ଏସୀୟ କ୍ରୀଡାରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ! କୁସ୍ତିରୁ ମିଳିଲା ଦୁଇଟି ସଫଳତା, ଦ୍ୱିତୀୟ ସ୍ୱର୍ଣ୍ଣ ଦେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ ।

39

ଏସୀୟ କ୍ରୀଡାର ଦ୍ୱିତୀୟ ଦିବସରେ ପୁଣି ଭାରତକୁ ମିଳିଛି ସ୍ୱର୍ଣ୍ଣ । ଭାରତର ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ୫୦କେଜି ଫ୍ରି ଷ୍ଟାଇଲ୍ ବର୍ଗରେ ଜାପନର ୟୁକି ଇରେଙ୍କୁ ୬-୨ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଭାରତର କୁସ୍ତି ଯୋଦ୍ଧା ବଜରଙ୍ଗୀ ପୁନିଆ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି ଆଜି ବନ୍ଧୁକ ଚଳନାରେ ଭାରତ ଲାଗି ରୌପ୍ୟ ପଦକ ଜିଣିଛନ୍ତି ଲକ୍ଷ୍ୟ । ପୁରୁଷ ଟ୍ରାପ୍ ବିଭାଗରେ ଲକ୍ଷ୍ୟ ଦ୍ୱିତୀୟ ସ୍ଥାନ ହାସଲ କରି ପଦକ ଜିଣିଛନ୍ତି । ତାଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ଜିଣିଛନ୍ତି ତାଇପେଇର ୟାଙ୍ଗ କେ । ତେବେ ଏହି ବିଭାଗରେ ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ସୁଟର ମାନବଜିତ୍ ସିଂ ସିନ୍ଧୁ । ଆଜି ସକାଳେ ପୁରୁଷ ୧୦ମିଟର ଏୟାର ରାଇଫଲ୍ ବିଭାଗରେ ଦ୍ୱିତୀୟ ହୋଇ ଦୀପକ କୁମାର ଭାରତ ଲାଗି ରୌପ୍ୟ ପଦକ ଆଣିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତ ୨ଟି ସ୍ୱର୍ଣ୍ଣ ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିଣିଛି ।