ସାବାଡ ହେବ ପାକିସ୍ତାନ ! ଆଫଗାନିସ୍ତାନରେ ବଡ ଡ୍ୟାମ ନିର୍ମାଣ କରିବ ଭାରତ, ଶୁଖିଯିବ ପାକିସ୍ତାନର ନଦୀ

41

ପାକିସ୍ତାନକୁ ସାବାଡ କରିବାକୁ ନୂଆ ରଣନୀତି ଆପଣାଇଛି ଭାରତ । ଏଣିକି ହାତରେ ନୁହେଁ ବରଂ ଭାତରେ ମାରିବା ନ୍ୟାୟରେ ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ଲକ୍ଷ୍ୟ ରଖିଛି ଭାରତ । ପାକିସ୍ତାନ ବିରୋଧରେ ଆଫଗାନିସ୍ତାନକୁ ବଡ ଅସ୍ତ୍ର କରିଛି ଭାରତ । କାବୁଲ ନଦୀ ଉପରେ ଏକ ବଡ ଡ୍ୟାମ ନିର୍ମାଣ କରିବା ପାଇଁ ଆଫଗାନିସ୍ତାନ ସରକାରଙ୍କୁ ସାହାଯ୍ୟ କରିବାକୁ ନିଷ୍ପତି ନେଇଛି ଭାରତ । ଯାହା ପାକିସ୍ତାନର ଚିନ୍ତାକୁ ବଢାଇ ଦେଇଛି । ଭାରତର ଏଭଳି ପଦକ୍ଷେପ ଯୋଗୁଁ ଚିହିଁକି ଉଠିଛି ପାକିସ୍ତାନ । ଯଦି ଭାରତ କାବୁଲ ନିକଟରେ ଶହତୁତ ଡ୍ୟାମ ନିର୍ମାଣ କରେ ତେବେ ନଦୀରେ ଜଳପ୍ରବାହ କମିଯିବ ବୋଲି ଅଭିଯୋଗ କରିଛି ପାକିସ୍ତାନ ।

କାବୁଲ ନଦୀ ହିନ୍ଦୁକୁଶ ପବର୍ତର ସଙ୍ଗଲାଖ କ୍ଷେତ୍ରରୁ ବାହାରିବା ପରେ କାବୁଲ, ସୁରବୀ ଓ ଜଲାଲାବାଦ ଦେଇ ପାକିସ୍ତାନର ଖେବର ଅଞ୍ଚଳ ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ । ଆଉ କାବୁଲର ଏକ ସହାୟକ ନଦୀ ଉପରେ ଶହତୁତ ଡ୍ୟାମ ନିର୍ମାଣ କରିବାକୁ ଭାରତ ପକ୍ଷରୁ ଆଫଗାନିସ୍ତାନକୁ ପ୍ରସ୍ତାବ ଦିଆଯାଇଛି । ଯାହାକୁ ସିଧାସଳଖ ବିରୋଧ କରୁଛି ପାକିସ୍ତାନ । ଭାରତର ଏହି ନିଷ୍ପତି ପରେ ନଦୀ ମାନଙ୍କର ଜଳ ବଣ୍ଟନ ନେଇ ଚୁକ୍ତି କରିବାକୁ ଆଫଗାନିସ୍ତାନ ଉପରେ ପାକିସ୍ତାନ ଚାପ ସୃଷ୍ଟି କରୁଛି ।

ଭାରତର ଏହି ପ୍ରସ୍ତାବ ପରେ କାବୁଲ ଓ ଏହାର ସହାୟକ ନଦୀର ଜଳ ବଣ୍ଟନ ନେଇ ଦ୍ୱିପାକ୍ଷିକ ଚୁକ୍ତିରେ ଦସ୍ତଖତ କରିବାକୁ ଆଫଗାନିସ୍ତାନକୁ କହୁଛି ପାକିସ୍ତାନ । କାରଣ ଏହାଦ୍ୱାରା ଏହି ଡ୍ୟାମ ନିର୍ମାଣକୁ ରୋକା ଯାଇପାରିବ । କିନ୍ତୁ ଆଫଗାନିସ୍ତାନ ସରକାର ପାକିସ୍ତାନର ଜଳ ବଣ୍ଟନ ଚୁକ୍ତି ଉପରେ ଆଦୌ ଆଗ୍ରହ ଦେଖାଇନାହିଁ । ଶହତୁତ ଡ୍ୟାମ ନିର୍ମାଣ ପାଇଁ ପାଖାପାଖି ୩୦ କୋଟି ଡଲାରରୁ ଅଧିକ ଖର୍ଚ୍ଚ ହେବ । ଆଉ ଏହି ଡ୍ୟାମ ଦ୍ୱାରା ଆଫଗାନିସ୍ତାନ ରାଜଧାନୀର ଆଖପାଖ ଅଞ୍ଚଳର ୪୦୦୦ ହେକ୍ଟର ଜମିରେ ଜଳସେଚନ ହେବା ସହ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଶୋଷ ମେଣ୍ଟାଇବାରେ ସକ୍ଷମ ହେବ ।