ଟିମ୍ ଇଣ୍ଡିଆର ବିଶ୍ୱକପ ପ୍ରସ୍ତୁତି । ୪ ନମ୍ବର ବ୍ୟାଟିଂ ଅର୍ଡରକୁ ନେଇ ନାହିଁ ଚିନ୍ତା । ରବି ଶାସ୍ତ୍ରୀ କହିଲେ, ଭାରତ ମୁଣିରେ ରହିଛି ଅନେକ ତୀର ।

800

କନକ ବ୍ୟୁରୋ : କ୍ରିକେଟର ମହାକୁମ୍ଭ ବିଶ୍ୱକପକୁ ଆଉ ମାତ୍ର ୧୫ ଦିନ ବାକି ରହିଛି । ଆଇପିଏଲ ଶେଷ ହେବା ପରେ ସମସ୍ତ ଦେଶ ବିଶ୍ୱକପ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ଭାରତୀୟ ଦଳ ଚୟନ ପୂର୍ବରୁ ଯେଉଁ ଗୋଟିଏ ଦିଗକୁ ନେଇ ଚର୍ଚ୍ଚା ହେଉଥିଲା, ତାହା ହେଉଛି ୪ ନମ୍ବର ସ୍ଥାନରେ ଖେଳିବ କିଏ । ଶେଷରେ ବିଜୟ ଶଙ୍କର ଦଳରେ ସ୍ଥାନ ପାଇବା ପରେ ସେ ଏହି କ୍ରମରେ ବ୍ୟାଟିଂ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଆଜି ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀ କହିଛନ୍ତି, ବିଶ୍ୱକପ ଖେଳିବା ପାଇଁ ଭାରତ ମୁଣିରେ ରହିଛି ଅନେକ ତୀର । ପରିସ୍ଥିତି ଅନୁଯାୟୀ, ପ୍ରତି ମ୍ୟାଚରେ ଖେଳାଳୀଙ୍କ ଚୟନ କରାଯିବ । କୌଣସି ଖେଳାଳୀଙ୍କ କ୍ରମ ସ୍ଥିର ରହିନପାରେ ।

ଆସନ୍ତା ୨୯ ତାରିଖରୁ ଇଂଲଣ୍ଡ ଠାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । ୨୦୧୯ ବିଶ୍ୱକପ ପାଇଁ ଶେଷ୍ଠ ୧୦ଟି ଦଳ ମଧ୍ୟରେ ହେବ କଡା ଟକ୍କର । ତେବେ ଆସନ୍ତା ୨୨ ତାରିଖରେ ଭାରତୀୟ ଦଳ ଇଂଲଣ୍ଡ ପାଇଁ ଉଡାଣ ଭରିବ । ୨୫ ତାରିଖରୁ ଭାରତ ୱାର୍ମଅପ୍ ମ୍ୟାଚ ଖେଳିବ । କେଦାର ଯାଦବ ଆଇପିଏଲରେ ଆହତ ହୋଇଥିବାରୁ ତାଙ୍କ ଖେଳିବା ନେଇ ଏବେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।