ଭାରତୀୟ କ୍ଷେପଣାସ୍ତ୍ର ରେଂଜରେ ସମଗ୍ର ଚୀନ୍‌ !

76

କନକ ବ୍ୟୁରୋ : ଭାରତର ପରମାଣୁ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଚୀନକୁ ଦୃଷ୍ଟିରେ ରଖି ସଂଚାଳିତ ହେଉଛି ଏବଂ ସମଗ୍ର ଚୀନ୍‌ ଭାରତର କ୍ଷେପଣାସ୍ତ୍ର ରେଂଜ୍‌ରେ ଆସୁଥିବାରୁ ଚୀନ୍‌ ପଟୁ ଯେ କୌଣସି ବିପଦର ମୁକାବିଲା କରିବାକୁ ଭାରତ ସକ୍ଷମ ବୋଲି ଆମେରିକାର ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅନଲାଇନ୍‌ ମ୍ୟାଗାଜିନ୍‌ ‘ଆଫଟର-ମିଡନାଇଟ୍‌’ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧରେ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ଏବେ ଭାରତର ପରମାଣୁ ରଣନୀତି ବଦଳିଯାଇଛି ଏବଂ ପୂର୍ବଭଳି  ପାକିସ୍ତାନକୁ ଦୃଷ୍ଟିରେ ରଖି ଭାରତ ତା’ର ପରମାଣୁ ନୀତି ପରିଚାଳନା କରୁନାହିଁ । ଏବେ କେବଳ ଚୀନ୍‌କୁ ଦୃଷ୍ଟିରେ ରଖି ଭାରତ ନିଜକୁ ସୁରକ୍ଷିତ ରଖିବା ପାଇଁ ପରମାଣୁ କ୍ଷେପଣାସ୍ତ୍ର ନିର୍ମାଣ କରୁଛି ଏବଂ ଏହି ପ୍ରକ୍ରିୟାରେ ଭାରତକୁ ଆଶାନୁରୂପ ସଫଳତା ମିଳିଛି ।

ଅଗ୍ନି ରେଂଜର କ୍ଷେପଣାସ୍ତ୍ର ଗୁଡ଼ିକର ରେଂଜରେ ସମଗ୍ର ଚୀନ୍‌ ଆସୁଥିବାରୁ ଭାରତ ତା’ର କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବାକୁ ଚାହୁଁଛି । ଭାରତ ପାଖରେ ଏବେ ପ୍ରାୟ ୨ ଶହ ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପ୍ଲୁଟୋନିୟମ ରହିଛି ।  ଭାରତ ଏବେ ୧୩୦ରୁ ଅଧିକ ପରମାଣୁ ଅସ୍ତ୍ର ନିର୍ମାଣ କରି ମହଜୁଦ ରଖିଛି । ଭାରତର ପରମାଣୁ କାର୍ଯ୍ୟକ୍ରମର ଆଧୁନିକୀକରଣ କେବଳ ଚୀନକୁ ଦୃଷ୍ଟିରେ ରଖି ଏବେ ଚାଲିଥିବାରୁ ଏଥିରେ ଚୀନ୍‌ ବ୍ୟତିବ୍ୟସ୍ତ ହୋଇପଡ଼ିଛି । ଚୀନ୍‌ ସହ ଭାରତର ଦୀର୍ଘକାଳୀନ ସୀମା ବିବାଦ ଏବଂ ଚୀନର ବିସ୍ତାର ଯୋଜନାକୁ ପ୍ରତିହତ କରିବା ପାଇଁ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରୁଛି ।