ଚାଇନା କଂପାନିକୁ ଚୋଟ ! ଟାର୍ଗେଟରେ ବିଦ୍ୟୁତ୍, ଟେଲିକମ୍ ଯନ୍ତ୍ରାଂଶ

31

କନକ ବ୍ୟୁରୋ: ଡୋକଲାମରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଦୁଇ ରାଷ୍ଟ୍ର ମଧ୍ୟରେ ବ୍ୟବସାୟକୁ ନେଇ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ଚୀନର ୯୩ଟି ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ ଲଗାଇ ଭାରତ ସେଗୁଡ଼ିକର ପ୍ରବେଶକୁ ଅଟକାଇବା ପ୍ରୟାସ କରିଛି । ଭାରତର ଏହି ପଦକ୍ଷେପକୁ ଚୀନ୍ ତୀବ୍ର ବିରୋଧ କରୁଛି ଏବଂ ପାଲଟା କାର୍ଯ୍ୟାନୁଷ୍ଠାନ ଲାଗି ଧମକ ଦେଇଛି । ଭାରତର ଅଭିଯୋଗ ହେଉଛି ଯେ ଚୀନ୍ କଂପାନିଗୁଡ଼ିକ ଭାରତୀୟ ବଜାରକୁ ଡମ୍ପିଂୟାର୍ଡ ଭାବେ ବ୍ୟବହାର କରୁଛନ୍ତି । ସେମାନେ ନିମ୍ନମାନର ସାମଗ୍ରୀ ଭାରତକୁ ପଠାଉଛନ୍ତି । ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତ ଆଣ୍ଟିଂ ଡମ୍ପିଂ ଶୁଳ୍କ ଲଗାଉଛି ।

କେବଳ ଏତିକି ନୁହେଁ, ଏଠାରେ କାରବାର କରୁଥିବା ଚୀନର କେତେକ କଂପାନି ଉପରେ ମଧ୍ୟ କଟକଣା ଲଗାଇବାକୁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ଟେଲିଫୋନ୍ ଟାଓ୍ଵାରଠାରୁ ଆରମ୍ଭ କରି ପାଓ୍ଵାର ପ୍ଲାଣ୍ଟ୍ ପର୍ଯ୍ୟନ୍ତ ଦୂର ସଂଚାର ଏବଂ ଶକ୍ତି କ୍ଷେତ୍ରରେ ଅଧିକାଂଶ ଚୀନ୍ ସାମଗ୍ରୀ ବ୍ୟବହାର ହେଉଛି । ସେଗୁଡ଼ିକର ପରିମାଣ କମ୍ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ବିଦ୍ୟୁତ କଂପାନିଗୁଡ଼ିକୁ ଯନ୍ତ୍ରାଂଶ ଯୋଗାଇ ଦେଉଥିବା ଚୀନର କଂପାନିଗୁଡ଼ିକ ଉପରେ ଅଧିକ କଟକଣା ଲଗାଇବା ଉପରେ ବିଚାର କରାଯାଉଛି । ଚୀନ୍ ଯୋଗାଇ ଦେଉଥିବା ଯନ୍ତ୍ରାଂଶରେ ଯେଭଳି ମାଲଓ୍ଵୟାର ଭାଇରସ ନରହେ ତାହାକୁ ନିଶ୍ଚିତ କରିବା ପାଇଁ ଭାରତ ସରକାର ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ଭାରତର ଯେଉଁ ସମସ୍ତ ସମ୍ବେଦନଶୀଳ କ୍ଷେତ୍ର ରହିଛି ସେଥିରେ ଚୀନ୍ କଂପାନିଗୁଡ଼ିକର ପ୍ରବେଶକୁ ଅଟକାଇବା ପ୍ରୟାସ ଆରମ୍ଭ ହୋଇଛି ।

ଚୀନର ହରବିନ୍ ଇଲେକ୍ଟ୍ରିକ୍, ଡଙ୍ଗଫାଙ୍ଗ୍ ଇଲେକ୍ଟ୍ରୋନିକ୍ସ, ସାଂଘାଇ ଇଲେକ୍ଟ୍ରିକ୍ ଏବଂ ସିଫାଙ୍ଗ୍ ଅଟୋମେସନ୍ ଭଳି କମ୍ପାନି ଭାରତର ୧୮ଟି ସହରରେ ବିଦ୍ୟୁତ୍ ଉପକରଣ ଯୋଗାଣ କିମ୍ବା ବିଦ୍ୟୁତ୍ ବଣ୍ଟନ ନେଟଓ୍ଵାର୍କ କାରବାର ସହିତ ଜଡ଼ିତ।

ଦୀର୍ଘ ବର୍ଷ ହେଲାଣି ସ୍ଥାନୀୟ କଂପାନିଗୁଡ଼ିକ ଚୀନ୍ କଂପାନିଗୁଡ଼ିକୁ ବିରୋଧ କରୁଛନ୍ତି । ସେମାନଙ୍କ କହିବା କଥା ହେଉଛି ଚୀନ୍ କଂପାନିମାନଙ୍କ ସାମଗ୍ରୀ ଯୋଗୁଁ ଦେଶର ନିରାପତ୍ତା ପ୍ରଭାବିତ ହେବାର ଆଶଂକା ରହିଛି ଏବଂ ଭାରତୀୟ କଂପାନିଗୁଡ଼ିକୁ ଚୀନରେ କାରବାରର ସମାନ ସୁଯୋଗ ମିଳୁନାହିଁ । ଭାରତୀୟ କଂପାନିମାନଙ୍କ ଦାବିକୁ ଏବେ କେନ୍ଦ୍ର ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କେନ୍ଦ୍ରୀୟ ବିଦ୍ୟୁତ୍ କର୍ତ୍ତୃପକ୍ଷ (ସିଇଏ) ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ ଏ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ବିଦ୍ୟୁତ୍ ପରିବହନ ବ୍ୟବସାୟ ହାସଲ ପାଇଁ ନିଲାମ ଡାକୁଥିବା ବିଦେଶୀ କମ୍ପାନିଗୁଡ଼ିକ ପାଇଁ ନୂଆ ସର୍ତ୍ତ ରଖାଯିବା ଯୋଜନା କରାଯାଉଛି । ନିଲାମରେ ସ୍ଥାନୀୟ କଂପାନିଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ ।

ସେମାନଙ୍କ ପାଇଁ କେତେକ ସର୍ତ୍ତ ରହିବ ଯେ ନିଲାମରେ ଭାଗ ନେବାକୁ ଥିବା ବିଦେଶୀ କଂପାନି ଅତି କମରେ ଭାରତରେ ୧୦ ବର୍ଷ କାରବାର କରିଥିବେ । ଉକ୍ତ କଂପାନିର ଉଚ୍ଚ ପଦପଦବିରେ ଭାରତୀୟ ନାଗରିକ କାମ କରୁଥିବେ । ଉକ୍ତ କଂପାନି ପାଇଁ କାମ କରୁଥିବା ବିଦେଶୀ ନାଗରିକମାନଙ୍କର କିଛି ବର୍ଷ ଭାରତରେ କାମ କରିବାର ଅଭିଜ୍ଞତା ରହିଥିବା ଦରକାର । ଏତଦବ୍ୟତୀତ ସେହି କମ୍ପାନି ଗୁଡ଼ିକ ବିଦ୍ୟୁତ୍ ପରିବହନ ବ୍ୟବସାୟ ପାଇଁ କେଉଁଠାରୁ ଉପକରଣ କ୍ରୟ କରୁଛନ୍ତି ତାହାର ବିସ୍ତତ ତଥ୍ୟ ଦେବେ । ଏଥିସହିତ ଯଦି ଉପକରଣ ଗୁଡ଼ିକରେ କୌଣସି ପ୍ରକାର ମାଲଓ୍ଵୟାର ଭାଇରସ ରହିଥିବା ଜଣାପଡ଼େ ତାହେଲେ ସେମାନଙ୍କୁ ଭାରତରେ ପୁନଶ୍ଚ ବ୍ୟବସାୟ କରିବାର ସୁଯୋଗ ମିଳିବ ନାହିଁ ।

ରିପୋର୍ଟରେ ସିଧାସଳଖ ଭାବେ ଯଦିଓ ଚୀନ୍ କଥା କିଛି କୁହାଯାଇ ନାହିଁ ତଥାପି ଏ ସବୁ ପଦକ୍ଷେପ ଚୀନ୍ କଂପାନିଗୁଡ଼ିକ ପାଇଁ ଉଦ୍ଦିଷ୍ଟ ବୋଲି ଅନୁମାନ କରାଯାଉଛି । ଟେଲିକମ୍ କ୍ଷେତ୍ରରେ ମଧ୍ୟ ଭାରତ ସରକାର ଚୀନ୍ କମ୍ପାନି ଗୁଡ଼ିକ ପ୍ରତି ସମାନ ପ୍ରକାର ଆଭିମୁଖ୍ୟ ପୋଷଣ କରୁଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ୨୧ଟି ସ୍ମାର୍ଟଫୋନ ନିର୍ମାତାଙ୍କୁ ଏ ନେଇ ସତର୍କ କରାଇ ଦିଆଯାଇଛି । ଉତ୍ପାଦ ଓ ସେବା ଯୋଗାଣରେ ସେମାନେ କି ପ୍ରକାର ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି ସେ ନେଇ ବିସ୍ତତ ତଥ୍ୟ ଦେବାକୁ କୁହାଯାଇଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ଚୀନ୍ କମ୍ପାନି ରହିଛନ୍ତି । ଅଗଷ୍ଟ ୧୨ ତାରିଖରେ ଏ ନେଇ କମ୍ପାନି ଗୁଡ଼ିକୁ ଚିଠି ପଠାଯାଇଛି ।

ସୀମାରେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଭାରତରେ ଚୀନ୍ କମ୍ପାନିଙ୍କ ନିବେଶ ପ୍ରଭାବିତ ହେବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନ କମ୍ପାନିଗୁଡ଼ିକର ନିବେଶ ପ୍ରସ୍ତାବ ଗୁଡ଼ିକ ସୁରକ୍ଷା ସମ୍ବନ୍ଧିତ କାରଣ ଯୋଗୁଁ ଜାଣିଶୁଣି ବିଳମ୍ବିତ କରାଯିବାର କୌଣସି ଯୋଜନା ସରକାରଙ୍କର ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।