ଅବସାଦଗ୍ରସ୍ତ ଭାରତ! ପ୍ରତି ୭ ଜଣରେ ଜଣେ ମାନସିକ ବ୍ୟାଧିରେ ପୀଡ଼ିତ

135

କନକ ବ୍ୟୁରୋ : ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି । ମାନସିକ ଅବସାଦ ଓ ଉଦ୍‌ବେଗ ଭାରତୀୟଙ୍କ ପାଇଁ ଏବେ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି । ପ୍ରତି ୭ ଜଣରେ ଜଣେ ଭାରତୀୟ ମାନସିକ ବ୍ୟାଧି‌େର ପୀଡ଼ିତ ବୋଲି ଜଣାପଡ଼ିଛି । ସବୁଠୁ ଚିନ୍ତାଜନକ ବିଷୟ ହେଉଛି ମାନସିକ ରୋଗର ଚିକିତ୍ସା ପାଇଁ ମାନସିକ ଚିକିତ୍ସକଙ୍କ ସଂଖ୍ୟା ମଧ୍ୟ ଆବଶ୍ୟକତା ଅନୁଯାୟୀ ବହୁତ କମ୍‌ ରହିଛି ।

ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର), ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ପବ୍ଲିକ୍ ହେଲଥ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ପିଏଚ୍‌ଏଫ୍‌ଆଇ) ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି । ତଥ୍ୟ କହୁଛି ଯେ ଭାରତର ଜନସଂଖ୍ୟାର ୧୪.୩ ପ୍ରତିଶତ ଅର୍ଥାତ ୧୯ କୋଟି ୭୩ ଲକ୍ଷ ଲୋକ ବିଭିନ୍ନ ମାନସିକ ରୋଗରେ ପୀଡ଼ିତ । ସେଥିରୁ ୪ କୋଟି ୫୭ ଲକ୍ଷ ଲୋକ ମାନସିକ ଅବସାଦର ଶିକାର ହୋଇଥିବା ବେଳେ ୪ କୋଟି ୪୯ଲକ୍ଷ ଲୋକ ମାନସିକ ଚାପ ଓ ଉଦ୍‌ବେଗଜନିତ ସମସ୍ୟାରେ ପୀଡ଼ିତ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଅଧିକ ଅବସାଦ ଏବଂ ଉଦ୍‌ବେଗ ଦେଖିବାକୁ ମିଳୁଛି । ୩. ୯ ପ୍ରତିଶତ ମହିଳା ମାନସିକ ଅବସାଦ ଏବଂ ଉଦ୍‌ବେଗର ଶିକାର ହୋଇଥିବାବେଳେ ପୁରୁଷଙ୍କ ‌କ୍ଷେତ୍ରରେ ଏହା ୨.୭ ପ୍ରତିଶତ ଦେଖିବାକୁ ମିଳିଛି ।

ଅଧ୍ୟୟନରୁ ଏହା ଜଣାପଡ଼ିଛି ‌ଯେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ଅବସାଦ ବୃଦ୍ଧି ପାଉଛି । ତେବେ କିଶୋର ଓ ଯୁବକଙ୍କ କ୍ଷେତ୍ରରେ ଉଦ୍‌ବେଗ ବୃଦ୍ଧି ପାଉଛି । ଏହାଛଡ଼ା ଦେଶର ଉତ୍ତରାଞ୍ଚଳ ରାଜ୍ୟ ଅପେକ୍ଷା‌ ଦକ୍ଷିଣ ଏବଂ ପଶ୍ଚିମ ରାଜ୍ୟମାନଙ୍କରେ ଲୋକଙ୍କଠାରେ ଅଧିକ ଅବସାଦ ଏବଂ ଉଦ୍‌ବେଗ ଦେଖିବାକୁ ମିଳିଛି । ତାମିଲନାଡ଼ୁ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଗୋଆରେ ସବୁଠୁ ଅଧିକ ଅବସାଦ ଦେଖିବାକୁ ମିଳିଥିବା ବେଳେ କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମଣିପୁରରେ ଅଧିକ ଉଦ୍‌ବେଗଜନିତ ମାନସିକ ରୋଗ ଦେଖିବାକୁ ମିଳିଛି ।

ଗୋଟିଏ ପଟେ ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେ ତୁଳନାରେ ମାନସିକ ଚିକତ୍ସକଙ୍କ ସଂଖ୍ୟା ଚିକିତ୍ସା ଯଥେଷ୍ଟ କମ୍ ଥିବା ଜଣାପଡ଼ିଛି । ୧୯୯୦ରୁ ୨୦୧୭ ମଧ୍ୟରେ ଭାରତର ସମୁଦାୟ ରୋଗ କ୍ଷେତ୍ରରେ ମାନସିକ ରୋଗ ଦୁଇ ଗଣ ବଢ଼ିଛି । ତୋବ ଭାରତରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ କେବଳ ୦.୩ ପ୍ରତିଶତ ମାନସିକ ରୋଗ ଚିକିତ୍ସକ ରହିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହାର ୧୦ ଗୁଣ ‌ମାନସିକ ଚିକିତ୍ସକଙ୍କ ଆବଶ୍ୟକତା ରହିଛି ।