ଚମକିଲେ ଚେତେଶ୍ୱର ପୂଜାରା । ୪ର୍ଥ ଟେଷ୍ଟରେ ଶତକ ସହ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ପୂଜାରା

29

ଚେତେଶ୍ୱର ପୂଜାରାଙ୍କ ୧୫ତମ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଇନିଂସରେ ୮୪.୫ ଓଭର ଖେଳି ସମସ୍ତ ଓ୍ଵିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଛି। ଭାରତ ପ୍ରଥମ ଇନିଂସ ଆଧାରରେ ୨୭ ରନ୍ରେ ଅଗ୍ରଣୀ ଅଛି। ପୂଜାରା ୨୧୦ଟି ବଲ ଖେଳି ଶତକ ହାସଲ କରିଛନ୍ତି। ଏଥିରେ ୧୧ଟି ଚୌକା ସାମିଲ ଅଛି। ଇଂଲଣ୍ଡ ପକ୍ଷରୁ ମୋଇନ୍ ଅଲି ସର୍ବାଧିକ ୫ ଓ୍ଵିକେଟ ନେଇଛନ୍ତି। ସେହିପରି ଜେମସ୍ ଆଣ୍ଡରସନ୍ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ସାମ କୁରେନ୍ ଓ ବେନ୍ ଷ୍ଟୋକସ୍ ୧-୧ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପଟେ ପ୍ରଥମ ଇନିଂସରେ ୨୬ ରନ ପଛରେ ରହି ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଇଂଲଣ୍ଡ । ଦ୍ୱିତୀୟ ଦିନ ଖେଳ ଶେଷ ହେବା ବେଳକୁ ଇଂଲଣ୍ଡ ବିନା ୱିକେଟ ହରାଇ ୬ ରନ ହାସଲ କରିଛି । ଏବେ ମଧ୍ୟ ଇଂଲଣ୍ଡ ଦଳ ଭାରତ ଠାରୁ ୨୧ ରନ ପଛରେ ରହିଛି ।

ସାଉଥମ୍ପଟନରେ ୫ ଟେଷ୍ଟ ମ୍ୟାଚର ୪ର୍ଥ ମୁକାବିଲାର ଶୁକ୍ରବାର ୨ୟ ଦିନରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୪୬) ରନ୍ କରି ଆଉଟ୍ ହେବା ପୂର୍ବରୁ ୩ୟ ଓ୍ଵିକେଟରେ ଚେତେଶ୍ୱର ପୂଜାରାଙ୍କ ସହିତ ୯୮ ରନ୍ ଭାଗିଦାରି ହୋଇ ପାରିଥିଲେ। ଟସ୍ ଜିଣି ଇଂଲଣ୍ଡ ପ୍ରଥମ ଇନିଂସରେ ପ୍ରଥମ ଦିନ ହିଁ ସମସ୍ତ ଓ୍ଵିକେଟ୍ ହରାଇ ୨୪୬ ରନ୍ ସଂଗ୍ରହ କରିଥିଲା। ଏହା ପରେ ଟିମ୍ ଇଣ୍ଡିଆ ବ୍ୟାଟିଂ କରିଥିଲା।

ଭାରତ ୩ୟ ଓ୍ଵିକେଟ୍ରେ ୧୪୨ ରନ୍ରେ ବିରାଟ କୋହଲିଙ୍କୁ ହରାଇଥିଲା। ୧୬୧ ରନ୍ରେ ଆଜିଙ୍କ୍ୟ ରାହାଣେ, ୧୮୧ ରନରେ ଋଷଭ ପନ୍ଥ, ୧୮୯ ରନରେ ହାର୍ଦ୍ଦିକ ପାଣ୍ଡ୍ୟା, ୧୯୫ ରନରେ ରବିଚନ୍ଦ୍ରନ ଅଶ୍ୱିନ, ୧୯୫ ରନରେ ମହମ୍ମଦ ସାମି ଓ ୨୨୭ ରନରେ ଈଶାନ୍ତ ଶର୍ମା ଆଉଟ୍ ହୋଇଥିଲେ।ଇଂଲଣ୍ଡର ପ୍ରଥମ ଶିକାର ହୋଇଥିଲେ ଲୋକେଶ ରାହୁଲ। ସେ ଷ୍ଟୁଆର୍ଟ ବ୍ରଡଙ୍କ ଦ୍ୱାରା ଏଲ୍ବିଡବ୍ଲୁ ଶିକାର ହୋଇଥିଲେ। ଲୋକେଶ ୨୪ଟି ବଲ ଖେଳି ୨ଟି ଚୌକା ମାରିଥିଲେ। ସେହିଭଳି ସାଥୀ ଖେଳାଳି ଶିଖର ଧାଓ୍ଵନ ୫୩ଟି ବଲ ଖେଳି ୨୩ ରନ୍ ଯୋଡ଼ିଛନ୍ତି। ୩ଟି ଚୌକା ସହାୟତାରେ ଏହି ସ୍କୋର କରିବା ପରେ ଷ୍ଟୁଆର୍ଟ ବ୍ରଡଙ୍କ ବଲ ଜୋସ୍ ବଟଲରଙ୍କୁ କ୍ୟାଚ୍ ଦେଇଥିଲେ।