ଚୀନ ଓ ପାକିସ୍ତାନ ହୁସିଆର ! ଭାରତୀୟ ବାୟୁସେନା କିଣିବ ୧୧୦ଟି ଲଢୁଆ ବିମାନ

53

ଭାରତୀୟ ବାୟୁସେନା ଆସନ୍ତା ୨୦୧୯ ମଧ୍ୟଭାଗରେ ୧୧୦ଟି ଲଢ଼ୁଆ ବିମାନ ବିଦେଶରୁ କିଣିବା ପାଇଁ ଯୋଜନା କରୁଥିବା ଜାଣିବାକୁ ମିଳିଛି। ଏହି ଉଦ୍ଦେଶ୍ୟରେ ଲଢ଼ୁଆ ଯୁଦ୍ଧ ବିମାନ ନିର୍ମାଣ କରୁଥିବା ଯେଉଁ ୬ଟି ବିଦେଶୀ କମ୍ପାନି ଭାରତୀୟ ବାୟୁସେନାକୁ ସେମାନଙ୍କର ଲଢ଼ୁଆ ବିମାନ ବିକ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ଏବେ ସେମାନଙ୍କର ଦ୍ୱାରା ପ୍ରଦତ୍ତ ଦସ୍ତାବିଜକୁ ଅନୁଧ୍ୟାନ କରୁଛି ଭାରତୀୟ ବାୟୁସେନା।

ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନାକୁ ଲଢ଼ୁଆ ବିମାନ ବିକ୍ରୟ ପାଇଁ ବୋଇଂ, ଲକହିଡ୍ ମାର୍ଟିନ୍, ଡାସଲ୍ଟ ଆଭିଏସନ୍, ୟୁରୋ ଫାଇଟର୍, ସାବ୍ ଏବଂ ୟୁନାଇଟେଡ୍ ଏୟାରକ୍ରାଫ୍ଟ ପ୍ରମୁଖ ଅନେକ ବିଦେଶୀ କମ୍ପାନି ଆଗ୍ରହ ପ୍ରକାଶ କରିଥିଲେ। ବୋଇଂ, ଲକ୍ହିଡ୍ ମାର୍ଟିନ୍ ଆମେରିକୀୟ କମ୍ପାନି ହୋଇଥିବା ବେଳେ. ଡାସଲ୍ଟ ହେଉଛି ଫ୍ରାନ୍ସ ନିର୍ମିତ, ୟୁରୋ ଫାଇଟର ହେଉଛି ୟୁକେ- ଜର୍ମାନୀ- ଇଟାଲୀ- ସ୍ପେନର ମିଳିତ ଉଦ୍ୟୋଗରେ ନିର୍ମିତ, ସାବ୍ ସ୍ୱିଡେନରେ ନିର୍ମିତ ଏବଂ ୟୁନାଇଟେଡ୍ ଏୟାରକ୍ରାଫ୍ଟ ରୁଷିଆରେ ନିର୍ମିତ। ବୋଇଂ କମ୍ପାନି ନିଜର ଏଫ୍/ଏ ୧୮ଇ/ଏଫ୍ ସୁପର ହରନେଟ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାକୁ ବିକ୍ରୟ ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଲକହିଡ୍ ମାର୍ଟିନ୍ ଏଫ୍- ୧୬ ଫାଇଟିଙ୍ଗ ଫାଲକନ୍, ଡାସଲ୍ଟ ଏଭିଏସନ୍ ରାଫେଲ୍, ୟୁରୋ ଫାଇଟର ଟାଇଫୁନ୍, ସାବ୍ ଗ୍ରିପେନ୍ ଏବଂ ରୁଷିଆର ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ୍ ମିଗ୍- ୩୫ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାକୁ ବିକ୍ରୟ ପାଇଁ ଆଗ୍ରହୀ ଥିଲେ।

ବର୍ତ୍ତମାନ ସୀମାନ୍ତରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଉତ୍ତେଜନା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା ନିଜ ପାଇଁ ଆବଶ୍ୟକ ଥିବା ଲଢ଼ୁଆ ବିମାନ ସବୁକୁ ଯୁଦ୍ଧକାଳୀନ ଭିତ୍ତିରେ କିଣିବାକୁ ଚାହୁଁଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଫ୍ରାନସ୍ ଠାରୁ ୭.୮୭ ବିଲିୟନ ୟୁରୋ (ଭାରତୀୟ ମୁଦ୍ରାରେ ୫୯,୦୦୦ କୋଟି) ନେଇ ଦୁଇ ଇଞ୍ଜିନ୍ ବିଶିଷ୍ଟ ରାଫେଲ ଲଢ଼ୁଆ ବିମାନ କିଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ କରି ସାରିଛନ୍ତି।