କେରଳରେ କମିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା : ଯୁଦ୍ଧକାଳୀନ ଭିତିରେ ଚାଲିଛି ଉଦ୍ଧାରକାର୍ଯ୍ୟ, ଜୀବନ ବଂଚାଉଛନ୍ତି ଯବାନ

35

କନକ ବ୍ୟୁରୋ : ଶତାବ୍ଦୀର ସବୁଠାରୁ ବଡ ଜଳପ୍ରଳୟରେ ଖିନଭିନ ହୋଇଯାଇଥିବା କେରଳରେ କମିଛି ବର୍ଷା, ଆଉ ବଢିଛି ବିପଦ । ଆଗାମୀ ୫ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ କହିବା ପରେ ଆଶ୍ୱସ୍ତି ମିଳିଛି । ହେଲେ ସବୁଠାରୁ ବଡ ଚ୍ୟାଲେଞ୍ଜ ହୋଇଛି, ରିଲିଫ ଓ ଉଦ୍ଧାର କାର୍ଯ୍ୟ । ବନ୍ୟାରେ କଲବଲ ହେଉଥିବା କେରଳରେ ଜୀବନ ବଂଚାଉଛନ୍ତି ଯବାନ । ଏନଡିଆରଏଫ ସହ ହାତ ମିଳାଇ ତିନି ଭାରତୀୟ ସେନାର ଯବାନ ଯେଉଁଭଳି ଉଦ୍ଧାର ଅଭିଯାନ ଚଳାଇଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଆଉ ଦେଶର ଏହି ପ୍ରକୃତ ହିରୋଙ୍କ ଅସାଧାରଣ କାରନାମା ପ୍ରତି ମୁଣ୍ଡ ଆପେ ଆପେ ନଇଁ ଯାଉଛି । ପ୍ରକୃତିର ତାଣ୍ଡବ ସହ ପ୍ରତିଦିନ ଯୁଝୁଥିବା ପରଦା ପଛର ନାୟକଙ୍କ ବିଷୟରେ ଆସନ୍ତୁ ।

ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ପ୍ରଶାନ୍ତଙ୍କ ଦୁଃସାହସିକ କାରନାମା । ତିରୁଅନନ୍ତପୁରମରେ ବନ୍ୟା ପାଣି ଘେରରେ ଥିବା ଏକ ଦୁଇ ମହଲା କୋଠାର ଛାତ ଉପରେ ଫସିରହିଥିଲେ ୨ବର୍ଷର ଶିଶୁ ଓ ମାଆ । କୌଣସି ଥଳକୂଳ ନପାଇ ଛାତ ଉପରେ କେବଳ ସହାୟତାକୁ ଅପେକ୍ଷା କରିଥିବା ଏହି ଅସହାୟ ମାଆ, ପୁଅଙ୍କୁ ଉଦ୍ଧାର ପାଇଁ ସେନା ଚପରରୁ ଦେବଦୁତ ସାଜି ଖସିଆସିଲେ ଗରୁଡ ସ୍ପେଶାଲ ଫୋର୍ସର ଯୁବ ଅଫିସର ପ୍ରଶାନ୍ତ । ପ୍ରଥମେ ମା’କୁ ଉଦ୍ଧାର କଲେ । ଆଉ ପରେ ଚୋପରରୁ ଏକ ଦଉଡି ସାହାଯ୍ୟରେ ସିଧା ଖସିଆସିଲେ ଶିଶୁଟି ଥିବା କୋଠାର ଛାଡ ଉପରକୁ । ହାତରେ ୨ବର୍ଷର ଶିଶୁକୁ ଜାବୁଡି ଧରି ଚୋପରକୁ ଫେରିଥିଲେ । ମାଆ ହାତକୁ ଶିଶୁଟିକୁ ବଢାଇ ଦେବାରୁ ମାଆର ପିଣ୍ଡରେ ପ୍ରାଣ ଫେରିଥିଲା । ଆଉ ମନରେ ଯେଉଁ ଭାବନା ସୃଷ୍ଟିହେଲା ତାହା ମୁହଁରେ ଚେନାଏ ହସ ହୋଇ ଖେଳିଗଲା ।

