ପାକିସ୍ତାନକୁ ଧରାଶାୟୀ କଲା ଟିମ୍ ଇଣ୍ଡିଆ ! ୮ ୱିକେଟରେ ଜିତିଲା ରୋହିତ୍ ବାହିନୀ, ଚାମ୍ପିୟନ୍ସ ଟ୍ରଫିର ବଦଲା ନେଲା ଭାରତ ।
କନକ ବ୍ୟୁରୋ : ଚାମ୍ପିୟନ୍ସ ଟ୍ରଫିର ବଦଲା ନେଲା ଟିମ୍ ଇଣ୍ଡିଆ । ଏସିଆ କପ୍ ୨୦୧୮ର ଲିଗ୍ ମ୍ୟାଚରେ ପାକିସ୍ତାନକୁ ୮ ୱିକେଟରେ ମାତ୍ ଦେଇଛି ଭାରତ । ଟିମ୍ ଇଣ୍ଡିଆର ବୋଲିଂ ବାହିନୀ ଆଗରେ ହାର ମାନିଛି ପାକିସ୍ତାନ । ଭାରତର ପ୍ରାରମ୍ଭିକ ଯୋଡି ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ସହଜ ବିଜୟ ହାସଲ କରିଛି । ରୋମାଞ୍ଚକର ମ୍ୟାଚରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ବୋଲରଙ୍କ ପ୍ରଭାବଶାଳୀ ବୋଲିଂରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମାନେ ବୁଧବାର ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲେ। ଏସିଆ କପର ଗ୍ରୁପ-ଏ ମ୍ୟାଚରେ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନ ୪୩.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ଫଳରେ ଭାରତକୁ ୧୬୩ ରନ୍ ଟାର୍ଗେଟ ମିଳିଥିଲା। ଭାରତୀୟ ବୋଲର ଭୁବନେଶ୍ୱର କୁମାର ଓ କେଦାର ଯାଧବଙ୍କୁ ୩ଟି ଲେଖାଏଁ ଓ୍ଵିକେଟ୍ ମିଳିଥିବା ବେଳେ ଯସପ୍ରୀତ ବୁମାରଙ୍କୁ ୨ଟି କୁଲଦୀପ ଯାଦବଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।
ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ପାକିସ୍ତାନ । ସୋଏବ ମଲ୍ଲିକ(୪୩) ରନ୍ କରି ଆଉଟ୍ ହେବା ପରେ ଆସିଫ ଅଲି(୬) କେଦାର ଯାଧବଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଦୁବାଇରେ ଚାଲିଥିବା ଏସିଆ କପର ଗ୍ରୁପ-ଏ ମ୍ୟାଚରେ ଭାରତର ୪ର୍ଥ ଶିକାର ହୋଇଥିଲେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମଦ(୬)। ସେ କେଦାର ଯାଦବଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ ଦେଇଥିଲେ।
ତେବେ ୧୬୩ ରନର ବିଜୟଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭରୁ ହିଁ ଭଲ ବ୍ୟାଟିଂର ପ୍ରଦର୍ଶନ କରିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଶିଖର ଧାୱନଙ୍କ ଦମଦାର ୪୬ ରନ ବଳରେ ଭାରତ ଏକ ସହଜ ବିଜୟ ହାସଲ କରିନେଇଛି । ପାକିସ୍ତାନକୁ ୮ ୱିକେଟରେ ହରାଇ ଚାମ୍ପିୟନ୍ସ ଟ୍ରଫିର ବଦଲା ନେଇଛି ଭାରତ ।