କରୋନା ମୁକାବିଲା ପାଇଁ ଆଗେଇ ଆସିଲା ସେନା । ଆରମ୍ଭ ହେଲା ଅପରେସନ ନମସ୍ତେ, ଯବାନଙ୍କ ଛୁଟି ବାତିଲ । ସହାୟତା ପାଇଁ ବିଭିନ୍ନ କମାଣ୍ଡରେ ପ୍ରସ୍ତୁତ ହେଲା ହେଲ୍ପ ଲାଇନ ସେଣ୍ଟର ।

8,993

କନକ ବ୍ୟୁରୋ: କରୋନାକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ଖେଳିଯାଇଛି । ଏପଟେ ଭାରତରେ ତାଲବନ୍ଦ ସତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କ୍ରମେ ଜଟିଳ ହେଉଥିବା ସ୍ଥିତିକୁ ଆଖିରେ ରଖି ଭାରତୀୟ ସେନା ଏହି ଘାତକ ଭୂତାଣୁର ମୁକାବିଲା ପାଇଁ ଆରମ୍ଭ କରିଛି ‘ଅପରେସନ ନମସ୍ତେ’ ।

ସାରା ବିଶ୍ୱକୁ ଆତଙ୍କିତ କରିଥିବା କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ସେନା । ଏହି ମାରାତ୍ମକ ଭୂତାଣୁ ସହ ମୁକାବିଲାକୁ ଭାରତୀୟ ସେନା ନାମ ଦେଇଛି ଅପରେସନ ନମସ୍ତେ । ଖୋଦ୍ ସେନାମୁଖ୍ୟ ଏମଏମ ନରବଣେ ଆଜି ଅପରେସନ ନମସ୍ତେର ଆରମ୍ଭ ଘୋଷଣା କରିଛନ୍ତି । ଏଥିସହ କହିଛନ୍ତି, ଅତୀତରେ ସେନା ସବୁ ଅପରେସନରେ ସଫଳ ହୋଇଛି । ଆଉ ଏଥର କରୋନା ବିରୋଧୀ ଅପରେସନ ମଧ୍ୟ ସଫଳ ହେବ ନିଶ୍ଚୟ ।

କରୋନା ମୁକାବିଲା ପାଇଁ ସେନା ପକ୍ଷରୁ ହେଲପ ଲାଇନ ଜାରି କରାଯାଇଛି । କୋଭିଡ-୧୯ ସହ ଲଢେଇ ପାଇଁ ସାରା ଦେଶରେ ମୋଟ ୮ଟି କ୍ୱାରେନଟାଇନ କେନ୍ଦ୍ର ସ୍ଥାପନ କରିଛି ଭାରତୀୟ ସେନା । ଏହାଛଡା ସେନାର ସଦର୍ଣ୍ଣ କମାଣ୍ଡ, ଇଷ୍ଟର୍ଣ୍ଣ କମାଣ୍ଡ, ୱେଷ୍ଟର୍ଣ୍ଣ କମାଣ୍ଡ, ସେଂଟ୍ରାଲ କମାଣ୍ଡ, ନର୍ଦ୍ଦନ କମାଣ୍ଡ, ସାଉଥ-ୱେଷ୍ଟର୍ଣ୍ଣ କମାଣ୍ଡ ଓ ଦିଲ୍ଲୀ ମୁଖ୍ୟାଳୟକୁ ହେଲପ୍ ଲାଇନ ସେଂଟର କରାଯାଇଛି । ଯାହା ଜରିଆରେ ସଂକ୍ରମିତ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ ସେନା ।

ମାରାତ୍ମକ କରୋନା ଭୁତାଣୁର ମୁକାବିଲା ପାଇଁ ମୈଦାନକୁ ଓହ୍ଲାଇଥିବା ସେନା ସର୍ବପ୍ରଥମେ ନିଜ ସୁର କ୍ଷାକୁ ଗୁରୁତ୍ୱ ଦେବେ, ତେବେ ଦେଶବାସୀଙ୍କୁ ସହାୟତା କରିପାରିବେ ବୋଲି କହିଛନ୍ତି ସେନାମୁଖ୍ୟ । ଦେଶର ସୁରକ୍ଷା ପାଇଁ ସାମରିକ ନୀତି ଓ ରଣକୌଶଳ ଯୋଗୁଁ ସବୁ ଯବାନ ସାମାଜିକ ଦୂରତା ରକ୍ଷା କରିପାରିବେ ନାହିଁ ବୋଲି କହିଛନ୍ତି ନରବଣେ ।

ଆପାତକାଳୀନ ସମୟରେ ସେନାର ଭୂମିକା ବହୁତ ବଢିଯାଇଥାଏ । ସୀମାରେ ଶତ୍ରୁ ସହ ମୁକାବିଲା କରୁଥିବା ସେନା ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳେ । ଏବେ କରୋନା ଭୂତାଣୁ ଭଳି ମହାମାରୀର ମୁକାବିଲା ପାଇଁ ପୁଣି ଆଗକୁ ଆସିଛି ସେନା ।