ଚୀନ-ପାକ୍ ନୌସମରାଭ୍ୟାସ କରୁଥିବା ବେଳେ ଭାରତର ବଡ଼ ପଦକ୍ଷେପ : ଆରବ ସାଗରରେ ମୁତୟନ ହେଲା ଆଇଏନ୍ଏସ୍‌ ବିକ୍ରମାଦିତ୍ୟ

519

କନକ ବ୍ୟୁରୋ : ଆରବ ସାଗରରେ ଆଇଏନ୍ଏସ୍‌ ବିକ୍ରମାଦିତ୍ୟ ମୁତୟନ କଲା ଭାରତ । ଚୀନ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ୯ ଦିନିଆ ବିଶାଳ ନୌସମରାଭ୍ୟାସ ସମୟରେ ନିଜର ଉପସ୍ଥିତିକୁ ଜାହିର କରିିଛି ଭାରତ । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ହେଉଥିବା ଏହି ସମରାଭ୍ୟାସ ବେଳେ ଆରବ ସାଗରରେ ଭାରତୀୟ ନୌସେନାର ଯୁଦ୍ଧବିମାନବାହୀ ଜାହାଜ ଆଇଏନ୍ଏସ୍‌ ବିକ୍ରମାଦିତ୍ୟକୁ ମୁତୟନ କରାଯାଇଛି । ‌ନୌସମରାଭ୍ୟାସ ସମୟରେ ଯୁଦ୍ଧବାହୀ ବିମାନ ଆଇଏନ୍ଏସ୍‌ ବିକ୍ରମାଦିତ୍ୟର ମୁତୟନ ଏହିି ସୂଚନା ଦେଉଛି ଯେ ଚୀନ ଓ ପାକିସ୍ତାନର ଗତିବିଧି ଉପରେ ଭାରତର କଡ଼ା ନଜର ରହିଛି। କୌଣସି ବି ପରିସ୍ଥିତିରେ ଯେମିତି କେହି ଦେଶର ଜଳସୀମା ଭିତରକୁ ପଶି ନ ଆସନ୍ତୁ ସେ ନେଇ  ଭାରତ ନିଜ ଆଡୁ ସତର୍କ ରହିଛି । ଏହି ଗୁରୁତ୍ବପୂର୍ଣ୍ଣ ମିସନରେ  ଆଇଏନ୍ଏସ୍‌ ବିକ୍ରମାଦିତ୍ୟକୁ ପଠା ଯିବା ବେଳେ  ନୌସେନା ମୁଖ୍ୟାଳୟର ଶୀର୍ଷସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭାରତର ଦୁଇ ପଡ଼ୋଶୀ  ପାକିସ୍ତାନ ଓ ଚୀନ ନିଜ ନିଜର ନୌସେନା ମଧ୍ୟରେ ଉତ୍ତମ ସଂଚାଳନ କ୍ଷମତା ଓ ରଣନୈତିକ ସହଯୋଗ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ସୋମବାର ଉତ୍ତର ଆରବ ସାଗରରେ ସମରାଭାସ୍ୟ ଆରମ୍ଭ କରିଛନ୍ତି। କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସଂପର୍କ ସ୍ବାଭାବିକ ନ ଥିବା ବେଳେ ‘ସି ଗାର୍ଡିୟାନ୍ସ’ ନାମିତ ଏହି ସମରାଭ୍ୟାସ  ଭାରତ ଲାଗି ଗୁରୁତ୍ବ ବହନ କରୁଛି । ପାକିସ୍ତାନ ଓ ଚୀନର  ସବ୍‌ମେରିନ୍‌, ଡେଷ୍ଟ୍ରୟର ଓ ଫ୍ରିଗେଟ୍ସ ଶ୍ରେଣୀୟ ଯୁଦ୍ଧ ଜାହାଜ ‘ସି ଗାର୍ଡିୟାନ୍ସ’ରେ ସାମିଲ ହୋଇଛନ୍ତି।

ସୂଚନା ଅନୁସାରେ ଯୁଦ୍ଧବିମାନବାହୀ ଜାହାଜ ଆଇଏନ୍ଏସ୍‌ ବିକ୍ରମାଦିତ୍ୟରେ ମିଗ୍‌୨୯କେ ଫାଇଟର୍‌ ଜେଟ୍ ମଧ୍ୟ ରହିଛି। ମିଗ୍ ବିମାନ ଜାହାଜ ଉପରୁ ଉଡାଣ କରି ପୁଣି ଫେରି ଆସି ପାରିବ। ଉତ୍ତର ଆରବ ସାଗରରେ ପାକିସ୍ତାନର ଗ୍ବାଦାର ପୋର୍ଟକୁ ଚୀନ ବିକଶିତ କରୁଛି। ଏଥିସହ ସେଠାରେ ନିଜର ସାମରିକ ଉପସ୍ଥିତି ମଧ୍ୟ ଜାହିର କରିବାକୁ ଚାହୁଁଛି। ଏହା ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।