ସୁଧୁରୁନି ଚୀନ । ବାରମ୍ବାର ଚୀନ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବା ଦ୍ୱାରା ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । କିଛି ଦିନ ପୂର୍ବେ ଅରୁଣାଚଳ ପ୍ରଦେଶର ଅସଫିଳା କ୍ଷେତ୍ରରେ ଡ଼୍ରାଗନ ବାହିନୀ ଅନୁପ୍ରବେଶ କରିଥିବା ବେଳେ ଚୀନର ଆଉ ଏକ ଚାଲ ସାମ୍ନାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଲଦାଖର ପୋଙ୍ଗଅଙ୍ଗ ହ୍ରଦ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଭାରତୀୟ ସୀମାର ୬ କିଲୋମିଟର ଭିତରକୁ ପଶି ଆସିଥିଲା । ଆଇଟିବିପି ଗୃହ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ଏଭଳି ଖୁଲାସା ହୋଇଛି । ଯେଉଁଥିରେ ଚୀନ ସେନାର ଅନୁପ୍ରବେଶର ପୂରା ତଥ୍ୟ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଇଟିବିପି ଦେଇଥିବା ରିପୋର୍ଟ ଅନୁଯାୟୀ, ଲଦାଖ ସେକ୍ଟରରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଚୀନ ସବୁଠାରୁ ଅଧିକ ଥର ଅନୁପ୍ରବେଶ କରିଛି । ଗତ ଏଳମାସ ମଧ୍ୟରେ ଚୀନ ୨୦ ଥର ଭାରତ ସୀମାରେ ଅନୁପ୍ରବେଶ କରିଛି । ଆଇଟିବିପି ଦେଇଥିବା ରିପୋର୍ଟ ଅନୁଯାୟୀ, ପୋଙ୍ଗଙ୍ଗ ହ୍ରଦର ପାଶ୍ୱବର୍ତ୍ତୀ ଅଞ୍ଚଳରେ ୨୮ ଫେବୃଆରୀ, ୭ ମାର୍ଚ୍ଚ ଓ ୧୨ ମାର୍ଚ୍ଚରେ ଚୀନ ସୈନିକ ମାନେ ବାରମ୍ବାର ଅନୁପ୍ରବେଶ କରିଛନ୍ତି । ଏପରିକି ଏହି ସମୟରେ ଡ୍ରାଗନ ବାହିନୀ ଭାରତୀୟ ସୀମାର ୬ କିଲୋମିଟର ପର୍ଯ୍ୟନ୍ତ ଭିତରକୁ ଆସିଥିଲେ ।
ପୂର୍ବରୁ ପୋଙ୍ଗଙ୍ଗ ଅଞ୍ଚଳକୁ ନେଇ ଚର୍ଚ୍ଚା ହୋଇଥିଲା ଯେତେବେଳେ ଗତ ଅଗଷ୍ଟ ମାସରେ ଚୀନ ସୈନିକ ଏହି ଅଞ୍ଚଳରେ ଭାରତୀୟ ସେନା ଉପରକୁ ପଥର ପକାଇଥିଲେ । ତେବେ ବାରମ୍ବାର ଚୀନ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରି ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରୁଛି । ବାରମ୍ବାର ଚୀନ ଅନୁପ୍ରବେଶ କରୁଥିବାରୁ ଅରୁଣାଚଳ ଅସଫିଳା କ୍ଷେତ୍ରରେ ଭାରତୀୟ ସେନା ପେଟ୍ରୋଲିଂ ବଢାଇ ଦେଇଛି । ଯାହାକୁ ନେଇ ଚୀନ ଆପତ୍ତି କରୁଛି । ଡୋକଲାମ ଭଳି ଏହି ଅଞ୍ଚଳକୁ ମଧ୍ୟ ଚୀନ ନିଜର ବୋଲି ଦାବି କରୁଛି ।