ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତ ସର୍ବାଧିକ କ୍ଷତିଗ୍ରସ୍ତ : ରିପୋର୍ଟ

110

କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ସମଗ୍ର ବିଶ୍ବପାଇଁ ବଡ଼ ବିପତ୍ତିର କାରଣ ହୋଇଥିବା ବେଳେ ବିଗତ ୧୦ ବର୍ଷ ମଧ୍ୟ‌ରେ ଭାରତ ଏଥିଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଲାନ୍ସେଟ୍‌ ରିପୋର୍ଟରୁ ଜଣାପଡ଼ିଛି । ପୋଲାଣ୍ଡ୍‌ର କାଟୋୱାଇସ୍‌ ସହରରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଭାରତ ସମେତ ଅନ୍ୟ ବିକା‌ଶଶୀଳ ରାଷ୍ଟ୍ରଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି ।

ପ୍ୟାରିସ ଜଳବାୟୁ ଚୁକ୍ତି କାର୍ଯ୍ୟକାରୀ କରିବାପାଇଁ ୧୦୯ଟି ରାଷ୍ଟ୍ରର ସହମତି ସତ୍ତ୍ବେ ନିକଟ ଭବିଷ୍ୟତରେ ଏହା ହେବାର ଆଶା ଦିଶୁନାହିଁ । ବିଶ୍ବର ୨ ଅନ୍ୟତମ ପ୍ରଦୂଷଣ ସୃଷ୍ଟିକାରୀ ରାଷ୍ଟ୍ର ଚୀନ୍‌ ଓ ଆମେରିକା ବାୟୁମଣ୍ଡଳରେ କାର୍ବନ ମାତ୍ରା ବଢ଼ାଇ ଚାଲିଥିବାରୁ ଜଳବାୟୁ ସଙ୍କଟ ଗମ୍ଭୀର ହୋଇଛି । ସ୍ବାସ୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରକାଶ ପାଇଥିବା ଲାନ୍ସେଟ୍‌ କାଉଣ୍ଟ୍‌ଡାଉନ୍‌ ୨୦୧୮ର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ସାରା ବିଶ୍ବରେ ୨୦୦୦ରୁ ୨୦୧୭ ମସିହା ମଧ୍ୟରେ ପ୍ରତ୍ୟେକ ମଣିଷ ୧.୪ ଦିନ ଗ୍ରୀଷ୍ମ ଲହରୀକୁ ଅଧିକ ସାମ୍ନା କରିଛନ୍ତି ।

ତେବେ ଭାରତ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୨୦୧୨ ତୁଳନାରେ ୨୦୧୬ରେ ଭାରତରେ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବ ପଡ଼ିଛି । ୨୦୧୭ରେ ଭାରତ ଏହି ଗ୍ରୀଷ୍ମ ପ୍ରବାହ ହେତୁ ୭୫ ହଜାର ନିୟୁତ କାର୍ଯ୍ୟ ଘଣ୍ଟା ହରାଇଛି । କୃଷି କ୍ଷେତ୍ରରେ ୨୦୦୦ରେ ଭାରତ ୪୦ ହଜାର ନିୟୁତ କାର୍ଯ୍ୟଘଣ୍ଟା ହରାଇଥିବାବେଳେ ୨୦୧୭ରେ ୬୦,୦୦୦ ନିୟୁତ କାର୍ଯ୍ୟଘଣ୍ଟା ହରାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ବିଶ୍ବବ୍ୟାପୀ ହୋଇଥିବା ଏହି ଅଧ୍ୟୟନରେ ଭାରତ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଥିବାରୁ ଆଗାମୀ ପୋଲାଣ୍ଡ୍‌ ସମ୍ମିଳନୀରେ ଭାରତର ଆଭିମୁଖ୍ୟ କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି ।