ଲାଂଚୁଆଙ୍କ ଦେଶ ଭାରତ ! ଆଖି ଖୋଲିଦେଲା ଟ୍ରାନ୍ସପାରେନ୍ସି ଇଂଟରନ୍ୟାସନାଲର ରିପୋର୍ଟ

37

କନକ ବ୍ୟୁରୋ : ସବୁଠାରୁ ଦୁର୍ନୀତିଗ୍ରସ୍ତ କିଏ? କିଏ ଲୁଟୁଛି ଆପଣଙ୍କ ଟଙ୍କା? ଟ୍ରାନ୍ସପାରେନ୍ସି ଇଂଟରନ୍ୟାସନାଲର ରିପୋର୍ଟ ଆପଣଙ୍କ ଆଖି ଖୋଲିଦେବ । ଭାରତରେ ସରକାରୀ ହସ୍ପିଟାଲ ହେଉଛି ଦୁର୍ନୀତିରେ ନମ୍ବର ୱାନ । ଆମେ ଆପଣଙ୍କୁ ଦେଖାଇବୁ ଭାରତର ୫ଟି ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ସଂସ୍ଥା, ଯେଉଁଠି ଲାଂଚ ନଦେଲେ ଆପଣଙ୍କ କାମ ହୋଇପାରିବ ନାହିଁ । ଦେଖନ୍ତୁ ଏହି ରିପୋର୍ଟ ।

ଦୁର୍ନୀତିରେ ଏକ ନମ୍ବର : ସରକାରୀ ହସପିଟାଲ୍
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସରକାରୀ ହସ୍ପିଟାଲ ହେଉଛି ଭାରତରେ ସବୁଠୁ ଅଧିକ ଦୁର୍ନୀତିଗ୍ରସ୍ତ । ୫୯ ପ୍ରତିଶତ ଲୋକ ଲାଂଚ ଦେଇ ସରକାରୀ ଡାକ୍ତରଖାନାରେ ଚିକିିିତ୍ସିତ ହୁଅନ୍ତି । ଲାଂଚ ନଦେଲେ ଚିକିତ୍ସା ସେବା ପାଇବା ମୁସ୍କିଲ ।

ଦୁର୍ନୀତିରେ ଦୁଇ ନମ୍ବର : ପବ୍ଲିକ ସ୍କୁଲ୍
ପବ୍ଲିକ ସ୍କୁଲ ହେଉଛି ଦୁର୍ନୀତିଗ୍ରସ୍ତ ତାଲିକାରେ ଦୁଇ ନମ୍ବର । ଶିକ୍ଷା ପାଇଁ ୫୮ ପ୍ରତିଶତ ଲୋକଙ୍କୁ ଆମ ଦେଶରେ ଲାଂଚ ଦେବାକୁ ପଡେ । ଟ୍ରାନ୍ସପରେନ୍ସୀ ଇଂଟରନ୍ୟାସନାଲ ସର୍ଭେରେ ପ୍ରକାଶ ପାଇଥିବା ତଥ୍ୟ ଆପଣଙ୍କ ପୂର୍ବରୁ ଥିବା ଧାରଣାକୁ ଆହୁରି ଦୃଢ କରିବ ।

ଦୁର୍ନୀତିରେ ତିନି ନମ୍ବର : ପରିଚୟପତ୍ର ଦେଉଥିବା ସଂସ୍ଥା
ଭୋଟର ଆଡି କାର୍ଡ ହେଉ କିମ୍ବା ଡ୍ରାଇଭିଂ ଲାଇସେନ୍ସ ସବୁଠି ଚାଲେ ଲାଂଚ କାରବାର । ପାସପୋର୍ଟ ଅଫିସରେ ମଧ୍ୟ ଅନେକଙ୍କୁ ହାତଗୁଂଜା ଦେବାକୁ ପଡିଥାଏ ।

ଦୁର୍ନୀତିରେ ଚାରି ନମ୍ବର : ପୁଲିସ୍
ପୁଲିସବାବୁଙ୍କୁ ଲାଂଚ ନଦେଲେ କିଛି କାମ ହେବା କଷ୍ଟକର । ୫୪ ପ୍ରତିଶତ ବ୍ୟକ୍ତି କାମ ହାସଲ ପାଇଁ ଲାଂଚ ଦେଇଥାନ୍ତି । ଆପଣଙ୍କର ଥିବା ଅତୀତର ଅଭିଜ୍ଞତା, ଟ୍ରାନ୍ସପରେନ୍ସୀ ଇଂଟରନ୍ୟାସନାଲ ରିପୋର୍ଟ ପରେ ମଜଭୁତ ହେବ ।

ଦୁର୍ନୀତିରେ ପାଂଚ ନମ୍ବର : ଉପଯୋଗୀ ସେବା
ପାନୀୟ ଜଳଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପଯୋଗୀ ସେବା ପାଇବାକୁ ହେଲେ ଆପଣଙ୍କ ପକେଟରୁ କିଛି ଖସାଇବାକୁ ପଡିବ । ଏହି ତଥ୍ୟ ରହିଛି ସର୍ଭେ ରିପୋର୍ଟରେ ।

ଦୁର୍ନୀତିରେ ଛଅ ନମ୍ବର : କୋର୍ଟ
କୋର୍ଟ କାମ ପାଇଁ ମଧ୍ୟ ଟଙ୍କା ଗଣିବାକୁ ପଡେ । ଆଇନର ମନ୍ଦିରରେ ବେଆଇନ କାର୍ଯ୍ୟ ଚାଲେ ବୋଲି କହିଛି ଟ୍ରାନ୍ସପରେନ୍ସୀ ଇଂଟରନ୍ୟାସନାଲର ସର୍ଭେ ।

ସର୍ଭେ ହୋଇଥିବା ଏସିଆ ପ୍ୟାସିଫିକର ୧୬ଟି ରାଷ୍ଟ୍ର ମଧ୍ୟରେ ଭାରତ ହେଉଛି ସବୁଠୁ ଅଧିକ ଦୁର୍ନୀତିଖୋର ଦେଶ । ୬୯ ପ୍ରତିଶତ ଲୋକ ଲାଂଚ ଦେଇ ସେମାନଙ୍କ କାର୍ଯ୍ୟ କରାଇଥାନ୍ତି । ଅର୍ଥାତ ପ୍ରତି ୧୦ ଜଣରେ ୭ ଜଣ ଲାଂଚ ଯୋଗୁଁ ପ୍ରଭାବିତ ହୁଅନ୍ତି ।

ଭାରତ ତଳେ ରହିଛି ଭିଏତନାମ । ସେଠାରେ ୬୪ ପ୍ରତିଶତ ଲୋକଙ୍କୁ ହାତଗୁଂଜା ଦେବାକୁ ପଡେ । ପାକିସ୍ତାନର ସ୍ଥାନ ହେଉଛି ତାଲିକାରେ ଚତୁର୍ଥ । ସେଠାରେ ଲାଂଚ ହାରରେ ହେଉଛି ୪୦ ପ୍ରତିଶତ । ହେଲେ ପୁଲିସ ଓ କୋର୍ଟରେ ଦୁଇତୃତୀୟାଂଶ ଲୋକଙ୍କୁ ଲାଂଚ ଦେବାକୁ ପଡେ । ଟ୍ରାନ୍ସପରେନ୍ସୀ ଇଂଟରନ୍ୟାସନାଲ ରିପୋର୍ଟ ଅନୁସାରେ ୧୬ଟି ଦେଶର ୯୦ କୋଟି ଲୋକ ଲାଂଚ ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ତେବେ ସର୍ଭେ ରିପୋର୍ଟ କହୁଛି, ଜାପାନ ହେଉଛି ଏପରି ରାଷ୍ଟ୍ର ଯେଉଁଠି ଦୁର୍ନୀତି ଆଦୌ ହୋଇନଥାଏ । ମାତ୍ର .୨ ପ୍ରତିଶତ ହେଉଛି ଏହି ଦେଶର ଲାଂଚ ହାର ।