ଆଜିଠୁ ଲର୍ଡସ ଲଢେଇ ! ପ୍ରଥମ ମ୍ୟାଚର ବଦଲା ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ପୂଜାରା ଓ କୁଳଦୀପଙ୍କୁ ନେଇ କଳ୍ପନାଜଳ୍ପନା ।

41

ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଗୁରୁବାରଠାରୁ ଐତିହାସିକ ଲର୍ଡସ୍ ପଡ଼ିଆରେ ଆରମ୍ଭ ହେବ। ଏହା ପୂର୍ବରୁ ଏଜବାଷ୍ଟନରେ ପ୍ରଥମ ମ୍ୟାଚକୁ ରୋମାଞ୍ଚକର ଭାବେ ୩୧ ରନରେ ଜିତି ପାଞ୍ଚ ଟିକିଆ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ସେଥିପାଇଁ ଲର୍ଡସ୍ ଲଢ଼େଇରେ ଭାରତ ପାଖରେ ସ୍ଥିତି ସମାନ ସ୍ତରକୁ ଆଣିବାର ସୁଯୋଗ ଅଛି। ମହତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦଳରେ କେତେକ ପରିବର୍ତନ ହେବାର ସଙ୍କେତ ମିଳିସାରିଛି। ଯାହା ଫଳରେ ଲର୍ଡସ୍ ମୁକାବିଲା ଏଜବାଷ୍ଟନ୍ ଭଳି ରୋଚକ ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ନାଇଟ୍ କ୍ଲବରେ ଗଣ୍ଡଗୋଳ କରି ଅଦାଲତରେ ଚକର କାଟୁଥିବା ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏହି ଟେଷ୍ଟରୁ ବାଦ୍ ପଡ଼ିସାରିଛନ୍ତି। ନବାଗତ ଓଲି ପୋପ୍ ତାଙ୍କ ସ୍ଥାନ ନେବେ ବୋଲି ଇଂଲଣ୍ଡ ଘୋଷଣା କରିସାରିଛି। ଫଳରେ ପୋପ୍ ଲର୍ଡସ୍ ରେ ତାଙ୍କ ଟେଷ୍ଟ୍ ଜୀବନ ଆରମ୍ଭ କରିବା ସ୍ପଷ୍ଟ ହୋଇଛି। ୨୦ ବର୍ଷୀୟ ଅଲରାଉଣ୍ଡର ସାମ୍ କରନ ମଧ୍ୟ ଇଂଲଣ୍ଡ ବ୍ୟାଟିଂକ୍ରମର ଅନ୍ୟତମ ଆକର୍ଷଣ ହେବେ।

ସେପଟେ ଭାରତୀୟ ଦଳରେ ଚେତେଶ୍ୱର ପୂଜାରାଙ୍କୁ ଦଳରେ ନେବା ଦାବି ଜୋର ଧରିଛି। ଶିଖର ଧାଓ୍ଵନ, ଲୋକେଶ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ଏଜବାଷ୍ଟନରେ ପୂରା ବିଫଳ ହୋଇଥିବାରୁ ପୂଜାରା ଏମାନଙ୍କ ଭିତରୁ ଜଣକ ସ୍ଥାନ ନେଇପାରନ୍ତି। ତେବେ ଦଳ ପକ୍ଷରୁ ଏଥିନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନଥିବାରୁ ଏବେ ମଧ୍ୟ ଏହା ରହସ୍ୟ ଘେରରେ ରହିଛି। ଲଣ୍ଡନର ଶୁଖିଲା ପାଗ ପାଇଁ ଲର୍ଡସରେ ଦୁଇ ଜଣ ସ୍ପିନର ନେବାକୁ ବହୁ ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦୁଇ ସ୍ପିନର ନୀତି ଅପଣାଇଲେ କ୍ରିକେଟର ମକ୍କା ଭାବେ ପରିଚିତ ଲର୍ଡସରେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଗୁରୁବାର ଟେଷ୍ଟ୍ ଖେଳିବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ। ଭାରତ ପାଖରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଖେଳାଇବାର ବିକଳ୍ପ ମଧ୍ୟ ଖୋଲାରହିଛି।

କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୩୬ ଟେଷ୍ଟରେ ୩୬ ଭିନ୍ନ ଭିନ୍ନ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଛି। ଯାହା ଲର୍ଡସରେ ମଧ୍ୟ ଭାରତୀୟ ଦଳରେ ଅଦଳ ବଦଳ ସମ୍ଭାବନାକୁ ବଢ଼ାଇଛି। ଏଜବାଷ୍ଟନରେ ବୋଲର ସେମାନଙ୍କ ଦାୟିତ୍ୱ ଠିକ୍ ଭାବେ ତୁଲାଇଥିଲେ। ବ୍ୟାଟ୍ସମ୍ୟାନ୍ କିନ୍ତୁ ନିରାଶ କରିଥିଲେ। ଲର୍ଡସରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ। ଅନ୍ୟଥା ଇଂଲଣ୍ଡ ଲଗାତାର ଦ୍ୱିତୀୟ ବିଜୟ ହାସଲ କରି ଶୃଙ୍ଖଳାକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ବହୁ ପୂର୍ବତନ କ୍ରିକେଟରମାନେ ଚେତାବନୀ ଦେଇଛନ୍ତି। ସେପଟେ ଲର୍ଡସରେ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବାର ସମ୍ଭାବନାକୁ ଭାରତୀୟ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ ଅଗ୍ରାହ୍ୟ କରି ଦେଇଛନ୍ତି। ଦ୍ୱିତୀୟ ସ୍ପିନର ଖେଳାଇବାର ବିକଳ୍ପ ଖୋଲା ରହିଥିବା କିନ୍ତୁ ସେ କହିଛନ୍ତି। ଫଳରେ ଜଣେ ଅଲରାଉଣ୍ଡର କିମ୍ବା ଦ୍ରୁତ ବୋଲରଙ୍କ ସ୍ଥାନରେ ଆଉ ଜଣେ ସ୍ପିନରଙ୍କୁ ଭାରତ ଦଳରେ ନେବାର ଆଶା ସଂଚାର ହୋଇଛି। କ୍ୟୁରେଟର ଲର୍ଡସ୍ ପିଚରେ ଘାସ ରଖିଥିବା ଦୁଇ ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା। ମ୍ୟାଚ୍ ପୂର୍ବରୁ ସେ ଏହାକୁ ଛୋଟେଇ ଦେଇପାରନ୍ତି। ତଥାପି ଲର୍ଡସ୍ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ) ଶିଖର ଧାଓ୍ଵନ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, ଋଷବ ପନ୍ତ, କରୁଣ ନାୟର, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି।