ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ଧୂଳି ଚଟାଇଲା ଭାରତ । ଆଡିଲେଡରେ ରୋମାଞ୍ଚକର ମ୍ୟାଚରେ ୩୧ ରନରେ ଜିତିଲା ବିରାଟ ବାହିନୀ 

722

କନକ ବ୍ୟୁରୋ : ବିରାଟ ବାହିନୀର କଙ୍ଗାରୁ ଶିକାର । ଘରୋଇ ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ମାତ ଦେଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ୩୧ ରନରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି କୋହଲି ଆଣ୍ଡ କୋ । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଇଁଛି ଘରୋଇ ଅଷ୍ଟ୍ରେଲିଆ । ମାତ୍ର ୨୯୧ ରନରେ ଅଷ୍ଟ୍ରେଲିଆର ପୂରା ଟିମକୁ ପ୍ୟାଭିଲିୟନ ପଠାଇ ପ୍ରଥମ ଟେଷ୍ଟକୁ ବାଜି ମାରି ନେଇଛି ବିରାଟ ବିଗ୍ରେଡ । ଭାରତ ପକ୍ଷରୁ ବୁମରାହ, ଅଶ୍ୱିନ, ସାମି ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ  ଇଶାନ୍ତ ଶର୍ମାଙ୍କୁ ୧ ୱିକେଟ ମିଳିଛି । ଅଷ୍ଟ୍ରେଲିଆ ପକ୍ଷରୁ ସର୍ନ ମାର୍ଶ ସର୍ବାଧିକ ୬୦ ରନ ଇନିଂସ ଖେଳିଥିଲେ ମଧ୍ୟ ଏହା ଦଳର ବିଜୟରେ ସହାୟକ ହୋଇନଥିଲା ।

ପଞ୍ଚମ ଦିନ ଖେଳ ଆରମ୍ଭରୁ ଅଷ୍ଟ୍ରେଲିଆ ଟିମକୁ ବଡ ଝଟକା ଲାଗିଥିଲା । ଗତକାଲିର ସ୍କୋରରେ ମାତ୍ର ୧୧ ରନ ଯୋଡିବା ପରେ ଟ୍ରାଭିସ ହେଡଙ୍କ ୱିକେଟ ହରାଇ ସଂକଟରେ ପଡିଥିଲା ଅଷ୍ଟ୍ରେଲିଆ । ତେବେ ଅଧିନାୟକ ଟିମ ପାଇନ ଓ ପାଟ କମିନସ ବେଶ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବା ଟିମ ଇଣ୍ଡିଆର ବିଜୟକୁ ବିଳମ୍ବିତ କରିଥିଲେ । ଶେଷ ଆଡକୁ ମିସେଲ ଷ୍ଟାର୍କ ଓ ନାଥାନ ଲିୟନ ଦ୍ରୁତ ଇନିଂସ ଖେଳିଥିଲେ ମଧ୍ୟ ଏହା ଅଷ୍ଟ୍ରେଲିଆର ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା ।

ଏହା ପୂର୍ବରୁ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବା ସହ ପ୍ରଥମ ଇନିଂସରେ ୨୫୦ ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ ମାତ୍ର ୨୩୫ ରନରେ ଅଲଆଉଟ ହୋଇଥିଲା । ୧୫ ରନରେ ଅଗ୍ରଣୀ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ  ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ୩୦୭ ରନ କରିବାକୁ ସକ୍ଷମ ହୋଇଥିଲା । ଏହାସହ ଅଷ୍ଟ୍ରେଲିଆକୁ ୩୨୩ ରନର ବିଜୟଲକ୍ଷ୍ୟ ଦେଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂରେ ୨୯୧ ରନରେ ଅଲଆଉଟ ହେବା ସହ ବିଜୟ ହାତଛଡା କରିଥିଲା ଅଷ୍ଟ୍ରେଲିଆ । ଏହି ବିଜୟ ସହ ଭାରତ ୪ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।