ଚୀନ୍ ଦେଉଛି ଚ୍ୟାଲେଞ୍ଜ୍ ! ସିକିମ୍ ସୀମା ନେଇ ସହ ବଢିଲା ବିବାଦ

35

କନକ ବ୍ୟୁରୋ : ଭାରତକୁ ଚୀନର ନାଲି ଆଖି । ଚୀନ ସରକାର ଦ୍ୱାରା ପରିଚାଳିତ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏକ ଟ୍ୱିଟ୍ କରି କହିଛି ଦୁଇ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ଠିକ୍ ଭାବରେ କରାନଗଲେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ । ଦୁଇ ଦେଶ ମଧ୍ୟରେ ଗତ କିଛି ଦିନ ଧରି ଉତ୍ତେଜନା ଲାଗି ରହିଛି । ଏହାରି ମଧ୍ୟରେ ଗ୍ଲୋବାଲ ଟାଇମ୍ସର ଏହି ଟ୍ୱିଟ୍ ଭାରତ ଚୀନ ମଧ୍ୟରେ ଚାଲିଥିବା ବିବାଦକୁ ଆଉ ଏକ ପାଦ ଆଗକୁ ନେଇଯାଇଛି ।

ସେପଟେ ଆଉ ଏକ ଘଟଣାକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀଙ୍କ ମନ୍ତବ୍ୟର ଜବାବ ରଖିଛି ଚୀନ୍ । ଯଦି ୧୯୬୨ର ଭାରତରେ ଅନେକ ପରିବର୍ତ୍ତନ ଆସିଛି ତେବେ ବର୍ତମାନର ଚୀନ୍ ମଧ୍ୟରେ ବି ଅନେକ ପରିବର୍ତ୍ତନ ଆସିଛି । ଏହାସହ ସୀମାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଚୀନ୍ ପଛଘୁଂଚା ଦେବନାହିଁ ବୋଲି କହିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରାଣାଳୟ ମୁଖ୍ୟପାତ୍ର ଜେଙ୍ଗ ସୁଆଙ୍ଗ ।

ସିକିମ୍ ସୀମାରେ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦକୁ ନେଇ ଅରୁଣ ଜେଟଲୀ ମନ୍ତବ୍ୟ ଦେଇଥିଲେ ଯେ, ୧୯୬୨ର ଭାରତ ଓ ବର୍ତମାନର ଭାରତ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଛି । ଏହାର ଜବାବରେ ଭାରତକୁ ନାଲି ଆଖି ଦେଖାଇଛି ଚୀନ୍ । ଚୀନ୍ ସୀମା ସୁରକ୍ଷା ପାଇଁ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ବୋଲି କହିଛି । ଏହାସହ ୧୮୯୦ ସିନୋ ବ୍ରିଟିଶ ଚୁକ୍ତି ଅନୁଯାୟୀ ଭାରତ-ଚୀନ୍ ମଧ୍ୟରେ ସିକ୍କିମଠାରେ ସୀମା ନିୟନ୍ତ୍ରଣ କରାଯାଇଥିଲା । ଏବଂ ଭାରତ ଏହି ଚୁକ୍ତିକୁ ସମ୍ମାନ ଜଣାଉ ବୋଲି ଚୀନ୍ କହିଛି । ଏହାସହ ଡୋକଲାମରେ ପ୍ରବେଶ କରିବା ପାଇଁ ଭୁଟାନକୁ କଭର ଅପ୍ ଭାବେ ଭାରତ ବ୍ୟବହାର କରୁଛି ବୋଲି ଚୀନ୍ ଅଭିଯୋଗ କରିଛି ।

ଭାରତ ଚୀନ୍ ବିବାଦ ମଧ୍ୟରେ ଚୀନର ଏପରି ଟିପ୍ପଣୀ ସହ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ମଧ୍ୟ ମତ ରଖିଛି ଚୀନ୍ । ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ରଖିବାରେ ଚୀନକୁ କୌଣସି ଆପତି ନାହିଁ ତେବେ ଚୀନ୍ ସୀମାକୁ ଭାରତ ଉଲ୍ଲଙ୍ଘନ କରିବା ଅନୁଚିତ ବୋଲି ଚୀନ୍ ଆଉଥରେ ଦୋହରାଇଛି ।