ବିବାଦୀୟ ଡୋକଲାମ ସୀମାରୁ କେମିତି ହଟିଲେ ସୈନ୍ୟ ? ସାମ୍ନାକୁ ଆସିଲା ପରଦା ପଛର କାହାଣୀ

24

କନକ ବ୍ୟୁରୋ : ୭୨ଦିନର ବଳ କଷାକଷି ପରେ ବିବାଦୀୟ ଡୋକଲାମ ସୀମାରୁ କେମିତି ହଟିଲେ ଭାରତ ଓ ଚୀନ ସୈନ୍ୟ । ସେ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିବାଦୀୟ କ୍ଷେତ୍ରରୁ ସେନା ହଟାଇବାକୁ ଦୁଇ ଦେଶର ପ୍ରଥମ କୂଟନୈତିକ ସ୍ତରୀୟ ଆଲୋଚନାରେ ପଡିଥିଲା ମୂଳଦୁଆ । କୁହାଯାଉଛି ଜି-ଟ୍ୱେଂଟି ଶିଖର ସମ୍ମିଳନୀ ଅବସରରେ ହମବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ପ୍ରଧାନମନ୍ତ୍ରୀ ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ପରେ ଏନଏସଏ ସ୍ତରୀୟ ବୈଠକ ପାଇଁ ସହମତି ହୋଇଥିଲା ।

ଏହାପରେ ଡୋକଲାମରେ ଦୁଇ ଦେଶର ସେନା ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଜୁଲାଇ ୨୭ତାରିଖରେ ଆଲୋଚନା ଟେବୁଲରେ ବସିଥିଲେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ ଷ୍ଟେଟ କାଉନସିଲର ୟାଙ୍ଗ ଜିଏଚି । ପ୍ରଥମରୁ ଖୁବ କଡା ଆଭିମୁଖ୍ୟ ରଖିଥିଲେ ଉଭୟପକ୍ଷ । ଦେଖନ୍ତୁ ଦୁହିଁଙ୍କ ଭିତରେ କିଭଳି ଥିଲା ବାର୍ତାଳାପ ।

ଏନଏସଏ ଅଜିତ ଡୋଭାଲଙ୍କୁ ଚୀନ ଷ୍ଟେଟ କାଉନସିଲର ୟାଙ୍ଗ ଜିଏଚି କଡା ଗଳାରେ ପଚାରିଥିଲେ ବିବାଦୀୟ ଡୋକଲାମ ଅଂଚଳ କ’ଣ ତୁମର? ଅର୍ଥାତ ଯେଉଁ କ୍ଷେତ୍ରକୁ ନେଇ ଏତେ ବିବାଦ ତାହା ଭାରତର କି ବୋଲି ପଚାରିଥିଲେ ଚୀନ ପ୍ରତିପକ୍ଷ । ଡୋଭାଲ ରୋକଠୋକ ଶୁଣାଇ ଦେଇଥିଲେ କ’ଣ ପ୍ରତ୍ୟେକ ବିବାଦୀୟ ଅଂଚଳ ଆପେ ଆପେ ଚୀନର ବନିଯାଏ? ବିବାଦୀୟ ଡୋକଲମ ଅଂଚଳ ଭୁଟାନର ଏବଂ ଭୁଟାନ ସହ ଚୁକ୍ତି ଅନୁଯାୟୀ ଏହାର ସୁରକ୍ଷା ଭାରତର ଦାୟିତ୍ୱ ବୋଲି ଉତ୍ତର ଦେଇଥିଲେ ଅଜିତ ଡୋଭାଲ ।

ଦୁଇ ପକ୍ଷଙ୍କ ଏହି କୂଟନୈତିକ ଆଲୋଚନା ବେଶ୍ କଡାକଡି ଭାବେ ଆରମ୍ଭ ହୋଇଥିଲେ ମଧ୍ୟ କୁହାଯାଉଛି ଭାରତର ଯୁକ୍ତି ଆଗରେ ନରମ ପଡିଥିଲା ଚୀନ । କାରଣ ଡୋକଲାମ ସୀମାରେ ଚୀନର ରାସ୍ତା ନିର୍ମାଣ ବେଜିଂ ପାଇଁ ନିତ୍ୟାନ୍ତ ଜରୁରୀ । ଆଉ ଏଥିପାଇଁ ଡୋକଲାମ ବଦଳରେ ୫ଶହ ବର୍ଗ କିଲୋମିଟରର ଅନ୍ୟ ଏକ ଜାଗା ଦେବା ପାଇଁ ଭୁଟାନକୁ ପ୍ରସ୍ତାବ ଦେଇଥିଲା ଚୀନ ।

ଏହି ପ୍ରସଙ୍ଗ ଉଠାଇ ଚୀନ ପ୍ରତିପକ୍ଷଙ୍କୁ ଘେରିଥିଲେ ଏନଏସଏ ଡୋଭାଲ । ଆଉ ଶେଷରେ କୂଟନୈତିକ ସ୍ତରରେ ଭାରତର ବିଜୟ ହେଲା ଓ ବିନା କୌଣସି ସର୍ତରେ ସେନା ହଟାଇବା ସହ ସ୍ଥିତାବସ୍ଥା ବଜାୟ ରଖିବାକୁ ରାଜି ହୋଇଥିଲା ଚୀନ । ଯେଉଁଥିପାଇଁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଡୋକଲାମ ସୀମାରୁ ସେନା ହଟାଇବା ନେଇ ପ୍ରେସ ରିଲିଜ ଜାରି କରିଥିଲା ।