ଗୋଟିଏ ମ୍ୟାଚରେ ଭାରତ ଦେଲା ୨୬ ଗୋଲ, ଚିତପଟାଙ୍ଗ ମାଇଲା ହଂକଂ । ଭାଙ୍ଗିଲା ୮୬ ବର୍ଷର ରେକର୍ଡ

44

ଏସିଆନ୍ ଗେମ୍ସରେ ଚମକିଲା ଭାରତୀୟ ପୁରୁଷ ହକି ଟିମ୍ । ବୁଧବାର ହୋଇଥିବା ପୁଲ ମ୍ୟାଚରେ ହଂକଂକୁ ୨୬-୦ ଗୋଲରେ ପରାସ୍ତ କରି ଇତହାସ ରଚିଛି ଟିମ୍ ଇଣ୍ଡିଆ । ଭାରତୀୟ ହକି ଇତିହାସରେ ୮୬ ବର୍ଷ ପରେ ପୁଣିଥରେ ଏତେ ବଡ ବ୍ୟବଧାନରେ ବିଜୟ ହାସଲ କରିଛି ହକି ଟିମ୍ । ତେବେ ସବୁଠୁ ବଡ କଥା ହେଉଛି, ଏହି ମ୍ୟାଚରେ ଗୋଟିଏ ବି ଗୋଲ ଦେବାରେ ସକ୍ଷମ ହୋଇ ପାରିନଥିଲା ହଂକଂ ଟିମ୍ । ସ୍ୱାଧୀନତା ପୂର୍ବରୁ ୧୯୩୨ରେ ଆମେରିକାରେ ହୋଇଥିବା ଅଲମ୍ପିକ୍ସ ଗେମରେ ଆମେରିକାକୁ ୨୪-୧ ଗୋଲରେ ହରାଇଥିଲା ଭାରତ । ତେବେ ହକି ଇତିହାସରେ ସବୁଠୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ରେକର୍ଡ ନ୍ୟୁଜିଲାଣ୍ଡ ନାମରେ ରହିଛି । ୧୯୯୪ ମସିହାରେ ନ୍ୟୁଜିଲାଣ୍ଡ ସମୋଆକୁ ୩୬-୧ ଗୋଲରେ ମାତ ଦେଇ ଇତିହାସ ରଚିଥିଲା ।

ଏହି ପୁଲ ମ୍ୟାଚରେ ଭାରତର ପଲା ପ୍ରଥମରୁ ଭାରୀ ରହିଥିଲା । ଆଉ ଯାହାକୁ ପଡିଆ ମଧ୍ୟରେ ପ୍ରମାଣିତ କରିଥିଲେ ଟିମ୍ ଇଣ୍ଡିଆର ଯୁବ ବାହିନୀ । ଏହା ଏସିଆନ ଗେମ୍ସରେ ଭାରତର ସବୁଠୁ ବଡ ବିଜୟ । ଏହି ମ୍ୟାଚରେ ଭାରତର ୯ ଜଣରୁ ଅଧିକ ଖେଳାଳି ଗୋଲ କରିବାକୁ ସକ୍ଷମ ହୋଇଥିଲେ । ହଂକଂ ବିପକ୍ଷରେ ଭାରତ ପ୍ରଥମରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା । ପରୱାର୍ଡରେ ଖେଳୁଥିବା ଆକାଶଦୀପ ପ୍ରଥମ ଦୁଇ ମିନିଟ ମଧ୍ୟରେ ପ୍ରଥମ ଗୋଲ ଦେଇ ଟିମର ଗୋଲ ଅଭିଯାନ ଆରମ୍ଭ କରିଥିଲେ । ଆଉ ଏହାର ଏକ ମିନିଟ୍ ପରେ ମନପ୍ରୀତ ସିଂହ ଆଉ ଏକ ଗୋଲ ଦେଇ ଭାରତର ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଗୋଲର ବର୍ଷା । ଗୋଟିଏ ପରେ ଗୋଟିଏ ଗୋଲ ଦେଇ ଭାରତ ଏହି ଗୋଲର ବ୍ୟବଧାନ ୨୬-୦ରେ ପହଞ୍ଚାଇଥିଲା । ଆଉ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ବି ଗୋଲ ଦେଇ ପାରିନଥିଲା ହଂକଂ । ଆଉ ଏହି ଦମଦାର ବିଜୟ ସହ ୬ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ପହଞ୍ଚିଛି ଭାରତ । ଏହାପୂର୍ବରୁ ପୁଲର ପ୍ରଥମ ମ୍ୟାଚରେ ଇଣ୍ଡୋନେସିଆକୁ ୧୭-୦ ଗୋଲରେ ପରାସ୍ତ କରିଥିଲା ଭାରତ ।