ବିଶ୍ୱକୁ ବିଭ୍ରାନ୍ତ କରୁଛି ପାକିସ୍ତାନ ! ପୁଲୱାମା ହମଲାରେ ଜୈଶର ହାତଥିବା ନେଇ ପ୍ରମାଣ ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ କଲା ଭାରତ

130

କନକ ବ୍ୟୁରୋ : ପାକିସ୍ତାନ ବିରୋଧରେ ଭାରତର ବଡ ଅଭିଯୋଗ । ଆତଙ୍କବାଦ ବିରୋଧରେ ଭାରତ ଦେଇଥିବା ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇନାହିଁ ଇସଲାମାବାଦ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ବାଢିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର । ପୁଲୱାମା ଆକ୍ରମଣରେ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ହାତ ଥିବା କହିସାରିଛି ଜାତିସଂଘ ସୁରକ୍ଷା ପରିଷଦ । ଏପରିକି ଖୋଦ ଜେଇଏମ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିସାରିଛି ।

ତଥାପି ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବାକୁ  ଭାରତ ଦେଇଥିବା ପ୍ରମାଣ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପାକିସ୍ତାନ । ଏପରିକି ଇସଲାମାବାଦ କାର୍ଯ୍ୟାନୁଷ୍ଠାନ ପାଇଁ ମନା କରିଦେଇଥିବା କହିଛନ୍ତି ରବିଶ କୁମାର । ସେହିପରି ଭାରତ ବିରୋଧରେ ଏୟାର ଷ୍ଟ୍ରାଇକ ପାଇଁ ଏଫ-୧୬ ବିମାନ ବ୍ୟବହାର ହୋଇନଥିବା କହିଆସୁଛି ପାକିସ୍ତାନ । ହେଲେ ଏନେଇ ଯଥେଷ୍ଟ ପ୍ରମାଣ ଭାରତ ପାଖରେ ରହିଛି । ସେସବୁ ତଥ୍ୟ ଆମେରିକାକୁ ଦିଆଯାଇଛି । ଏଫ-୧୬ ବ୍ୟବହାର ନେଇ ଥିବା ନିୟମ ଉଲ୍ଲଂଘନ ହୋଇଥିଲେ ଆମେରିକା କାର୍ଯ୍ୟାନୁଷ୍ଠାନ ନେଇପାରେ ।