ଜାତୀୟ ହକିରେ ଓଡିଶା ଛାପ ! ସୁଲତାନ ଆଜଲାନ ଶାହା କପ୍ ହକି ମୁକାବିଲାରେ ଭାରତୀୟ ଖେଳାଳିଙ୍କ ଛାତିରେ ଚମକିଲେ ଓଡ଼ିଆ ପୁଅ ଅମିତ୍

41

କନକ ବ୍ୟୁରୋ: ଓଡ଼ିଆ ପୁଅ ଅମିତ୍ ରୋହିଦାସଙ୍କ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଭାରତ ୨୭ତମ ସୁଲତାନ ଆଜଲାନ୍ ଶାହା କପ୍ ହକି ପ୍ରତିଯୋଗିତାରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ଶନିବାର ନିଜର ପ୍ରଥମ ମ୍ୟାଚରେ ବିଶ୍ୱ ମାନ୍ୟତାର ଷଷ୍ଠ ଭାରତ ଦ୍ୱିତୀୟ ମାନ୍ୟତା ତଥା ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ନିକଟରୁ ୨-୩ ଗୋଲରେ ହାରିଯାଇଛି । ଭାରତ ପାଇଁ ଅମିତ୍ ରୋହିଦାସ ଏକାକି ଦୁଇଟିଯାକ ଗୋଲ୍ କରିଥିଲା ବେଳେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲୋ ପେଲେଟ୍ ୩ଟିଯାକ ଗୋଲ୍ କରି ହ୍ୟାଟ୍ରିକ୍ ସଫଳତା ପାଇଥିଲେ । ଆଉ ସବୁଠୁ ଉଲ୍ଲେଖନୀୟ ହେଲା ମ୍ୟାଚର ସମସ୍ତ ୫ ଗୋଲ୍ ପେନାଲଟି କର୍ନର ଜରିଆରେ ହିଁ ହୋଇଥିଲା। ଅମିତ୍ ମ୍ୟାଚର ୨୬ ଓ ୩୧ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ପେଲେଟ ୧୩, ୨୪ ଓ ୩୩ ମିନିଟରେ ଗୋଟିଏ ଲେଖାଏଁ ଗୋଲ୍ କରି ଆର୍ଜେଣ୍ଟିନାକୁ ବିଜୟ ଭେଟି ଦେଇଥିଲେ ।

ଭାରତ ଏହି ମ୍ୟାଚରେ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଥିଲା। ତଲଓ୍ଵିନ୍ଦର ସିଂହ ଏବଂ ପଦାର୍ପଣ କରିଥିବା ସୁମିତ୍ କୁମାର ପ୍ରଭାବୀ ପ୍ରଦର୍ଶନ କରି ଆର୍ଜେଣ୍ଟିନା ସର୍କଲ ମଧ୍ୟରେ ପ୍ରାୟ ୪ ଥର ପ୍ରବେଶ କରିଥିଲେ । ଏଥି ସହିତ ଆର୍ଜେଣ୍ଟିନାକୁ ମଧ୍ୟ ଗୋଲ୍ କରିବାରୁ ରୋକିଥିଲେ । ହେଲେ ପ୍ରଥମ କ୍ୱାର୍ଟରରେ ଆର୍ଜେଣ୍ଟିନା ୨ଟି ପେନାଲଟି କର୍ନର ହାସଲ କରିଥିଲା । ପ୍ରଥମଟିକୁ ଅମିତ୍ ରୋହିଦାସ ରୋକି ଦେଇଥିଲା ବେଳେ ଦ୍ୱିତୀୟଟିକୁ ବିଶ୍ୱସ୍ତରର ଡ୍ରାଗ୍ ଫ୍ଲିକର ପେଲେଟ୍ ଗୋଲ୍ ଦେବାରେ ସଫଳ ହୋଇଥିଲେ । ଫଳରେ ୧୩ ମିନିଟରେ ଆର୍ଜେଣ୍ଟିନା ଆଗୁଆ ହୋଇଯାଇଥିଲା । ଏହାପରେ ୨୪ ମିନିଟରେ ମଧ୍ୟ ପେଲେଟ୍ ଭାରତୀୟ ଗୋଲରକ୍ଷକ କୃଷ୍ଣ ପାଠକଙ୍କୁ ଚକମା ଦେଇ ଦ୍ୱିତୀୟ ଗୋଲ୍ କରିଥିଲେ । ଏହାପରେ ଭାରତକୁ ଲଗାତାର ୩ ପେନାଲଟି କର୍ନର ମିଳିଥିଲା।

କିନ୍ତୁ ପ୍ରଥମ ଦୁଇଟିକୁ ଗୋଲ୍ କରିବାରେ ବିଫଳ ହୋଇଥିବା ଭାରତକୁ ଅମିତ୍ ରୋହିଦାସ ସାହା ହୋଇଥିଲେ । ସେ ତୃତୀୟ ପେନାଲଟିକୁ ଗୋଲ୍ କରି ବ୍ୟବଧାନ କମାଇଥିଲେ । ପୁଣି ସେହି ଅମିତ୍ ରୋହିଦାସ ୩୧ ମିନିଟରେ ସମାନ ଢଙ୍ଗରେ ପେନାଲଟି ଗୋଲ୍ କରି ଭାରତର ସ୍ଥିତି ୨-୨ କରିଦେଇଥିଲେ । ଇତି ମଧ୍ୟରେ ଆର୍ଜେଣ୍ଟିନା ୨୭ ମିନିଟ୍ରେ ପାଇଥିବା ଏକ ପେନାଲଟି କର୍ନରକୁ ଭାରତ ବ୍ୟର୍ଥ କରିଦେଇଥିଲା । ହେଲେ ପେଲେଟ୍ ୩୩ ମିନିଟରେ ପେନାଲଟିରୁ ଗୋଲ୍ କରି ବ୍ୟକ୍ତିଗତ ହ୍ୟାଟ୍ରିକ୍ ଅର୍ଜନ କରିବା ସାଙ୍ଗକୁ ଆର୍ଜେଣ୍ଟିନାକୁ ୩-୨ର ଅଗ୍ରଣୀ ଦେଇଥିଲେ । ଏହାପରେ ଚତୁର୍ଥ କ୍ୱାର୍ଟରରେ ଆଉ ଗୋଲ୍ ନହେବାରୁ ଆର୍ଜେଣ୍ଟିନା ମ୍ୟାଚ୍ ଜିତି ନେଇଥିଲା । ଏଥି ସହିତ ଅମିତ୍ ରୋହିଦାସଙ୍କ ପ୍ରୟାସ ବ୍ୟର୍ଥ ଯାଇଥିଲା । ଭାରତ ପ୍ରତିଯୋଗିତାରେ ତା’ର ଦ୍ୱିତୀୟ ତଥା ପରବର୍ତୀ ମ୍ୟାଚ୍ ଆଜି (ରବିବାର) ଇଂଲଣ୍ଡ ସହ ଖେଳିବ।