ତେଜଛି ଚୀନ-ଭାରତ ସୀମା ବିବାଦ : ଲାଲ ସେନାକୁ ଆଧୁନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶଦେଲେ ଚୀନ ରାଷ୍ଟ୍ରପତି
କନକ ବ୍ୟୁରୋ : ଡରାଉଛି ଚୀନ । ଲାଲ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ । ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଅରୁଣାଚଳ ଗସ୍ତରେ କ୍ଷୁବ୍ଧ ଚୀନ ପ୍ରତିଶୋଧମୂଳକ ପଦକ୍ଷେପ ନେଇଛି । ଆଧୁନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଲାଲ ସେନାକୁ ଆହ୍ୱାନ ଦେଇ ଭାରତକୁ ଧମକାଉଛନ୍ତି ଚୀନ ରାଷ୍ଟ୍ରପତି । ଚୀନର ଏହି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାହତ କରିବା ଆଶଙ୍କା କରାଯାଉଥିବାବେଳେ ଏହାକୁ ବୈଧ ପଦକ୍ଷେପ ବୋଲି ଚୀନ ଦର୍ଶାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତ ଦଲାଇ ଲାମାଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ବନ୍ଦ କରିବା ଉଚିତ ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ ଗଣମାଧ୍ୟମକୁ କହିଛନ୍ତି । ଦଲାଇ ଲାମାଙ୍କ ପ୍ରତି ଭାରତର ସମର୍ଥନ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଦୁର୍ବଳ କରିଦେବ ବୋଲି ଚୀନ କହିଛି । ତିବ୍ଦତ ସମ୍ପର୍କିତ ପ୍ରସଙ୍ଗରେ ଭାରତ ତାର ପୁରୁଣା ନୀତିରେ କାର୍ଯ୍ୟ କରୁ । ଏଥିରେ ପରିବର୍ତନ ହେଲେ ଉଭୟ ଦେଶର ସୀମା ବିବାଦ ଜଟିଳ ସ୍ଥିତି ଉତ୍ପନ ହେବ ବୋଲି ଚୀନ କହିଛି । ଅପରପକ୍ଷରେ ଏହା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନୁହେଁ ବୋଲି ଚୀନ ସଫେଇ ଦେଇଛି । ୩ହଜାର ୪୮୮କିଲୋମିଟର ବ୍ୟାପୀ ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଭାରତ ଓ ଚୀନ ସୀମା ବିବାଦ ରହିଥିବାବେଳେ ଚୀନ ଅରୁଣାଚଳ ପ୍ରଦେଶକୁ ନିଜର ସର୍ବଭୌମ ଅଂଚଳ ବୋଲି କହିଆସୁଛି । ସେହିପରି ୧୯୬୨ଯୁଦ୍ଧରେ ଚୀନ କବଜା କରିଥିବା ଅକ୍ସାଇ ଚୀନକୁ ଭାରତ ନିଜ ଅଂଚଳ ବୋଲି ଦାବି କରୁଛି ।
ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଅରୁଣାଚଳ ଗସ୍ତରେ କ୍ଷୁବ୍ଧ ଚୀନ ପାଲଟା ପଦକ୍ଷେପରେ ନିଜ ନକ୍ସାରେ ଅରୁଣାଚଳ ପ୍ରଦେଶର ୬ଟି ଜିଲ୍ଲାର ନାମ ପରିବର୍ତନ କରିଛି । ୬ଟି ଜିଲ୍ଲାର ଚୀନିୟ ଦର୍ଶାଇଛି ଚୀନ । ଏପରି କରି ଅରୁଣାଚଳ ପ୍ରଦେଶ ଚୀନର ଏକ ସାର୍ବଭୌମ ଅଂଚଳ ବୋଲି ଚୀନ ଦାବି କରିଛି । ଭାରତ ଓ ଚୀନ ମଧ୍ୟରେ ନିର୍ଦ୍ଧିଷ୍ଟ ସୀମାରେଖା ନଥିବାବେଳେ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ବୋଲି ପୂର୍ବରୁ ଚୀନ ଦାବି କରିଆସିଛି । ସ୍ଥାନୀୟ ତିବ୍ଦତୀୟ ଅଧିବାସୀଙ୍କ ଦ୍ୱାରା ଉଚ୍ଚାରିତ ନାମ ଅନୁଯାୟୀ ୬ଟି ଅଂଚଳର ନାମକରଣ କରାଯାଇଛି ଓ ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ ଟାଇମ୍ସ’ ପ୍ରକାଶ କରିଛି । ଇତିହାସ, ସଂସ୍କୃତି ଓ ପ୍ରଶାସନିକ ତଥ୍ୟ ଦୃଷ୍ଟିରୁ ଅରୁଣାଚଳ ପ୍ରଦେଶ ଉପରେ ଚୀନ ଆଂଚଳିକ ଅଧିକାରକୁ ଏହି ନାମ ପ୍ରତିଫଳିତ କରିଛି ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ ଗଣମାଧ୍ୟମକୁ କହିଛନ୍ତି । ଏପରିକି ଭବିଷ୍ୟତରେ ଅରୁଣାଚଳ ପ୍ରଦେଶର ଆଉ କିଛି ଅଂଚଳର ନାମରେ ପରିବର୍ତନ କରାଯିବ ବୋଲି ମୁଖପାତ୍ର କାଙ୍ଗ କହିଛନ୍ତି ।