ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନରେ ବ୍ୟାଡମିଂଟନରେ ଭାରତକୁ ମିଳିଲା ସୁନା ! ସିନ୍ଧୁଙ୍କୁ ହରାଇ ସାଇନା ଜିତିଲେ ସ୍ୱର୍ଣ୍ଣ ପଦକ

33

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରିଛି ଭାରତ । ବିଶ୍ୱର ଏହି ଅନ୍ୟତମ କ୍ରିଡା ମହାକୁମ୍ଭରେ ଭାରତ ୨୬ଟି ସ୍ୱର୍ଣ୍ଣ ପଦକ ସହ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଲା ଭାରତ । ଏହାସହ ଭାରତ ନାଁରେ ରହିଛି ୨୦ ରୌପ୍ୟ ଓ ୨୦ କାଂସ୍ୟ ସହ ମୋଟ ୬୬ଟି ପଦକ । ଅଷ୍ଟ୍ରେଲିଆର ୭୯ ସ୍ୱର୍ଣ୍ଣ, ୫୯ ରୌପ୍ୟ ଓ ୬୦ ବ୍ରୋଂଜ ସହ ମୋଟ ୧୯୮ପଦକ ପାଇ ପ୍ରଥମ ସ୍ଥାନରେ ରହିଛି । ସେହିପରି ୪୫ ଗୋଲ୍ଡ ୪୫ ସିଲଭର୍ ଓ ୪୬ ବ୍ରୋଂଜ ପଦ ସହ ୧୩୬ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ । ତେବେ ଶେଷ ଦିନ ଭାରତ ହାତେଇଛି ମୋଟ ୭ଟି ପଦକ ।

ସାଇନା ନେହୱାଲ ପଦକ ପାଇବା ଥିଲା ଭାରତ ପାଇଁ ୨୧ତମ ରାଜ୍ୟଗୋଷ୍ଠୀ କ୍ରିଡାର ଐତିହାସିକ ମୁହୁର୍ତ । ବ୍ୟାଡମିଂଟନ ମହିଳା ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ସଟଲର୍ ସାଇନା ନେହୱାଲ । ଏହା ସହ ଭାରତର ପଦକ ତାଲିକାରେ ଯୋଡି ହୋଇଯାଇଥିଲା ଆଉ ଏକ ସୁନେଲି ପଦକ । ଅନ୍ୟ ପଟେ ଗୋଲ୍ଡକୋଷ୍ଟର ଏହି ମୁକାବିଲାରେ ଅପର ପକ୍ଷରେ ଥିଲେ ଭାରତର ଅନ୍ୟତମ ସଟଲର୍ ସେନସେସନ୍ ପିଭି ସିନ୍ଧୁ । ତେଣୁ ଫାଇନାଲରେ ଭାରତ ବନାମ ଭାରତ ହୋଇଥିଲା ।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଆରମ୍ଭରୁ ଭାରତୀୟ ଆଥଲେଟ୍ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ସୁଟିଂରେ ଭାରତକୁ ସର୍ବାଧିକ ୭ଟି ସ୍ୱର୍ଣ୍ଣ ସମେତ ୧୬ ପଦକ ହାସଲ ମିଳିଥିଲା । ସେହିପରି କୁସ୍ତିରେ ୫ଟି, ଭାରୋତ୍ତଳନରେ ୫ଟି, ବକ୍ସିଂରେ ୩ଟି, ଟେବୁଲ ଟେନିସରେ ୩ଟି, ବ୍ୟାଡମିଂଟନରେ ୨ଟି ଓ ଆଥେଲେଟିସରେ ଗୋଟିଏ ସ୍ୱର୍ଣ୍ଣ ପଦକ ପାଇଥିଲା ଭାରତ । କୁସ୍ତିରେ ସୁଶୀଲ କୁମାର ନିଜ ବର୍ଗରେ କ୍ରମାଗତ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ଏହା ଥିଲା ତୃତୀୟ ବଡ ସଫଳତା । ପୂର୍ବରୁ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରିଡାରେ ଭାରତ ସର୍ବାଧିକ ୩୮ଟି ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୨୦୦୨ ମଂଚେଷ୍ଟର ରାଜ୍ୟଗୋଷ୍ଠୀ କ୍ରିଡାରେ ୩୦ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଚଳିତ କମନୱେଲ୍ଥ ଗେମ୍ରେ ଭାରତ ୨୬ ସ୍ୱର୍ଣ୍ଣ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି । ଏହା ସହ ଭାରତ ଏହି କ୍ରିଡା ମହାସମରରେ ସାମଗ୍ରୀକ ଭାବେ ୫୦୦ ପଦକ ପୂରଣ କରିବାରେ ଚତୁର୍ଥ ଦେଶ ହୋଇଛି । ମୋଟ ୧୮୧ ସ୍ୱର୍ଣ୍ଣ ସହ ଭାରତ ବର୍ତମାନ ସୁଦ୍ଧା ୫୦୪ ପଦକ ପାଇସାରିଛି ।