ମହାନାୟକ ମେନ୍ ଇନ୍ ବ୍ଲୁ : ମାଞ୍ଚେଷ୍ଟର ମୈଦାନରେ ସର୍ଫରାଜ ସେନାକୁ ପିଟିଲା ବିରାଟ ବ୍ରିଗେଡ, ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ୮୯ ରନରେ ବିଜୟ ହେଲା ଟିମ୍ ଇଣ୍ଡିଆ ।

541

କନକ ବ୍ୟୁରୋ : ମାଞ୍ଚେଷ୍ଟର ମୈଦାନରେ ବିରାଟ ବ୍ରିଗେଡର ବିଗ ସୋ’ । ଭାରତର ଶାଣିତ ବୋଲିଂ ଆଗରେ ମାଟି କାମୁଡିଲା ପାକିସ୍ତାନ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ୮୯ ରନରେ ମାତ୍ ଦେଇ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ବିଶ୍ୱକପ ଯୁଦ୍ଧରେ ସର୍ଫରାଜ ସେନା ଉପରେ ଭାରି ପଡିଛି କୋହଲି ଆଣ୍ଡ କୋ’ । ବିଶ୍ୱକପରେ ପାକିସ୍ତାନ ଟିମ୍ ଉପରେ ସପ୍ତମ ଥର ପାଇଁ ସର୍ଜିକାଲ ଷ୍ଟ୍ରାଇକ କରିଛି ଟିମ୍ ଇଣ୍ଡିଆ । ଆଉ ଏହି ଷ୍ଟ୍ରାଇକରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପାକ୍ ଶିବିର ।

ବିଶ୍ୱକପ ବିଶ୍ୱଯୁଦ୍ଧରେ ଚିତପଟାଙ୍ଗ ମାରିଲା ପାକିସ୍ତାନ । ଭାରତର ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ପୂରା ପାକ୍ ଟିମ୍ । ୩୩୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ପାକିସ୍ତାନ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା । ଆଉ ଏହାସହ ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ହାସଲ କରିବାର ସ୍ୱପ୍ନ ପାକିସ୍ତାନର ପୁଣିଥରେ ଅଧୁରା ରହିଗଲା । । କେବଳ ଫକର ଜମାନ ଓ ବାବର ଆଜମଙ୍କୁ ଛାଡିଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ।

ତେବେ ପାକିସ୍ତାନ ଇନିଂସର ୩୫ତମ ଓଭରରେ ବର୍ଷା ହେବା କାରଣରୁ ଏହି ମ୍ୟାଚକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ତେବେ ବର୍ଷା ଛାଡିଯିବା ପରେ ମ୍ୟାଚକୁ ୪୦ ଓଭରକୁ ହ୍ରାସ କରାଯିବା ସହ ପାକିସ୍ତାନ ପାଇଁ ବିଜୟଲକ୍ଷ୍ୟ ୩୦୨ ରଖାଯାଇଥିଲା । ତେବେ ନିର୍ଦ୍ଧାରିତ ଓଭରରେ ୱିକେଟ ହରାଇ ମାତ୍ର ୨୧୨ ରନ୍ କରିବାକୁ ସକ୍ଷମ ହୋଇଥିଲା ପାକିସ୍ତାନ । ଆଉ ଏହାସହ ଏହି ମ୍ୟାଚକୁ ୮୯ ରନରେ ବାଜି ମାରି ନେଇଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ବିଜୟ ଶଙ୍କର, କୁଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇ ପାକିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ।

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା । ଓପନିଂ ପାର୍ଟନରସିପରେ ୧୩୬ ରନ କରିବା ଭାରତ ପାଇଁ ଦୃଢ ମୂଳଦୁଆ ପକାଇଥିଲେ ରୋହିତ ଓ ରାହୁଲ । ଗୋଟିଏ ପଟେ ରାହୁଲ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟପଟେ ହିଟମ୍ୟାନ୍ ରୋହିତ ଶର୍ମା ଶତକ ହାସଲ କରିଥିଲେ । ତେବେ ଏହି ଦୁଇ ୱିକେଟର ପତନ ପରେ ବିରାଟ କୋହଲି ଦଳର ମଙ୍ଗ ସମ୍ଭାଳିବା ସହ ଅର୍ଦ୍ଧଶତକ ହାସଲ କରିଥିଲେ । ଆଉ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୩୬ ରନ ସଂଗ୍ରହ କରିଥିଲା ମେନ୍ ଇନ୍ ବ୍ଲୁ ।