ସେହିପରି ବନ୍ୟାର ବିଭୀଷିକାରେ ବନ୍ଧା ପଡ଼ିଥିବା ଜଣେ ୪ବର୍ଷର ଶିଶୁକୁ ନେଭି ଡାଇଭର ଉଦ୍ଧାର କରିବାର ଭିଜୁଆଲ ଆସିଛି । ସବୁଆଡେ ପାଣି ମାଡି ଯାଇଥିବାରୁ ପରିବାର ଲୋକଙ୍କ ସହ ଛାତ ଉପରେ ସହାୟତା ପାଇଁ ଅପେକ୍ଷା କରିରହିଥିଲା ୪ବର୍ଷର ଶିଶୁ । ସେଠାରେ ଦେବଦୂତ ହୋଇ ପହଂଚିଥିଲେ ନେଭି ଡାଇଭର ଅମିତ । ହେଲିକପ୍ଟରରୁ ଆସି ଡାଇଭର ଅମିତ ଛାତ ଉପରେ ଓହ୍ଲାଇ ୪ ବର୍ଷର ଶିଶୁକୁ କୋଳେଇ ନେଇ ସୁରକ୍ଷିତ ଫେରିଯାଇଥିଲେ । ଏହି ସମୟରେ ପାଇଲଟ ସିଟରେ ଥିଲେ କ୍ୟାଡେଟ୍ ବିଜୟ ବର୍ମା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ବୟାନ କରୁଛି, କିଭଳି ବିପତ୍ତି ସମୟରେ ବନ୍ଧୁ ବନିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ଏନଡିଆରଏଫର ଏକ ଉଦ୍ଧାରକାରୀ ବୋଟ୍ ନିକଟରେ ବନ୍ୟାପାଣିରେ ଆଣ୍ଠେଇ ରହି କିଛି ମହିଳାଙ୍କୁ ବୋଟକୁ ଯିବାରେ ସହାୟତା କରୁଛନ୍ତି ଜଣେ ସ୍ଥାନୀୟ ମତ୍ସ୍ୟଜୀବୀ ଜୟଶଲ କେପି । ତାଙ୍କ ପିଠିରେ ଗୋଡଦେଇ ବୋଟ ଉପରକୁ ଯାଉଛନ୍ତି ଜଣେପରେ ଜଣେ ମହିଳା । ଜଣଙ୍କ କୋଳରେ ଶିଶୁଟିଏ ମଧ୍ୟ ରହିଛି । ପାଣିରୁ ବୋଟର ଉଚ୍ଚତା ଅଧିକ ଥିବାରୁ ସ୍ୱେଚ୍ଛାସେବୀ ଜଣକ ପାଣିରେ ଆଣ୍ଠେଇ ରହି ମହିଳାମାନଙ୍କୁ ବୋଟକୁ ଯିବା ଲାଗି ସହାୟତା କରିଥିଲେ ।

କେରଳରେ ରାସ୍ତା ଉପରେ ନଦୀ ଉଚ୍ଚର ପାଣିର ସୁଅ । ବିଭିନ୍ନ ଅଂଚଳରେ ରାସ୍ତା ଘାଟରେ ଏହି ପାଣିର ସ୍ରୋତ ନଦୀର ଭ୍ରମ ସୃଷ୍ଟି କରୁଛି । ଏହାରି ମଧ୍ୟରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି ଯବାନ । ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା, ନୌସେନା ଓ ବାୟୁସେନା ସହ ଏନଡିଆରଏଫ ଓ କୋଷ୍ଟଗାର୍ଡ ମଧ୍ୟ ନିୟୋଜିତ ଅଛନ୍ତି । ଆପଣ ଦେଖୁଥିବା ଏହି ଭିଜୁଆଲଟି ସହର ମଝି ରାସ୍ତା ଉଦ୍ଧାର କାର୍ଯ୍ୟ ଚାଲୁଥିବା ବେଳର । ଯେଉଁଠାରେ ପାଣିର ସ୍ରୋତ ଯୋଗୁଁ ଉଦ୍ଧାରରେ ଲାଗିଥିବା ଡଙ୍ଗାଟି ଓଲଟଇ ପଡିଛି । ପୁଣି ଥରେ ଏହାକୁ ସିଧା କରି ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

କେରଳରେ ଯୁଦ୍ଧାକଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ବନ୍ୟା ପାଣିରେ ବିଭିନ୍ନ ଅଂଚଳରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯବାନ ମାନେ ନିର୍ମାଣ କରିଛନ୍ତି ଅସ୍ଥାୟୀ ପୋଲ । ଅପହଂଚ ଇଲାକାରେ ପହଂଚିବା ପାଇଁ ସ୍ଥଳସେନା ମୁଖ୍ୟତଃ ଅସ୍ଥାୟୀ ପୋଲ ନିର୍ମାଣ କରି ରିଲିଫ ଓ ଉଦ୍ଧାର ଜାରି ରଖିଥିବାବେଳେ ନୌସେନା ଓ ବାୟୁସେନାର ଯବାନ କରୁଛନ୍ତି ଏୟାର ଲିଫ୍ଟ । ସୋସିଆଲ ମିଡିଆ କିମ୍ବା ଟିଭି ପରାଦରେ ଏହି ହିରୋଙ୍କୁ ନେଇ ଚର୍ଚ୍ଚା କରାଯାଉଛି । ଯେଉଁମାନେ ଜୀବନ, ମୃତ୍ୟୁର ଦୋଛକିରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରି ଜୀବନର ରାହା ଦେଖାଉଛନ୍ତି ।