ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମୁକାବିଲାରେ ଅଲମ୍ପିକ ବିଜେତା ଆର୍ଜେଣ୍ଟିନାକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଜାରି ରଖିଛି ଭାରତ । ପ୍ରଥମ ମୁକାବିଲାରେ ଏକତରଫା ଭାବେ ପାକିସ୍ତାନ ବିପକ୍ଷରେ ୪-୦ ଗୋଲରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଟେବୁଲ ଶୀର୍ଷ ସ୍ଥାନରେ ରହିଛି ଭାରତ ।
ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ମନଦୀପ ସିଂ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଆର୍ଜେଣ୍ଟିନା ପକ୍ଷରୁ ପେଲିଏଟ ଏକମାତ୍ର ଗୋଲ କରିଥିଲେ । ପ୍ରଥମ କ୍ୱାର୍ଟରରେ ଦୁଇ ଟିମ୍ ବେଶ ସର୍ତକତାର ସହ ଖେଳ ଆରମ୍ଭ କରିଥିଲେ । କିନ୍ତୁ ସମୟ ଗଡ଼ିବା ସହ ଆର୍ଜେଣ୍ଟିନାକୁ ନିଜ ଜାଲରେ ଫଶାଇଥିଲା ଭାରତ । ତେବେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ଦେଖିବାକୁ ମିଳିନଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହେବା ପରେ ଭାରତର ଭାଗ୍ୟ ପଲଟିଥିଲା । ୧୭ ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ହରମନପ୍ରୀତ ସିଂ ।

୧-୦ ଗୋଲରେ ପଛୁଆ ରହିବା ପରେ ଭାରତୀୟ ଗୋଲପୋଷ୍ଟକୁ ଘନ ଘନ ଆକ୍ରମଣ କରିଥିଲା ଆର୍ଜେଣ୍ଟିନା । ତେବେ ଭାରତର ରକ୍ଷଣଭାଗ ଖେଳାଳି ଆର୍ଜେଣ୍ଟିନାକୁ ବେଶ କିଛି ସମୟ ଅଟକାଇ ରଖିଥିଲେ । ମ୍ୟାଚର ୨୮ ମିନିଟରେ ଆଜେଣ୍ଟିନା ଖେଳାଳିଙ୍କୁ ଭେଦ କରି ମନଦୀପ ସିଂ ଆଉ ଏକ ବଲ ଆର୍ଜେଣ୍ଟିନା ଗୋଲପୋଷ୍ଟକୁ ପଠାଇବା ସହ ଭାରତ ୨-୦ରେ ଆଗୁଆ କରିଥିଲେ । ତେବେ ଭାରତ ଗୋଲ କରିବାର ଗୋଟିଏ ମିନିଟ୍ ପରେ ଆର୍ଜେଣ୍ଟନାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାକୁ ଗୋଲରେ ପରିଣତ କରିଥିଲେ ଗାଞ୍ଜୋଲେଜ ପେଲିଏଟ ।ତେବେ ଏହାପରେ ଖେଳ ଶେଷ ହେବା ପର୍ଯ୍ୟନ୍ତ ଆଉ ଗୋଲ ଦେଖିବାକୁ ମିଳିନଥିଲା । ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଖେଳ ଖେଳିଥିଲେ ମଧ୍ୟ ଗୋଲ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଏହି ମ୍ୟାଚରେ ସର୍ଦ୍ଦାର ସିଂଙ୍କୁ ସ୍ଥାନ ମିଳିଥିଲା । ଏହି ମ୍ୟାଚ ତାଙ୍କର ୩୦୦ତମ ଅର୍ନ୍ତଜାତୀୟ ମ୍ୟାଚ ଥିଲା ।

ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ବିଜୟ ପରେ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ବ୍ୟାକ ଟୁ ବ୍ୟାକ ଦୁଇଟି ମ୍ୟାଚରେ ଭାରତ ବିଜୟୀ ହେବା ପରେ ନବୀନ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ୨୭ ଜୁନରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ମ୍ୟାଚ ପାଇଁ ମଧ୍ୟ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ପୂର୍ବରୁ ହକିକୁ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।