ ଭଲ ହେବ ଓ ଖେଳାଳି ବି ଉଚିତ ସମ୍ମାନ ପାଇବେ ।

ଇଂଲଣ୍ଡ ବିପକ୍ଷରେ ମହିଳା ଟିମ୍ ଇଣ୍ଡିଆ ଆଇସିସି ବିଶ୍ୱକପ୍ ହାରିଥିଲେ ସୁଦ୍ଧା ଓମେନ୍ ଇନ୍ ବ୍ଲୁଙ୍କ ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ପୁରୁଷ କ୍ରିକେଟ ଦଳର ଆଧିପତ୍ୟ ଭିତରେ ଦେଶବାସୀ ଆଜି ମହିଳା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ମହିଳା କ୍ରିକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି କହିଛନ୍ତି ମହିଳା ଟିମ୍ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ତେଣୁ ସେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଗର୍ବ ଅନୁଭବ କରୁଛନ୍ତି ।

ସେପଟେ ଇଂଲଣ୍ଡ ଠାରୁ ପରାଜୟ ବରଣ କରିଥିଲେ ବି ପଂଜାବ ଝିଅ ହରମନପ୍ରୀତଙ୍କ ଉପରେ ଖୁସ୍ ଅଛନ୍ତି ପଂଜାମ ମୁଖ୍ୟମନ୍ତ୍ରୀ । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଟକ୍କରରେ ହରମନପ୍ରୀତଙ୍କ ଧୂଆଁଦାର ପ୍ରଦର୍ଶନକୁ ନେଇ ଖୁସି ଜାରିହ କରିଛନ୍ତି କ୍ୟାପଟେନ୍ ଅମରେନ୍ଦ୍ର ସିଂହ । ହରମନପ୍ରୀତଙ୍କ ବାପାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଅଫିସର ରାଙ୍କର ନିଯୁକ୍ତି ଦେଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ କରି ଅମରେନ୍ଦ୍ର ସିଂହ ଜଣାଇଛନ୍ତି ଯେ, ଡିଏସପି ପୋଷ୍ଟରେ ନିଯୁକ୍ତି ଦିଆଇଯିବ । ପଂଜାମ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା କ୍ରିକେଟର ହରମନପ୍ରୀତ ।