ଶ୍ରମିକ ପରିବାରଙ୍କ ଅବସ୍ଥା ପାଇଁ କେନ୍ଦ୍ରକୁ ଦାୟୀ କଲା କଂଗ୍ରେସ । ଟ୍ୱିଟରରେ ରାହୁଲଙ୍କ ସମାଲୋଚନା, ଦାଦନ ଶ୍ରମିକଙ୍କୁ ସହାୟତା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ସୋନିଆ । ସେପଟେ ଜରୁରୀ ସହାୟତା ଯୋଗାଇବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ ।

1,544

କନକ ବ୍ୟୁରୋ: ଲକଡାଉନ ଭିତରେ ଶ୍ରମିକଙ୍କ ପଳାୟନକୁ ପାଇଁ କେନ୍ଦ୍ରକୁ ଦାୟୀ କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶୀଘ୍ର କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ତିନିଟି ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି ଶହ ଶହ ଭାଇ ଭଉଣୀ ଭୋକ ଶୋଷରେ ପରିବାର ସହ ଚାଲି ଚାଲି ଘରକୁ ବାହାରିଛନ୍ତି । ରାସ୍ତାରେ ସେମାନଙ୍କୁ ଯଥା ସମ୍ଭବ ସହାୟତା ଦେବାକୁ ଟ୍ୱିଟ୍ କରି କରି ଅପିଲ କରିଛନ୍ତି ରାହୁଲ ଗାନ୍ଧୀ ।

ସେପଟେ ଦାଦନ ଶ୍ରମିକଙ୍କ ସମସ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କଡା ଚିଠି ଲେଖି ସୋନିଆ କହିଛନ୍ତି ଗରିବଙ୍କୁ ମୂଲ୍ୟ ବହନ କରିବାକୁ କହି ଦେଶରେ ତାଲାବନ୍ଦ ସଫଳ ହୋଇପାରିବ ନାହିଁ । ବିଭିନ୍ନ ରାଜ୍ୟରେ ଫସିରହିଥିବା ହଜାର ହଜାର ଦାଦନ ଶ୍ରମିକଙ୍କ ରହିବା ଖାଇବା, ପାଇଁ ସ୍ଥାନୀୟ ପ୍ରଶାସନ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ।

ବିରୋଧୀଙ୍କ ସମାଲୋଚନା ଓ ରାଜପଥରେ ଶ୍ରମିକଙ୍କ ଭିଡ ପରେ ରାଜ୍ୟଗୁଡିକୁ ଜରୁରୀ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ଅଣସଂଗଠିକ କ୍ଷେତ୍ରରେ କାମ କରୁଥିବା ଏହି ଶ୍ରମିକମାନଙ୍କୁ ତୁରନ୍ତ ଖାଦ୍ୟ ଓ ଆଶ୍ରୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୧ ଦିନିଆ ତାଲାବନ୍ଦ ଭିତରେ ଯିଏ ଯେଉଁଠି ଅଛନ୍ତି ସେହିଠାରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଶ୍ରମିକଙ୍କ ଭିଡ ଏଭଳି ରାଜରାସ୍ତାକୁ ଚାଲିଆସିବା ତାଲାବନ୍ଦର ଉଦ୍ଦେଶ୍ୟକୁ ବିଫଳ କରିଦେବ । ମାରାତ୍ମକ କରୋନା ଭୂତାଣୁର ସମୁହ ସଂକ୍ରମଣ ରୋକିବାକୁ ସରକାର ପଦକ୍ଷେପ ନେଉଥିବାବେଳେ ରାସ୍ତା ଉପରେ ଦାଦନ ଶ୍ରମିକଙ୍କ ଏଭଳି ଭିଡ ସବୁ ପ୍ରତିଶେଧକ ପ୍ରକ୍ରିୟାକୁ ଭଣ୍ଡୁର କରିଦେବ ।