ଇଲଂଣ୍ଡ ଗସ୍ତ ପୂର୍ବରୁ ଭାରତକୁ ମିଳିଲା ବଡ ସଫଳତା ! ICC T-20 Rankings ରେ ଦ୍ୱିତୀୟ ସ୍ଥାନକୁ ଉଠିଲା ଟିମ୍ ଇଣ୍ଡିଆ ।

30

ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଭାରତ ଏକ ବଡ ଉପଲବ୍ଧି ହାସଲ କରିଛି । ଆଇସିସି ଦ୍ୱାରା ଜାରି କରାଯାଇଥିବା ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଆଇସିସିର ଏହି ସୂଚୀରେ ପାକିସ୍ତାନ କ୍ରିକେଟ ଦଳ ୧୩୧ ପଏଣ୍ଟ ସହ ଟପରେ ରହିଛି । ଏବଂ ଭାରତ ପାକିସ୍ତାନ ଠାରୁ ୮ ଅଙ୍କ କମ ପାଇ ୧୨୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

ନିକଟରେ ଟିମ୍ ଇଣ୍ଡିଆ ନିଜର ବ୍ରିଟେନ ଗସ୍ତରେ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ନିଜ ନାମରେ କରିଥିଲା । ଯାହାର ଜବରଦସ୍ତ ଫାଇଦା ଭାରତକୁ ମିଳିଛି । ଭାରତ ଗୋଟେ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ସେହିପରି ଟି-ଟ୍ୱେଣ୍ଟି ବ୍ୟାଟ୍ସମ୍ୟାନ ମାନଙ୍କ ରାଙ୍କିଙ୍ଗରେ ପାକିସ୍ତାନର ବାବର ଆଜମ ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ଭାରତର ଅଧିନାୟକ ବିରାଟ କୋହଲି ଆୟରଲ୍ୟାଣ୍ଡ ବିପକ୍ଷରେ ଖରାପ ପ୍ରଦର୍ଶନ କାରଣରୁ ଅଷ୍ଟମ ସ୍ଥାନକୁ ଖସି ଆସିଛନ୍ତି । ସେହିଭଳି ବୋଲରମାନଙ୍କ ମଧ୍ୟରେ ଆଫଗାନିସ୍ତାନର ରାସିଦ ଖାନ ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ଦଳ ମାନଙ୍କ ମଧ୍ୟରେ ପାକିସ୍ତାନ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତ ଦ୍ୱିତୀୟ, ଅଷ୍ଟ୍ରେଲିଆ ତୃତୀୟ, ଇଂଲଣ୍ଡ ଚତୁର୍ଥ, ନ୍ୟୁଜିଲାଣ୍ଡ ପଞ୍ଚମ, ଦକ୍ଷିଣ ଆଫ୍ରିକା ଷଷ୍ଠ, ୱେଷ୍ଟଇଣ୍ଡିଜ ସପ୍ତମ, ଆଫଗାନିସ୍ତାନ ଅଷ୍ଟମ, ଶ୍ରୀଲଙ୍କା ନବମ ଏବଂ ବାଂଲାଦେଶ ଦଶମ ସ୍ଥାନରେ ରହିଛନ୍ତି ।