ବୋଲରଙ୍କ ପରେ ଚମକିଲେ ଭାରତୀୟ ବ୍ୟାଟସମ୍ୟାନ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୧୬୬ ରନରେ ଆଗୁଆ ଟିମ୍ ଇଣ୍ଡିଆ

192

କନକ ବ୍ୟୁରୋ : ବୋଲରଙ୍କ ପରେ ଚମକିଲେ ଭାରତୀୟ ବ୍ୟାଟସମ୍ୟାନ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୧୫୧ ରନ କରିବା ସହ ୧୬୬ ରନ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟସମ୍ୟାନ ବେଶ ସର୍ତକତାର ସହ ବ୍ୟାଟିଂ କରିବା ସହ ଅଷ୍ଟ୍ରେଲିଆ ବୋଲରଙ୍କୁ ଉଚିତ୍ ମୁକାବିଲା କରିଥିଲେ ।

ଭାରତର ପ୍ରାରମ୍ଭିକ ଯୋଡି ବେଶ ସର୍ତକତାର ସହ ଖେଳିଥିବା ବେଳେ ମଧ୍ୟକ୍ରମରେ କ୍ୟାପଟେନ କୋହଲି ଓ ଚେତେଶ୍ୱର ପୂଜାରା ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ । ତେବେ ତୃତୀୟ ଦିନର ଖେଳ ଶେଷ ହେବାକୁ କିଛି ସମୟ ବାକି ଥିବା ବେଳେ ବିରାଟ କୋହଲିଙ୍କ ୱିକେଟ ହରାଇଥିଲା ଭାରତ । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଚେତେଶ୍ୱର ପୂଜାରା ୪୦ ଓ ଆଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ରହିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମିସେଲ ଷ୍ଟାର୍କ, ହାଜେଲଓଡ ଓ ନାଥାନ ଲିୟନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ବୋଲରଙ୍କୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍ । ଭାରତର ପ୍ରଥମ ଇନିଂସର ସ୍କୋର ୨୫୦ ରନ ଜବାବରେ ମାତ୍ର ୨୩୫ ରନ କରିବାକୁ ସକ୍ଷମ ହୋଇଥିଲା ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ରବୀଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମରାହ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ୨ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଆଉ ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ ସହ ଦୃଢ ସ୍ଥିତିରେ ପହଞ୍ଚିଛି ଟିମ୍ ଇଣ୍ଡିଆ ।