ସାମ୍ବାଦିକଙ୍କ ପାଇଁ ଭୟଙ୍କର ଦେଶ ଭାରତ ! ଦୁନିଆର ପଞ୍ଚମ ସବୁଠାରୁ ଅସୁରକ୍ଷିତ ସ୍ଥାନ

170

କନକ ବ୍ୟୁରୋ : ସାମ୍ବାଦିକଙ୍କ ଭାରତ ଦୁନିଆର ସବୁଠାରୁ ଅସୁରକ୍ଷିତ ଦେଶ ମଧ୍ୟରୁ ଅନ୍ୟତମ । ୨୦୧୮ ମସିହା ସାମ୍ବାଦିକମାନଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ । ଏହି ବର୍ଷ ଗତବର୍ଷ ତୁଳନାରେ ଅଧିକ ସାମ୍ବାଦିକ ହତ୍ୟାର ଶିକାର ହୋଇଥିବା ବେଳେ ବିଭିନ୍ନ କାରଣରୁ ଅଧିକ ସାମ୍ବାଦିକ ଜେଲରେ ରହିଛନ୍ତି । ଆଫଗାନୀସ୍ଥାନ ସାମ୍ବାଦିକଙ୍କ ପାଇଁ ମୃତ୍ୟୁର ଇଲାକା ସାଜିଥିବା ବେଳେ ଚୀନ ସବୁଠାରୁ ଅଧିକ ସାମ୍ବାଦିକଙ୍କୁ କାରାରୁଦ୍ଧ କରିଥିବା ବେସରକାରୀ ସଂସ୍ଥା ରିପୋଟର୍ସ ଓ୍ଵିଦାଉଟ୍ ବର୍ଡର ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି ।

ରାଜନୈତିକ ଅସୂୟାଭାବ, ଧାର୍ମିକ ମୌଳବାଦୀ ଚିନ୍ତାଧାରା ଯୋଗୁଁ ସାମ୍ବାଦିକମାନଙ୍କ ଉପରେ ସମଗ୍ର ବିଶ୍ୱରେ ନିର‌୍ୟାତନା ବୃଦ୍ଧି ପାଇଛି । ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମସିହା ନଭେମ୍ବର ମାସ ସୁଦ୍ଧା ମୋଟ୍ ୮୦ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ୩୪୮ ଜଣଙ୍କୁ ଜେଲରେ ଭର୍ତ୍ତି କରାଯାଇଥିବା ବେଳେ ୬୦ ଜଣଙ୍କୁ ବନ୍ଧକ ରଖାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ସାମ୍ବାଦିକମାନଙ୍କ ପ୍ରତି ଅସୂୟା ମନୋଭାବ ଓ ତଦ୍ଜନିତ ହିଂସା ୨୦୧୮ରେ ଯଥେଷ୍ଟ ବୃଦ୍ଧି ପାଇଛି ।

ରିପୋଟର୍ସ ଓ୍ଵିଦାଉଟ୍ ବର୍ଡର ବେସରକାରୀ ସଙ୍ଗଠନର ମୁଖ୍ୟ କ୍ରିଷ୍ଟୋଫେ ଡେଲୋରେ କହିଛନ୍ତି ଯେ ଅସାଧୁ ବ୍ୟବସାୟୀ, ମୌଳବାଦୀ ଧାର୍ମିକ ନେତା ଓ ଅବାଞ୍ଛିତ ଓ ବେସରମ ରାଜନେତାଙ୍କ ପାଇଁ ସାମ୍ବାଦକମାନେ ଅଧିକ ନିର‌୍ୟାତନାର ଶିକାର ହେଉଛନ୍ତି । ସେହିପରି ରିପୋର୍ଟରେ କୁହାଯାଇଛି ଯେ ଆଫଗାାନୀସ୍ଥାନରେ ୨୦୧୮ ମସିହାରେ ୧୫ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ସେହିପରି ମେକ୍ସିକୋରେ ୯ ଜଣ, ଭାରତରେ ୬ ଜଣ, ଓ ଆମେରିକାରେ ୬ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ କୁହାଯାଇଛି ।