ସିରିଜ ବରାବର କଲା ଭାରତ । ଅନ୍ତିମ ଟି-୨୦ରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଟିମ୍ ଇଣ୍ଡିଆ ।

240

କନକ ବ୍ୟୁରୋ : ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । କୃର୍ଣ୍ଣାଲ ପାଣ୍ଡ୍ୟାଙ୍କ ଶାଣିତ ବୋଲିଂ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଜବରଦସ୍ତ ଅର୍ଦ୍ଧଶତକ ଦ୍ୱାରା ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜ ୧-୧ରେ ଶେଷ ହୋଇଛି । ସିଡନୀରେ ଖେଳାଯାଇଥିବା ଅନ୍ତିମ ଟି-୨୦ ମ୍ୟାଚରେ ଘରୋଇ କଙ୍ଗାରୁ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ।

ଦଳର ଦୁଇ ଓପନର ଅଧିନାୟକ ଆରନ ଫିଞ୍ଚ୍ ଓ ଆର୍ସି ସର୍ଟ ସତର୍କତା ସହ ଇନିଂସ ଆରମ୍ଭ କରିଥିଲେ । ମାତ୍ର ଦଳର ସ୍କୋର ୬୮ରନ ହୋଇଥିବା ବେଳେ ଫିଞ୍ଚ୍ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହାର ଅଳ୍ପ କିଛି ସମୟ ପରେ ଅର୍ଥାତ ଦଳୀୟ ସ୍କୋର ୭୩ରେ ଅଷ୍ଟ୍ରେଲିଆ ଲଗାତାର ଭାବେ ସର୍ଟ ଓ ମାକଡରମଟଙ୍କ ଓ୍ଵିକେଟ ହରାଇଥିଲା । ଦଳର ପରବର୍ତ୍ତି ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ତେବେ ଆଲେକ୍ସ କ୍ୟାରୀ ଓ ମାର୍କସ ଷ୍ଟଇନିସ ଯଥାକ୍ରମେ ୨୭ ଓ ୨୫ ରନ କରିବାରୁ ଦଳର ସ୍କୋର ସମ୍ମାନଜନକ ୬ ଓ୍ଵିକେଟରେ ୧୬୪ ରନରେ ପହଞ୍ଚିଥିଲା । ଭାରତ ପକ୍ଷରୁ କୁନାଲ ପାଣ୍ଡ୍ୟା ୩୬ ରନ ଦେଇ ୪ଟି ଓ୍ଵିକେଟ ନେଇଥିଲେ ।

ତେବେ ୧୬୫ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ଧୁଆଁଧାର ବ୍ୟାଟିଂ କରିଥିଲା । ଦ୍ୱିତୀୟ ଇନିଂସରେ ୧୬୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ଭାରତ ଏହାକୁ ୧୯.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ପୂରା କରିଛି। ଭାରତ ୧୬୮ ରନ୍‌ ସଂଗ୍ରହ କରିଛି। ବିରାଟ କୋହଲି (୬୧ ରନ୍‌, ୪୧ ବଲ୍‌, ୪ ଚୌକା, ୪ ଛକା)ଙ୍କ ଅପରାଜିତ ବ୍ୟାଟିଂ ଟିମ୍‌ ଇଣ୍ଡିଆକୁ ବିଜୟ ଦେଇଛି। ଏଥି ସହିତ ଟି-୨୦ ଶୃଙ୍ଖଳା ବରାବର ହୋଇଛି। ବ୍ରିସ୍‌ବେନ୍‌ରେ ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଜିତିଥିବା ବେଳେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ କରାଯାଇଥିଲା। ଅନ୍ତିମ ଟି-୨୦ରେ ଭାରତ ବିଜୟୀ ହେବା ପରେ ଶୃଙ୍ଖଳା ବରାବର ହୋଇଛି।